କ୍ରାଇମବ୍ରାଞ୍ଚ ହାତରେ ଅଧିକ ପ୍ରମାଣ

କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା
କଟକ (ବୁ୍ୟରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏବେ କ୍ରାଇମବ୍ରାଞ୍ଚ ହାତରେ ପୁଣି ଏକ ନୂଆ ପ୍ରମାଣ ଲାଗିଛି । ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଶର୍ମିଷ୍ଠା ଓ ତାର ସହଯୋଗୀମାନେ ହତ୍ୟାକାଣ୍ଡର ବ୍ୟବହୃତ ଜିନିଷକୁ ଚଣ୍ଡିଖୋଲର ଶଙ୍ଖାରିଗଡ଼ାରେ ଫିଙ୍ଗିବା ପାଇଁ ଯାଇଥିଲେ । ଯାହାର ଠୋସ୍ ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ ହାସଲ କରିଛି । ଗତ ଫେବୃଆରୀ ୯ ତାରିଖ ରାତି ୧୨.୮ ମିନିଟରେ ଶର୍ମିଷ୍ଠାଙ୍କ କାର ନଂ (ଓଡ଼ି୦୨ବିଏ୬୫୯୯) କଟକ ଅତିକ୍ରମ କରିଥିଲା । ଉକ୍ତ ଟୋଲ ଗେଟ ଦେଇ ଚଣ୍ଡିଖୋଲ ଯାଇଥିବା ଓ ସେହିଦିନ ରାତି ୧.୫୯ ମିନିଟରେ କାରଟି ଚଣ୍ଡିଖୋଲରୁ କଟକ ଫେରିଥିବାର ଫଟୋ ଓ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏହି କାରରେ ଶର୍ମିଷ୍ଠା ଓ ତାର ସହଯୋଗୀ ପ୍ରମାଣ ନଷ୍ଟ କରିବା ପାଇଁ ଯାଇଥିଲେ । ଯାହାର ଭିଡିଓ ଓ ସିସିଟିଭି ଫୁଟେଜକୁ ଜବତ କରିଛି ତଦନ୍ତକାରୀ ଟିମ୍ । ଏଥିସହ ଶର୍ମିଷ୍ଠାଙ୍କ କମ୍ପୁ୍ୟଟରରୁ ଡିଲିଟ ହୋଇଥିବା ଫାଇଲ ରିକଭରି ପାଇଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତରେ ଅନେକ ଅଗ୍ରଗତି ହୋଇଛି ।
ପୂର୍ବରୁ ୩ ଜଣ ସାକ୍ଷୀଙ୍କ ୧୬୪ରେ ବୟାନ ରେକର୍ଡ ହୋଇଥିବାବେଳେ ଆଜି ଆଉ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଛି । ଏହାସହିତ ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରାଜଙ୍କ ସମେତ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ବିବେକ ଏବଂ ଭାଗ୍ୟଧରଙ୍କ ଟିଆଇ ପରେଡ କରିବା ପାଇଁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି । ଯାହା ସାକ୍ଷୀଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ୍ ୨ ଅଭିଯୁକ୍ତ ବିବେକ ଓ ଭାଗ୍ୟଧରକୁ ଜେଲରେ ଜେରା କରିବାକୁ ମଧ୍ୟ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ସୂଚନାଥାଉକି, ମାନସର ଶବ ନୟାଗଡ଼ରେ ପୋତିବା ଅଭିଯୁକ୍ତମାନେ ଚଣ୍ଡିଖୋଲରେ ମାନସ ବ୍ୟବହାର କରିଥିବା ଚପଲ, ଇୟର ଫୋନ, କୋଦାଳ, ଗଇଁତା, ଅଖା ଇତ୍ୟାଦି ଫିଙ୍ଗି ଦେଇଥିଲେ । ଚଣ୍ଡିଖୋଲରେ ଏସବୁ ଜିନିଷ ଫିଙ୍ଗିବା ନେଇ କ୍ରାଇମବ୍ରାଞ୍ଚ ସମ୍ମୁଖରେ ଅଭିଯୁୂକ୍ତମାନେ ଜେରା ବେଳେ ସ୍ୱୀକାର କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *