ମୁଦ୍ରାସ୍ଫୀତି ୧୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ, ୧୨ା୪: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ପରଠାରୁ ପେଟ୍ରୋଲ୍-ଡିଜେଲ୍, ରୋଷେଇ ଗ୍ୟାସ୍, ସିଏନ୍ଜି ଓ ପିଏନ୍ଜି ମୂଲ୍ୟ ବୃଦ୍ଧି ଯୋଗୁ ମହଙ୍ଗା ପରିସ୍ଥିତି ନେଇ ଯାହା ଆଶଙ୍କା କରାଯାଉଥିଲା ତାହାହିଁ ଘଟିଲା । ଖାଦ୍ୟ-ପାନୀୟ ସାମଗ୍ରୀଠାରୁ ଆରମ୍ଭ କରି ଫଳ, ପନିପରିବା, ଜୋତା, ଚପଲ, କପଡା ସବୁକିଛି ମହଙ୍ଗା ହୋଇଛି । ଏହି କାରଣରୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ୬.୯୫ ପ୍ରତିଶତ ହୋଇଛି ଯାହା ଗତ ୧୭ ମାସରେ ସର୍ବାଧିକ । ୧୯୮୧ ମସିହାରେ ଖୁଚୁରା ମହଙ୍ଗା ହାର ଠିକ୍ ଏହି ସ୍ତରକୁ ଯିବା ଫଳରେ ସାଧାରଣ ଜନତାଙ୍କ ଆର୍ଥିକ ଚାପ ଅତ୍ୟଧିକ ହୋଇଥିଲା ।
କ୍ରମାଗତ ୩ମାସ ହେଲା ଖୁଚୁରା ମୁଦ୍ରା ସ୍ଥିତି ୬ ପ୍ରତିଶତ ଉପରେ ରହୁଛି । ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ୨୦୨୨-୨୩ ଆର୍ଥôକ ବର୍ଷର ପ୍ରଥମ ମୁଦ୍ରା ନୀତି ଘୋଷଣା କରିବା ଅବସରରେ ମହଙ୍ଗା ସ୍ଥିତିର ଆକଳନ କରି କହିଥିଲା ମହଙ୍ଗା ହାର ପ୍ରଥମ ତ୍ରିମାସରେ ୬.୩%, ଦ୍ୱିତୀୟ ତ୍ରିମାସରେ ୫%, ତୃତୀୟରେ ୫.୪% ଓ ଚତୁର୍ଥ ତ୍ରିମାସରେ ୫.୧% ରହିବ ।
ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ପୀତି ହାର ମାର୍ଚ୍ଚରେ ଅତିଶୟ ବୃଦ୍ଧି ପାଇ ୬.୯୫% ପ୍ରତିଶତରେ ପହଞ୍ଚôଛି । ଚଳିତବର୍ଷ ଫେବ୍ରୁଆରୀରେ ଏହି ହାର ଥିଲା ୬.୦୭%, ଜାନୁଆରୀରେ ଥିଲା ୬.୧% । ୨୦୨୧ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ୫.୫୨% ହୋଇଥିଲା । ଚଳିତବର୍ଷ ମାର୍ଚ୍ଚରେ ଖାଦ୍ୟ ପାନୀୟ ସାମଗ୍ରୀର ମହଙ୍ଗା ହାର ୭.୬୮ ପ୍ରତିଶତ ହୋଇଛି । ମାର୍ଚ୍ଚରେ ସହରାଞ୍ଚଳରେ ଏହା ସବୁଠୁ ବେଶୀ ବଢ଼ିଛି । ଯେହେତୁ ମାର୍ଚ୍ଚରେ ଖଚୁରା ମୁଦ୍ରାସ୍ପୀତି ଏତେ ଉଚ୍ଚ ସ୍ତରକୁ ଯାଇଛି, ଆଗକୁ ଏହି ଧାରା ଜାରି ରହିବା ଆଶଙ୍କା ପ୍ରକାଶ ପାଇବା ସ୍ୱଭାବିକ । କାରଣ ଏପ୍ରିଲ୍ରେ ମଧ୍ୟ ପେଟ୍ରୋଲ୍-ଡିଜେଲ୍ ଓ ପ୍ରାକୃତିକ ଗ୍ୟାସର ମୂଲ୍ୟ ବଢ଼ାଇ ଦିଆଯାଇଛି । ମେ’ ମାସରେ ଏପ୍ରିଲ୍ର ମହଙ୍ଗା ହାର ଜଣାପଡ଼ିବ ।
ମାର୍ଚ୍ଚ-ଏପି୍ରଲ୍ରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହାର ଏହିପରି: ଖାଇବା ତେଲ- ୧୮.୭୯%, ପରିବା- ୧୧.୬୪, ମାଛ ଓ ମାଂସ- ୯.୬୩%, କପଡ଼ା ଓ ଜୋତାଚପଲ- ୯.୪୦%, ଇନ୍ଧନ- ୭.୫୨%, ମସଲା- ୫.୬୨%, ଖାଦ୍ୟଶସ୍ୟ – ୪.୯୩%, କ୍ଷୀର-୪.୭୧%, ଫଳ- ୨.୫୪%, ଡାଲି- ୨.୫୭%, ଅଣ୍ଡା- ୨.୪୪% ।
ମହଙ୍ଗା ହାର ମାସକୁ ମାସ ବଢ଼ିବାର ଫଳ ସ୍ୱରୂପ ସୁଧହାର ବୃଦ୍ଧି ପାଇବ । କାରଣ ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢ଼ାଇବାକୁ ବାଧ୍ୟ ହେବ । ରେପୋ ରେଟ୍ ଅନୁସାରେ ଋଣର ସୁଧ ହାର ସ୍ଥିର କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଅଶୋଧିତ ପେଟ୍ରୋଲିୟମ୍, କମୋଡିଟି, ଉତ୍ପାଦିତ ସାମଗ୍ରୀ ୨୯୯ ସାମଗ୍ରୀର ମୂଲ୍ୟ ଆଧାରରେ ଖୁଚୁରା ମୁଦ୍ରାସ୍ପୀତି ହାର ଜଣାପଡ଼ିଥାଏ ।
ପୃଥିବୀ ସାରା ମୁଦ୍ରାସ୍ପୀତି ଜାଣିବା ପାଇଁ କେବଳ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)କୁ ସ୍କେଲ୍ ରୂପେ ବ୍ୟବହାର କରାଯାଏ । କିନ୍ତୁ ଭାରତରେ ଉଭୟ ଡବ୍ଲୁପିଆଇ ଓ ସିପିଆଇକୁ ଆଧାର ଭାବେ ଗ୍ରହଣ କରାଯାଏ । ରିଜର୍ଭ ବ୍ୟାଙ୍କ ମଧ୍ୟ ଖୁଚୁରା ମହଙ୍ଗା ହାରକୁ ମୁଖ୍ୟ ମାନକ ରୂପେ ଗ୍ରହଣ କରିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *