ଅବ୍ୟବସ୍ଥା ଘେରରେ ଶ୍ରୀପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ବିଭାଗୀୟ ଅବହେଳା ଓ ରକ୍ଷଣାବେକ୍ଷଣା ଅଭାବ
ଫିରିଙ୍ଗିଆ (ଆପ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ ଅଧୀନ ଶ୍ରିପଲା ଗାଁର ସର୍ବପୁରାତନ ଶ୍ରୀପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ପ୍ରାୟ ୬୮ ବର୍ଷ ତଳେ ଅର୍ଥାତ ୧୯୫୪ ମସିହାରେ ଏହି ସ୍କୁଲ ସ୍ଥାପନ କରାଯାଇଥିଲା । ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିପାରୁ ନ ଥିବାରୁ ଏହି ସ୍କୁଲରେ ୪୦ ସଜ୍ୟା ବିଶିଷ୍ଟ ଏକ ଛାତ୍ରନିବାସ ମଧ୍ୟ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସ୍କୁଲଟି ବିଭାଗୀୟ ଅବହେଳା ଓ ରକ୍ଷଣାବେକ୍ଷଣା ଅଭାବରୁ ସ୍କୁଲରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ବର୍ତ୍ତମାନ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମୁଦାୟ ୧୪୭ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପର୍ଯ୍ୟାପ୍ତ ଶ୍ରେଣୀ କୋଠରୀର ଅଭାବ ରହିଛି । ସ୍କୁଲ ସ୍ଥାପନ ଦିନଠାରୁ ନିର୍ମାଣ ହୋଇଥିବା ଶ୍ରେଣୀକୋଠରୀ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ବାଙ୍ଗିଯାଇ ଅସୁରକ୍ଷିତ ହୋଇପଡିଛି ।
ଏହି ସମସ୍ୟାକୁ ଦୂର କରିବା ପାଇଁ ଗତ କିଛିବର୍ଷ ତଳେ ଡିପିଇପି ଅନୁଦାନ ପାଣ୍ଠିରୁ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା । ନିମ୍ନମାନର କାମ ଯୋଗୁଁ ତାହା ଭାଙ୍ଗିବାକୁ ବସିଲାଣି । ଅନ୍ୟପଟେ ସ୍କୁଲ ଓ ଛାତ୍ରନିବାସ ପାଇଁ ବର୍ତ୍ତମାନ ଜଳାଭାବ ଏକ ପ୍ରମୁଖ ସମସ୍ୟା ହୋଇଛି । ସ୍କୁଲରେ ଏକ ନଳକୂପ ଅଚଳ ହୋଇପଡ଼ି ରହିଛି । ଛାତ୍ରନିବାସର ପୁରୁଣା କୋଠରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଛାତ୍ରାବାସର ଅନ୍ତେବାସୀଙ୍କୁ ରହିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେବଳ ଦୁଇଟି କୋଠରୀରେ ୪୦ ଜଣ ଛାତ୍ର ବହୁ କଷ୍ଟରେ ରହୁଛନ୍ତି । ସ୍କୁଲରେ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡିକ ମଧ୍ୟ ଭାଙ୍ଗିରୁଜି ଯାଇଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ପାଖରେ ଥିବା ବିଲକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଏହା ସହ ସ୍କୁଲରେ ଗୋଟେପଟେ ପାଚେରୀ ନ ଥିବାରୁ ସ୍କୁଲ ଭିତରକୁ ବୁଲା ଗାଈଗୋରୁ ପଶିଆସୁଥିବା ବେଳେ ରାତି ହେଲେ ସ୍କୁଲ ପରିସରରେ ଆସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି ।ା ରକ୍ଷଣାବେକ୍ଷଣା ଅଭାବରୁ ସଫାସୁତୁରା ନ ହୋଇ ସ୍କୁଲ ପରିବେଶ ଏକପ୍ରକାର ଅଶ୍ୱାସ୍ଥ୍ୟକର ହୋଇପଡ଼ିଛି ।
ତେବେ ସ୍କୁଲରେ ଦୀର୍ଘବର୍ଷ ଧରି ଲାଗିରହିଥିବା ଏହି ସମସ୍ୟା କୁ ନେଇ ପ୍ରଧାନ ଶିକ୍ଷକ ବୃନ୍ଦାବନ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷା କମିଟି ସଭାପତି ଓ ସମ୍ପାଦକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣେଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ନ ଦେଲେ ଶ୍ରପଲା ଗ୍ରାମବାସୀ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସ୍କୁଲ ସମସ୍ୟା ବିଷୟରେ ଅବଗତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟା ସମାଧାନ ନେଇ ପଦକ୍ଷେପ ନେବାକୁ ଡିମିରିଗୁଡାର ନବନିର୍ବାଚିତ ସରପଞ୍ଚ ମନୋଜ କହଁର ଅନୁରୋଧ କରିଛନ୍ତି । ଏ ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।