ପୁଣି ବିଜୁଳି ସଙ୍କଟ!
ନୂଆଦିଲ୍ଲୀ, ୧୩ା୪: ବିଭିନ୍ନ ରାଜ୍ୟରେ ପୁଣି ଥରେ ବଡ଼ ଧରଣର ବିଜୁଳି ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ଘରୋଇ କୋଇଲା ଉତ୍ପାଦନ ବଢୁ ନ ଥିବା ବେଳେ ବିଦୁ୍ୟତ୍ ଚାହିଦା ବଢ଼ୁଛି । ଫଳତଃ କୋଇଲା ଆଧାରିତ ବିଦୁ୍ୟତ୍ ଉତ୍ପାଦନ କେନ୍ଦ୍ରଗୁଡିକ ଉପରେ ଅଧିକ ଚାପ ପଡ଼ୁଛି । ଅପରପକ୍ଷେ ଆନ୍ତର୍ଜାତିକ ବଜାରରେ କୋଇଲା ଏତେ ମହଙ୍ଗା ହୋଇପଡ଼ିଛି ଯେ ଆମଦାନୀ କୋଇଲାରୁ ବିଦୁ୍ୟତ୍ ଉତ୍ପାଦନ କରୁଥିବା ୟୁନିଟ୍ଗୁଡିକ ଆମଦାନୀ ବନ୍ଦ କରିଦେଇଛନ୍ତି । କେନ୍ଦ୍ରୀୟ ବିଦୁ୍ୟତ୍ ମନ୍ତ୍ରଣାଳୟ ଏ ସମ୍ପର୍କରେ ଅବଗତ ଥିବା ଜଣାପଡିଛି । ଗୁଜରାଟ, ମହାରାଷ୍ଟ୍ର, ବିହାର, ଝାରଖଣ୍ଡ, ହରିୟାଣା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବିଦୁ୍ୟତ୍ କାଟ୍ର ଅବଧି ବଢିଥିବା ଖବର ଆସିବାରେ ଲାଗିଛି । ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ବିଦୁ୍ୟତ୍ ଚାହିଦା ବଢୁଥିବାସ୍ଥଳେ କୋଇଲା ଆଧାରିତ ବିଦୁ୍ୟତ୍ କେନ୍ଦ୍ରର ଉତ୍ପାଦନସ୍ତର କ୍ରମାଗତ କମୁଛି ।
ମଙ୍ଗଳବାର ବିଦୁ୍ୟତ୍ ମନ୍ତ୍ରୀ ଆର୍ କେ ସିଂ ଆମଦାନୀ କୋଇଲା ଆଧାରିତ ଉତ୍ପାଦନ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ପକ୍ଷରୁ ଆମଦାନୀ କରାଯାଉଥିବା କୋଇଲା ସମ୍ପର୍କରେ ସମୀକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ମାସ ୧ତାରିଖ ସୁଦ୍ଧା କୋଇଲା ଆଧାରିତ ବିଦୁ୍ୟତ୍ ଉତ୍ପାଦନ କେନ୍ଦ୍ରଗୁଡିକରେ ୯.୪ ଦିନ ପାଇଁ କୋଇଲା ଥିଲା । ଏପ୍ରିଲ୍ ୧୨ ବେଳକୁ ଯୋଗାଣ କମିଯାଇଥିବା ଯୋଗୁଁ ବିଦୁ୍ୟତ୍ ଉତ୍ପାଦନ ପାଇଁ ୮.୪ଦିନ ଲାଗି କୋଇଲା ମହଜୁଦ୍ ଥିଲା । ନିୟମାନୁଯାୟୀ ଏହିସବୁ ୟୁନିଟ୍ ପାଖରେ ୨୪ ଦିନ ପାଇଁ କୋଇଲା ଷ୍ଟକ୍ ରହିବା କଥା । ଗତବର୍ଷ ଅକ୍ଟୋବର-ନଭେମ୍ବର ତୁଳନାରେ କୋଇଲା ଯୋଗାଣ ସ୍ଥିତି ଅପେକ୍ଷାକୃତ ଭଲ ଥିଲେହେଁ ପରିସ୍ଥିତି ଚିନ୍ତାଜନକ ରହିଛି ।
ଅନ୍ତର୍ରାଷ୍ଟ୍ରୀୟ ବଜାରରେ କୋଇଲା ମୂଲ୍ୟ କିଛି ଦିନ ପୂର୍ବେ ଟନ୍ ପିଛା ଥିଲା ୪୦୦ ଡଲାର । ଏବେ ତାହା ୩୦୦ ଡ଼ଲାରକୁ କମିଛି । କିନ୍ତୁ ଆମଦାନୀ କୋଇଲା ଉପରେ ନିର୍ଭରଶୀଳ । ବିଦୁ୍ୟତ୍ ଉତ୍ପାଦନ କେନ୍ଦ୍ରଗୁଡିକ ପକ୍ଷରୁ କୁହାଯାଉଛି ଯେ ଟନ୍ ପ୍ରତି ୧୫୦ ଡ଼ଲାର ଅଧିକ ଦରରେ କୋଇଲା ଦେଶକୁ ଆମଦାନୀ କରି ବିଦୁ୍ୟତ୍ ଉତ୍ପାଦନ କରିବାରେ କୌଣସି ଫାଇଦା ନାହିଁ ।
ତା’ର କାରଣ ଘରୋଇ ବଜାରକୁ ୟୁନିଟ୍ ପିଛା ୨୦ଟଙ୍କା ମୂଲ୍ୟରେ ବିଦୁ୍ୟତ୍ ବିକିବା ପାଇଁ ଅନୁମତି ମିଳିଥିଲା । ମାତ୍ର ୨୦୨୨ ଏପ୍ରିଲ୍ ପ୍ରଥମ ସପ୍ତାହରୁ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ସୀମାକୁ କମାଇ ୟୁନିଟ୍ ପିଛା ୧୨ଟଙ୍କାରେ ସୀମିତ ରଖିଛନ୍ତି ।
ଦେଶରେ ଆମଦାନୀ କୋଇଲା ଆଧାରିତ ବିଦୁ୍ୟତ୍ କେନ୍ଦ୍ରଗୁଡ଼ିକର ଉତ୍ପାଦନ କ୍ଷମତା ୧୬, ୭୩୦ ମେଗାୱାଟ୍ ।