ଭୁବନେଶ୍ୱର, ଗୋଆ, ନବି ମୁମ୍ବାଇ ଆୟୋଜକ

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍
ମୁମ୍ବାଇ/ଭୁବନେଶ୍ୱର, ୧୩ା୪ (ଏଜେନ୍ସି/ବୁ୍ୟରୋ) : ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ପାଇଁ ବିଶ୍ୱ ଫୁଟ୍ବଲ୍ ସଂସ୍ଥା ଫିଫା ବୁଧବାର ଭୁବନେଶ୍ୱର, ଗୋଆ ଓ ନବି ମୁମ୍ବାଇ ଆୟୋଜକ ସହର ଘୋଷଣା କରିଛି । ଜୁନ୍ ୨୪ରେ ଜୁ୍ୟରିକ୍ଠାରେ ଏହି ଟୁର୍ଣ୍ଣାମେଣ୍ଟର ଡ୍ର’ ହେବ ବୋଲି ସୂଚନା ଦିଆଯାଇଛି ।
ଭୁବନେଶ୍ୱରକୁ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ୱକପ୍ର ଅନ୍ୟତମ ଆୟୋଜକ ସହର ଘୋଷଣା କରାଯିବା ଫଳରେ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ମହଲରେ ଆନନ୍ଦ ଖେଳି ଯାଇଛି । ଭୁବନେଶ୍ୱରରେ ଅତୀତରେ ହକି ଓ ଦୌଡ଼କୁଦର ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ସଫଳତାର ଆୟୋଜିତ ହୋଇ ସାରିଛି । ଏବେ ଏଥିରେ ଫୁଟ୍ବଲ୍ ଗୌରବ ବି ଯୋଡ଼ି ହେବାକୁ ଯାଉଛି ।
କୋଭିଡ୍-୧୯ ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟର ୨୦୨୦ ସଂସ୍କରଣ ବାତିଲ୍ ହେବା ପରେ ଫିଫା, ଅଖିଳ ଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ଓ ସ୍ଥାନୀୟ ଆୟୋଜକ କମିଟି (ଏଲ୍ଓସି) ବ୍ୟାପକ ସମୀକ୍ଷା ଓ ପରାମର୍ଶ ପରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୦ ପାଇଁ ଆୟୋଜକ ସହରଗୁଡ଼ିକର ଅପ୍ଡେଟ୍ ନାମ ସ୍ପଷ୍ଟ କରାଯାଇଛି ।
ଟୁର୍ଣ୍ଣାମେଣ୍ଟରେ ସାମିଲ୍ ଖେଳାଳି ଓ ଅନ୍ୟ ଲୋକମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍, ଗୋଆର ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ ଓ ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍କୁ ଆୟୋଜକ ରୂପରେ ମନୋନୀତ କରାଯାଇଛି । ଏହି ତିନି ସହର ଏହି ପ୍ରତିଷ୍ଠିତ ଆୟୋଜନ ପାଇଁ ସମବେତ ହେବାକୁ ଥିବା ଶ୍ରେଷ୍ଠ ଯୁବ ପ୍ରତିଭା ତଥା ଭବିଷ୍ୟତର ଉଜ୍ଜ୍ୱଳ ତାରକାମାନଙ୍କୁ ସ୍ୱାଗତ କରିବ ।
ଫିଫାର ମୁଖ୍ୟ ମହିଳା ଫୁଟ୍ବଲ୍ ଅଧିକାରୀ ସରାୟ ବାରେମନ କହିଛନ୍ତି, “ନିକଟରେ ଫିଫାର ଭାରତ ଗସ୍ତ ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାପରେ ଏବେ ଟୁର୍ଣ୍ଣାମେଣ୍ଟର ଅବଗଣନା ଆରମ୍ଭ ହୋଇଯାଇଛି । ଆମେ ଗତ ଦୁଇ ବର୍ଷ ମଧ୍ୟରେ ନିଜ ସମର୍ଥନ ବଜାୟ ରଖିବା ପାଇଁ ଏଆଇଏଫ୍ଏଫ୍, ଏଲ୍ଓସି ଓ ଏହି ଇଭେଣ୍ଟ ସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାରମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, କାରଣ ଏହି ସମୟରେ ଆମେ ମହାମାରୀରୁ ସୃଷ୍ଟ ସମସ୍ୟା ସହ ମୁକାବିଲା କରିଛୁ । ଗତ ଛଅ ମାସ ହେଲା ପ୍ରସ୍ତୁତି ବେଗ ଧରିଛି । ଆମେ ଜାଣୁଛୁ ଯେ ଆଗାମୀ ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ରୋମାଞ୍ଚକର ଓ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବା ସହ ସାରା ବିଶ୍ୱରେ ମହିଳା ଫୁଟ୍ବଲ୍ର ସାମଗ୍ରିକ ବିକାଶ ପାଇଁ ନୂଆ ଦିଗ ନିର୍ଦ୍ଧାରଣ କରିବ ।”
ଏଲ୍ଓସି ଅଧ୍ୟକ୍ଷ, ଏଆଇଏଫ୍ଏଫ୍ ଅଧ୍ୟକ୍ଷ ତଥା ଫିଫା କାଉନ୍ସିଲ୍ର ସଦସ୍ୟ ପ୍ରଫୁଲ ପଟେଲ୍ କହିଛନ୍ତି, “ନିକଟରେ ଫିଫାର ସଫଳ ଭାରତ ଯାତ୍ରା ପରେ କୋଭିଡ୍-୧୯ ସହ ସଂଶ୍ଳିଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ଫୁଟ୍ପ୍ରିଣ୍ଟ ଉପରେ ନିଷ୍ପତ୍ତି ନିଆଯାଇଛି । ଗୋଆ ଓ ନବି ମୁମ୍ବାଇ ପାଖରେ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟଗୁଡ଼ିକର ଆୟୋଜନର ଯଥେଷ୍ଟ ଅନୁଭବ ରହିଛି ଯେତେବେଳେକି ଭୁବନେଶ୍ୱର ଭାରତରେ ଆଗାମୀ କ୍ରୀଡ଼ା ପାୱାର ହାଉସ୍ ଭାବେ ଉଭା ହୋଇଛି । ଏପରି ସ୍ଥଳେ ଆମର ତିନିଟି ଆୟୋଜନସ୍ଥଳ ଏହି ଯୁବ ଟୁର୍ଣ୍ଣାମେଣ୍ଟର ବିକାଶ ଓ ସମୃଦ୍ଧିର ମୂଲ୍ୟବୋଧ ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଛି ।”
ଏ ଯାବତ୍ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ଛଡ଼ା ଛଅଟି ଦେଶ – ବ୍ରାଜିଲ, ଚିଲୀ, ଚୀନ୍, କଲମ୍ବିଆ, ଜାପାନ ଓ ନୁ୍ୟଜିଲାଣ୍ଡ ଭାଗ ନେବେ ବୋଲି ସ୍ପଷ୍ଟ ହୋଇଛି । ପ୍ରତିଯୋଗିତାରେ ମୋଟ୍ ୧୬ ଟିମ୍ ଅଂଶଗ୍ରହଣ କରିବେ । ତେଣୁ ଆହୁରି ଅନେକ ସ୍ଥାନ ବାକି ଅଛି । ବିଶ୍ୱକପ୍ ଅକ୍ଟୋବର ୧୧ରୁ ୩ଠ ଯାଏ ଖେଳାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *