ଭୋକ ଉପାସରେ ଚୀନ୍ବାସୀ
ଶାଂଘାଇ ସମେତ ଅନେକ ସହରରେ ଲକ୍ଡାଉନ୍ କଡ଼ାକଡି
ଶାଂଘାଇ/ ବେଜିଂ (ଏଜେନ୍ସି): କରୋନାର ନୂଆ ଭାରିଆଣ୍ଟଜନିିତ ସଂକ୍ରମଣ ସ୍ଥିତି ଚୀନ୍ରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଦେଇଛି । ଚୀନ୍ ସରକାରଙ୍କ ଜିରୋ କୋଭିଡ୍ ନୀତି ବିଫଳ ହୋଇଥିବା ବେଳେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଗୋଟିଏ ପଟେ ସଂକ୍ରମଣକୁ ରୋକିବା ପାଇଁ ଚୀନ୍ ସରକାର ଦେଶର ଅର୍ଦ୍ଧାଧିକ ସହରକୁ ଲକ୍ଡାଉନ୍ କରିଦେଇଥିବା ବେଳେ ଅନ୍ୟପକ୍ଷେ ଏସବୁ ସହରରେ ସାଧାରଣ ଲୋକେ ଏବେ ଖାଇବା ପାଇଁ ଯେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ଚୀନ୍ରେ ସମ୍ପ୍ରତି କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଦ୍ରୁତଗତିରେ ସଂକ୍ରମିତ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନ୍ରେ ୧୫ଠଠ ନୂଆ ଏକ୍ସଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍ ସରକାର ଲକ୍ଡାଉନ୍ ନିୟମକୁ କଡାକଡି ଭାବେ ଲାଗୁ କରିଦେଇଛନ୍ତି । ଫଳରେ ଘରେ ଏକରକମ ବନ୍ଦୀ ହୋଇଯାଇଥିବା ସାଧାରଣ ନାଗରିକ ଏବେ ଖାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ଓଳି ଖାଦ୍ୟ ଗ୍ରହଣ ସହ ସେମାନଙ୍କୁ ବଞ୍ଚôବାକୁ ପଡ଼ୁଛି । ସାଂଘାଇ, ଚାଙ୍ଗଝୋ, ଜିଆଙ୍ଗ୍ସୁ ଆଦି ଅଞ୍ଚଳରୁ ଏପରି କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଲୋକଙ୍କୁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି । ସେହିପରି ଖାଦ୍ୟ ପାଇଁ ବଡ଼ ସପିଂ ମଲ୍ ତଥା ସୁପର ମାର୍କେଟ୍ରେ ଏବେ ଲୁଟ୍ପାଟ୍ ଘଟଣା ବଢ଼ିଯାଇଛି ।
ଚୀନ୍ରେ ଏପ୍ରକାର ସ୍ଥିତି ଦେଖି ଏବେ ସମଗ୍ର ବିଶ୍ୱ ମଧ୍ୟ ଭୟଭୀତ ହୋଇପଡିଛି । ଗତ କିଛି ଦିନ ମଧ୍ୟରେ ଭାରତରେ ମଧ୍ୟ କରୋନାର ଏହି ନୂଆ ଭାରିଆଣ୍ଟ ଏକ୍ସଇ ଦ୍ୱାରା ଅନେକ ସଂକ୍ରମିତଙ୍କୁ ଠାବ କରାଯାଇଛି । ଦିଲ୍ଲୀ, ମିଜୋରାମ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟରେ ପୁଣିଥରେ ଦୈନିକ ସଂକ୍ରମଣ ବଢ଼ିବା ଦେଖିବାକୁ ମିଳୁଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଭାରତରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ଥିବା ୪ଟି ସ୍କୁଲରୁ ଗତ ୩ଦିନ ମଧ୍ୟରେ ପ୍ରାୟ ୨୩ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।