ହ୍ରାସ ପାଉଛି ବନଜାତ ଦ୍ରବ୍ୟର ମୂଲ୍ୟ, ଚିନ୍ତାରେ ବନବାସୀ
ଫୁଲବାଣୀ (ସୁନିଲ ବିଶ୍ୱାଳ): ପ୍ରାକୃତିକ ସୌନ୍ଦର୍ଯ୍ୟଭରା କନ୍ଧମାଳ ଜିଲ୍ଲା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଗିରିକାନନ ଘେରା ସବୁଜ ପରିବେଷ୍ଟିତ ଏହି ଅଞ୍ଚଳରେ ଅଧିବାସୀମାନେ ଅଭିଶପ୍ତ ଜୀବନ ଯାପନ କରୁଛନ୍ତି । ଜିଲ୍ଲାରେ ନାହିଁ ନଦୀ, ନାଳ, କିମ୍ବା ଜଳସ୍ରୋତ । ବର୍ତ୍ତମାନର ଫେସ୍ବୁକ୍, ହ୍ୱାଟ୍ସଅପ୍ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଘର କରିବାକୁ ଉଦ୍ୟମ କରୁଥିବାବେଳେ ଏହି ଅଞ୍ଚଳରେ ବର୍ଷବର୍ଷ ଧରି ଜୀବନ ବିତାଇ ଆସୁଥିବା ଜନଜାତି ଓ ଉପ ଜନଜାତି ବିଦୁ୍ୟତ ୍ବ୍ୟବହାର କରିବା ଶୈଳୀ ଜାଣି ପାରୁନାହାନ୍ତି । ଯାତାୟତ ଅସୁବିଧା ଯୋଗୁଁ ଅନେକ ଗାଁ ଏବେବି ଅନ୍ଧାରରେ ।
ଅଧିବାସୀ କେବଳ ଋତୁ ଅନୁସାରେ ଚାଷ କରିଥାନ୍ତି । ବର୍ଷା ନ ହେଲେ ଚାଷକାମ ଅଚଳ । ଚାଷ ଉପରେ ନିର୍ଭର କରି ଚଳୁଥିବା ପରିବାର ଋତୁ ଅନୁସାରେ ବିଭିନ୍ନ କିସମର ଫଳ, ପରିବା ଚାଷ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ପାହାଡ଼ ଭାଙ୍ଗି ପ୍ରସ୍ତୁତ କରିଥିବା ଜମିରେ ବିଭିନ୍ନ ପ୍ରକାର ଫଳ, ପରିବା ଚାଷକରି ଗୁଜୁରାଣ ମେଣ୍ଟାଇଥାନ୍ତି । ପାହାଡିଆ ଜମିରେ କାନ୍ଦୁଲ, କୋଳଥ ମାଣ୍ଡିଆ, କୁଇଲି, ମକାବିରି, ମୁଗଜନା ପ୍ର୍ଭୃତି ଅମଳ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ବନବାସୀମାନେ ଜଙ୍ଗଲରୁ ମିଳୁଥିବା ଶିଆଳିପତ୍ର ଫଳ, ବାଉଁଶ, ବାଉଁଶରେ ବିଭିନ୍ନ ପ୍ରକାର କନ୍ଦମୂଳ ଶାଳପତ୍ର, ଛତୁ ଓ ଜାଲେଣି ସଂଗ୍ରହକରି ବିକ୍ରୟକରନ୍ତି । ନିକଟସ୍ଥ ଜଙ୍ଗଲରେ ଗଛ କାଟି ବଡ଼ବଡ଼ କାଠଗଣ୍ଡିକୁ ଛୋଟଛୋଟ କରି ନିକଟରେ ଥିବା ବଜାରକୁ ବିକ୍ରୟ ପାଇଁ ଆସନ୍ତି । ବର୍ତ୍ତମାନ ଅଧିକାଂଶ ଲୋକ କାଠ ଚୂଲା ଅପେକ୍ଷା ଗ୍ୟାସ୍ ଚୁୂଲା ବ୍ୟବହାର କରିବାକୁ ପସନ୍ଦ କରୁଥିବାରୁ ଜଳେଣି କାଠର ମୁଲ୍ୟ ହ୍ରାସ ପାଉଛି । ସେହିପରି କାନ୍ଦୁଲ, ବିରି, ମୁଗ, ଝୁଡଙ୍ଗ, ମାଣ୍ଡିଆ, କଳକା, ମକାକୁଇଲି ମଧ୍ୟ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଲାଣି । ଜଙ୍ଗଲ ସଫାକରି ଅନାବନା ଗଛ କାଟି ପୋଡୁ ପ୍ରଣାଳୀ ଅନୁସାରେ ପଥୁରିଆ ମାଟିକୁ ଚାଷ ଉପାଯୋଗୀ କରି ଚାଷ କାମ ଆରମ୍ଭ କରିବାକୁ ପଡ଼େ ।
ଏହି ପ୍ରଣାଳୀରେ ଚାଷ କରିବାକୁ ହେଲେ ମାସାଧିକ ସମୟ ଦରକାର । ସବୁପରେ ବି ପାଗ ଅନୁକୂଳ ନ ଦେଲେ ସବୁକିଛି ଫସର ଫାଟିଯାଏ । ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ଜଙ୍ଗଲରେ କୈାଣସି ଚାଷ କରିବା ଅସମ୍ଭବ ହୋଇପଡିଛି । କିଛି ବର୍ଷତଳେ କନ୍ଧମାଳର ଫଳ, ଫୁଲ, ଛତୁ, ପରିବା, କାନ୍ଦୁଲ, ବିରି, ମୁଗ, ଝୁଣାର ବେଶ୍ ଚାହିଦା ଥିବାବେଳେ ଆଜିର ଦିନରେ ସେସବୁର ସେତେଟା ଆଦର ନାହିଁ । ବନଜାତ ଦ୍ରବ୍ୟର ମୁଲ୍ୟ ହ୍ରାସ ବନବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଯୋଜନା କଲେ ବନବାସୀ ପରିବାର ଉପକୃତ ହୋଇ ପାରନ୍ତେ ।