୩୬ ଘଣ୍ଟା ପରେ ମିଳିଲା ତୃତୀୟ ଶବ

ମହାନଦୀରେ ନିଖୋଜ ହେବା ଘଟଣା
କଟକ-ଜଗତପୁର(ବୁ୍ୟରୋ): ଜଗତପୁର ଥାନା ଯୋବ୍ରା ବ୍ୟାରେଜ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟ ମହାନଦୀରୁ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତକ ହେଲେ ରାଜ ଓରଫ ସିଦ୍ଦିକ (୧୭) । ପୁଲିସ ମୃତଦେହକୁ ଜବତ କରି କଟକ ବଡ ଡାକ୍ତରଖାନାକୁ ପଠାଇବା ସହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନାଯୋଗ୍ୟ, ଗତ ରବିବାର ଚାରିଘରିଆ ଚୂନଭାଟି ଗଳିର ୩ ଜଣ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ସାଙ୍ଗ ସାହିଲ, ସିଦ୍ଦିକ ଓ ଆୟୋର ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଘଟଣା ଦିନ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସାହିଲ ଖାନକୁ ଗୁରୁତର ଅବସ୍ଥାରେ ନଦୀପାଣିରୁ ଉଦ୍ଧାର କରାଯାଇ ଏସସିବିକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ସୋମବାର ଦିନ ୧ଟା ବେଳେ ଉଦ୍ଧାରକାରୀ ଟିମଙ୍କ ଦ୍ୱାରା ଛୋଟୁ ଓରଫ ଆୟୋର ଖାନର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ ସର୍ଚ୍ଚ ଅପରେସନ ବନ୍ଦ ରହିଥିଲା ବେଳେ ଆଜି ପୁଣି ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସକାଳ ୬ଟା ୪୫ରେ ଗୁରୁଦ୍ୱାର ପଛପଟ ମହାନଦୀରୁ ମହମ୍ମଦ ସିଦ୍ଦିକଙ୍କ ପ୍ୟାଣ୍ଟ ଉପରେ ଭାସୁଥିବା ନଜରକୁ ଆସିଥିଲା । ନଦୀର ଗଭୀର ସ୍ରୋତରେ ସିଦ୍ଦିକ ଭାସିଯାଇ ପ୍ରାୟ ୧ କି.ମି ଦୂରରୁ ଓଡ୍ରାଫ ଟିମ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ଏଥିପାଇଁ ଉଦ୍ଧାରକାରୀ ଟିମକୁ ପ୍ରାୟ ୩୬ ଘଣ୍ଟାର କସରତ କରିବାକୁ ପଡିଥିଲା ।
ତେବେ ଏଭଳି ଘଟଣାର ପୁନରାବୃତ୍ତି ନହେବା ଲକ୍ଷ୍ୟରେ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଖୁବଶୀଘ୍ର ଏକ ବୈଠକ ଆୟୋଜନ ପାଇଁ ନିଷ୍ପତ୍ତି କରାଯାଇଛି । ଅନ୍ୟପକ୍ଷରେ ମହାନଦୀରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଫଳକ ଲଗାଯାଇଥିଲେ ସୁଦ୍ଧା ବ୍ୟାରେଜ ଫାଟକ ଖୋଲାଯିବା ସମୟରେ ନଦୀରେ ପ୍ରଖର ସ୍ରୋତ ରହିଥାଏ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ତଥା ନଦୀକୂଳିଆ ଅନେକ ଲୋକେ ଗାଧୋଇବା ସମୟରେ ମହାନଦୀରେ ଭାସିଯାଇ ମୃତୁ୍ୟବରଣ କରୁଛନ୍ତି । ଏଥିପାଇଁ ବ୍ୟାରେଜ ଫାଟକ ନିକଟବର୍ତ୍ତୀ ସ୍ଥାନରେ ଗାଧୋଇବା ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଠାରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *