ଝାରସୁଗୁଡ଼ାରେ ୪୪ଂ

ଆଜିଠୁ ଉପକୂଳରେ ବଢ଼ିବ ପାରଦ
ଭୁବନେଶ୍ୱର,୧୩ା୪(ବୁ୍ୟରୋ): ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ନିଅାଁ ବର୍ଷା ହେଉଛି । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି । ଏହା ପଛକୁ ରହିଛି ସୋନପୁର । ଉପକୂଳ ଅଞ୍ଚଳରେ ପାରଦ ୪୦ଂ ଭିତରେ ରହୁଥିଲେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗୁରୁବାର ଉପକୂଳରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ବର୍ଷା ଯୋଗୁ ତାତିରେ ବ୍ରେକ୍ ଲାଗିବ । ଆଗାମୀ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ନିଦେ୍ର୍ଦଶ ଦେଇଛନ୍ତି ।
କୃଷି ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ଉପକୂଳରେ ଏବେ ସୁଦ୍ଧା ବଙ୍ଗୋପସାଗରୀୟ ପବନ ବହୁଥିବାରୁ ସର୍ବାଧିକ ତାପମାତ୍ରା କମ୍ ରହୁଥିଲା । ତେବେ ଗୁରୁବାର ଠାରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ଗରମ ପବନ ସିଧା ପ୍ରବାହିତ ହେବା ସହିତ ତାପମାତ୍ରା ବୃଦ୍ଧି ପାଇବ । ୧୮ ତାରିଖରୁ ପୁଣି ଉପକୂଳରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ ହ୍ରାସ ପାଇବ । ଉପକୂଳ ଅଞ୍ଚଳରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗରମ ଅଧିକ ରହିବ । ୧୫ କିମ୍ବା ୧୬ରେ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ । ୧୮ ତାରିଖରେ ପୁଣି ଗରମ କମିବା ଆରମ୍ଭ ହେବ । ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ଭିତରେ ରହିବ । ଏଭଳି ତାପମାତ୍ରା ତିନିଦିନ ଯାଏ ଅପରିବର୍ତ୍ତିତ ରହିବ । ତେବେ ୧୯ରୁ ୨୧ ଭିତରେ କାଳବୈଶାଖୀ ବର୍ଷା ହୋଇପାରେ । ୨୨ରୁ ପୁଣି ଗରମ ବଢ଼ିବ ।
ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ ୨୨ ପର୍ଯ୍ୟନ୍ତ ପ୍ରବଳ ଗରମ ହେବ । ୧୮ ଓ ୧୯ ରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରହିପାରେ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ି ୧୭ ତାରିଖରେ ସବୁଠୁ ଅଧିକ ରହିବ । ୧୮ରୁ ପୁଣି ସାମାନ୍ୟ ଗରମ କମିବ । ୨୧ ତାରିଖରେ କୁଆପଥର ବର୍ଷା ହୋଇପାରେ ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ପାଣିପାଗ ବିଭାଗର କହିବାନୁସାରେ, ବୁଧବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ଏଠାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୩.୯ଂ ରହିଛି । ସେହିପରି ବଲାଙ୍ଗିରରେ ୪୩.୨ଂ, ଟିଟିଲାଗଡ଼ରେ ୪୩ଂ, ଅନୁଗୁଳରେ ୪୨.୭ଂ, ବୌଦ୍ଧରେ ୪୨ଂ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୧.୫ଂ, ତାଳଚେରରେ ୪୧.୬ଂ, ସମ୍ବଲପୁରରେ ୪୧.୬ଂ, ବାଲେଶ୍ୱରରେ ୩୯.୮ଂ, ଭୁବନେଶ୍ୱରରେ ୩୮.୫ଂ ଓ କଟକରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗୁରୁବାର ୧୪ ତାରିଖରେ କାଳବୈଶାଖୀ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ବଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଘୂର୍ଣ୍ଣିଝଡ ହେବା ସହ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିପାରେ । ତେଣୁ ଏହି ଜିଲ୍ଲାଗୁଡିକୁ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ଲାଗି ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାକୁ ସତର୍କ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *