କମିଲା ଅଭିବୃଦ୍ଧି ଆକଳନ

ନୂଆଦିଲ୍ଲୀ, ୧୩ା୪: ଶ୍ରୀଲଙ୍କାରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ ପରେ ଅନ୍ୟ କେତେକ ଏସୀୟ ଦେଶମାନଙ୍କ ଆର୍ଥିକ ଅବସ୍ଥାରେ ଦ୍ରୁତ ଅବନତି ଘଟୁଛି । ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେପାଳରେ ଦରଦାମ୍ ବୃଦ୍ଧି ଏବେ ସର୍ବୋଚ୍ଚସ୍ତରରେ ରହିଛି । ଏଭଳି ପରିସ୍ଥିତିରେ ଭାରତ ସମେତ ଦକ୍ଷିଣ ଏସିଆର ସବୁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ବିଶ୍ୱବ୍ୟାଙ୍କ ।
ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ କମାଇ ଦେଇଛି ବିଶ୍ୱବ୍ୟାଙ୍କ । ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଭଳି ପରିସ୍ଥିତି କେବଳ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଉପୁଜିଛି । ଯୋଗାଣ ସେବାକୁ ବାଧା ଦେଇଛି ଯୁଦ୍ଧ । ଫଳସ୍ୱରୂପ ଦରଦାମ୍ ବୃଦ୍ଧି ଆଶଙ୍କା ବଢିଚାଲିଛି । ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍ ମହାମାରୀ ଓ ମୁଦ୍ରାସ୍ଫୀତି ଚାପରୁ ଭାରତରେ ଶ୍ରମ ବଜାରର ଅଦେ୍ର୍ଧକର ମଧ୍ୟ ପୁନରୁଦ୍ଧାରରେ ବାଧା ସୃଷ୍ଟି ହେବ ।
ବିଶ୍ୱବ୍ୟାଙ୍କର ଦକ୍ଷିଣ ଏସିଆ ଉପାଧ୍ୟକ୍ଷ ହାର୍ଟୱିଗ୍ ସେଫର୍ ଏକ ବିବୃତିରେ ଉଲ୍ଲେଖ କରିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ତୈଳ ଓ ଖାଦ୍ୟ ଦରଦାମ୍ର କ୍ରମାଗତ ବୃଦ୍ଧି ଲୋକଙ୍କ ପ୍ରକୃତ ଆୟ ଉପରେ ନକାରାତ୍ମକ ପ୍ରଭାବ ପକାଇବ ।
ଆଫଗାନିସ୍ତାନର ଜିଡିପିର ଅଭିବୃଦ୍ଧି ହାରକୁ ମଧ୍ୟ ବିଶ୍ୱବ୍ୟାଙ୍କ କମାଇ ଦେଇଛି । ବର୍ତ୍ତମାନ ଆଫଗାନିସ୍ତାନର ଜିଡିପି ଅଭିବୃଦ୍ଧି ହାର ରହିଛି ୬.୬ ପ୍ରତିଶତ । କିନ୍ତୁ ପାକିସ୍ତାନର ବିକାଶ ପୂର୍ବାନୁମାନକୁ ବିଶ୍ୱବ୍ୟାଙ୍କ ୩.୪ ପ୍ରତିଶତରୁ ୪.୩ ପ୍ରତିଶତକୁ ବଢାଇ ଦେଇଛି । ପାକିସ୍ତାନର ଆର୍ଥିକ ବର୍ଷ ଜୁନ୍ରେ ସମାପ୍ତ ହେବ । ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ବିକାଶ ଦୃଷ୍ଟି କୋଣରୁ ଅଭିବୃଦ୍ଧି ହାରକୁ ବିଶ୍ୱବ୍ୟାଙ୍କ ଅପରିବର୍ତ୍ତିତ (୪ପ୍ରତିଶତ) ରଖିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *