ଏ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ

ଭୁବନେଶ୍ୱର,୧୨ା୪(ବୁ୍ୟରୋ): ଦେଶରେ ଏଥର ସ୍ୱାଭାବିକ ହେବ ବର୍ଷା । ବିଭିନ୍ନ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଏଥର ମୌସୁମୀ ଯଥା ସମୟରେ ଆସିବା ସହ ସ୍ୱାଭାବିକ୍ ବର୍ଷା ହେବ । ଗତ ଥର ଅପେକ୍ଷା ଏଥର ବର୍ଷାର ପରିମାଣ ଭଲ ରହିବ । ବର୍ଷା କାରଣରୁ ଭଲ ଫସଲ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଆକଳନ କରାଯାଇଛି ।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ । ହାରାହାରି ଦୀର୍ଘ ମିଆଦୀ (ଏଲ୍ପିଏ) ଅନୁଯାୟୀ ସ୍ୱାଭାବିକ ବର୍ଷା ୯୮% ରହିବାର ସମ୍ଭାବନା ରହିଛି । ତେବେ ଏହାର ୫% ଉପରତଳ ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି । ଏଲ୍ପିଏ ଅନୁଯାୟୀ ଜୁନ୍ରୁ ସେପ୍ଟେମ୍ବର ୪ ମାସ ମଧ୍ୟରେ ମୌସୁମୀ ଜନିତ ବର୍ଷା ପାଖାପାଖି ୮୮୧ ମିଲିମିଟର ହୋଇପାରେ । ଦେଶରେ ଯଦି ୯୬ରୁ ୧୦୪ % ବର୍ଷା ହୁଏ ତାହାହେଲେ ସ୍ୱାଭାବିକ ମୌସୁମୀ କୁହାଯିବ । ତେବେ ପଞ୍ଜାବ, ହାରିଆଣା, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତ ସମେତ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ଜୁନ୍ ମାସରେ ୧୦୭% ବର୍ଷା ହେବାକୁ ଥିବାବେଳେ ଜୁଲାଇରେ ଏହା ଶତପ୍ରତିଶତ ବର୍ଷା ଲାଗି ଆକଳନ କରାଯାଇଛି । ସେହିଭଳି ଅଗଷ୍ଟରେ ସାରା ଭାରତରେ ୯୫% ବର୍ଷା ଏବଂ ସେପ୍ଟେମ୍ବର ୯୦% ବର୍ଷା ହେବାର ଆକଳନ କରିଛି ସ୍କାଏମେଟ୍ । ନୂଆଦିଲ୍ଲୀରେ ସ୍ୱାଭାବିକ ଭାବେ ବର୍ଷା ହେବ । ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀର ପ୍ରଭାବ ଜାରି ରହିବ । ଏହାରି ଭିତରେ କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ମଧ୍ୟ ଆକଳନ କରାଯାଇଛି । ରାଜସ୍ଥାନ, ଗୁଜରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଥିବା ସ୍କାଏମେଟ୍ କହିଛି । ଏହାସହ କେରଳ ଓ କର୍ଣ୍ଣାଟକର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *