୧ଠ୨୬ ୟୁକ୍ରେନୀ ସୈନ୍ୟଙ୍କ ଆତ୍ମସମର୍ପଣ

କିବ୍/ମସ୍କୋ (ଏଜେନ୍ସି): ୟୁକ୍ରେନ୍-ରୁଷ୍ ଯୁଦ୍ଧ ୪୯ ଦିନ ଅତିକ୍ରମ କରିଛି । ରୁଷ୍ ସେନା ଏବେ ପୂର୍ବ ୟୁକ୍ରେନ୍ରେ ନିଜ ଆକ୍ରମଣକୁ ଜୋରଦାର କରିଛି । ତେବେ ଯୁଦ୍ଧର ୪୯ତମ ଦିନରେ ରୁଷ୍ ସେନା ପକ୍ଷରୁ ଦାବି କରାଯାଇଛି ଯେ, ସଶସ୍ତ୍ର ୧ଠ୨୬ ୟୁକ୍ରେନ୍ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି । ଇତି ମଧ୍ୟରେ ରୁଷ୍ ସେନା ବନ୍ଦର ସହର ମାରିୟୁପୋଲ୍କୁ ଦଖଲ କରିନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ରୁ୍ଷ ପକ୍ଷରୁ ଏଠାରେ କେମିକାଲ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ସେନାର ଆତ୍ମସମର୍ପଣ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ କୌଣସି ସୂଚନା ନଥିବା ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ।
ଜେଲେନସ୍କି ଇଷ୍ଟୋନିଆ ସଂସଦକୁ ଉଦ୍ବୋଧନ କରିବା ଅବସରରେ ରୁଷ୍, ୟୁକ୍ରେନ୍ ଉପରେ ଫସ୍ଫରସ୍ ବୋମା ମାଡ଼ କରିବା ପୂର୍ବକ ବାରମ୍ବାର ଯୁଦ୍ଧ ଅପରାଧ କରିଚାଲିଥିବା ଅଭିଯୋଗ କରିଛନ୍ତି । ଏତଦ୍ବ୍ୟତୀତ ରୁଷ୍ର ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ର ପ୍ରାୟ ୨୧ହଜାର ଲୋକ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷେ ପ୍ରଥମଥର ପାଇଁ ୟୁକ୍ରେନ୍ ଉପରେ ଆକ୍ରମଣ ଗଣହତ୍ୟା (ନରସଂହାର) ସହ ସମାନ ବୋଲି ପ୍ରଥମ ଥର ପାଇଁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ । ତାଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଅତିରିକ୍ତ ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ଏସବୁ ମଧ୍ୟରେ ୟୁକ୍ରେନ୍ରେ ପୁତିନ୍ଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବିକାଶ ମେଡଭେଡଚୁକଙ୍କୁ ଗିରଫ କରିବାରେ ୟୁକ୍ରେନ୍ ସେନା ସଫଳ ହୋଇଥିବା ସୂଚନା ମିଳିଛି । ମେଡଭେଡଚୁକ୍ଙ୍କ ମୁକ୍ତି ପାଇଁ ନିଜ ଦେଶର ସାଧାରଣ ନାଗରିକ ଏବଂ ସୈନିକଙ୍କୁ ମୁକ୍ତ କରିବାକୁ ରୁଷ୍ ଆଗରେ ସର୍ତ୍ତ ରଖିଛି ୟୁକ୍ରେନ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *