ଶବ ରଖି ରାସ୍ତା ଅବରୋଧ

ନୀଳଗିରି (ଆପ୍ର): ନୀଳଗିରି ସହରର ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ବନବିଭାଗ ଦ୍ୱାରା ପ୍ରଶାସନ ପକ୍ଷରୁ ଗଛ କଟାଯାଉଥିବା ବେଳେ ଡାଳ ପଡ଼ି ଗୁରୁତର ହୋଇଥିବା ବରିସାହିର ଯୁବକ ହରିହର ପୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । କ୍ଷତି ପୂରଣ ଦାବିରେ ମଙ୍ଗଳବାର ପରିବାର ଓ ଗାଁ ଲୋକେ ଶେରଗଡ଼ ନୀଳଗିରି ମୁଖ୍ୟ ରାସ୍ତାକୁ ବାଇପାସ୍ଠାରେ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।
ପ୍ରକାଶ ଯେ, ବରିସାହିର ଚେମା ପୋଇଙ୍କ ୨୨ ବର୍ଷୀୟ ପୁଅ ହରିହର ନୀଳଗିରି ବଜାରରେ ଥିବା ଗୋଟିଏ ଲୁଗା ଦୋକାନରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସ ତିନି ତାରିଖ ଦିନ ସେ ଘରକୁ ଫେରିବା ସମୟରେ ବନବିଭାଗ ପକ୍ଷରୁ କଟାଯାଉଥିବା ଗୋଟିଏ ବଡ଼ ନିମ୍ବ ଗଣ୍ଡି ହରିହରଙ୍କ ଉପରେ ପଡ଼ି ଯାଇଥିଲା । ଏଥିରେ ହରିହର ମୁଣ୍ଡ ଫାଟି ଯିବା ସହିତ କାନ ଓ ନାକ ଦେଇ ରକ୍ତ ବାହାରି ଥିଲା । ଚେତାଶୂନ୍ୟ ଅବସ୍ଥାରେ ତାକୁ ନୀଳଗିରି ଓ ପରେ ଭୁବନେଶ୍ୱରସ୍ଥିତ ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିଲା । ଦୀର୍ଘ ଦିନ ଚିକିତ୍ସା ଓ ଚାରିଟା ଗୁରୁତ୍ୱପୂର୍ଣ୍ଣ ଅପରେସନ ସହିତ ଦଶଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ପରେ ଗତ ଏଗାର ତାରିଖ ଭୋର ସମୟରେ ହରିହରଙ୍କ ମୃତୁ୍ୟ ହୋଇଥିଲା ।
ମୃତ ହରିହରଙ୍କ ବାପା ନୀଳଗିରି ବଜାରରେ ସାଇକେଲ୍ ମରାମତି ଦୋକାନ କରି ଚଳୁ ଥିଲେ । ଏତେ ଟଙ୍କା ଖର୍ଚ୍ଚ କରି ସେ ତଳିତଳାନ୍ତ ହୋଇଥିବାରୁ ସରକାରୀ ସହାୟତା ଦାବି କରି ରାସ୍ତା ଅବରୋଧ କରିଥିଲେ । ଏନ୍ଏସି ପକ୍ଷରୁ ଗୋଟିଏ ଦୋକାନ ଘର ଯୋଗାଇଦେବା ସହିତ ସବୁଜବାହିନୀରେ ଅସ୍ଥାୟୀ ନିଯୁକ୍ତି ସାଙ୍ଗକୁ ରେଡ୍କ୍ରସ୍ ପକ୍ଷରୁ ଦଶ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଅବସ୍ଥା ଶାନ୍ତ ପଡ଼ିଥିଲା । ଶୋକସନ୍ତପ୍ତ ପରିବାରକୁ ବିଭିନ୍ନ ମହଲରୁ ସମବେଦନାର ସୁଅ ଛୁଟିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *