କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ
ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଗତକାଲି ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ଗତକାଲିଠୁ ଯୋଡ଼ା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ଯୋଡ଼ାରେ ଏବେ ପରିସ୍ଥିତି ଶାନ୍ତ ଥିବାରୁ ୧୪୪ ଧାରାକୁ କୋହଳ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରାମନବମୀ ଅବସରରେ ଯୋଡ଼ାରେ ଆଖଡ଼ା ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ପୁଲିସ୍ ସେମାନଙ୍କୁ ଯିବାକୁ ଅନୁମତି ଦେଇ ନ ଥିଲା । ଗତକାଲି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ । ପୁଲିସ ସେମାନଙ୍କୁ ବାରଣ କରିଥିଲା । ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ । ଗତକାଲି ଅପରାହ୍ଣରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷରୁ ଭଙ୍ଗାରୁଜା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା । ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିଲେ । ଉତ୍ତେଜନା ବଢ଼ୁଥିବା ଦେଖି ଗତକାଲି ସନ୍ଧ୍ୟା ସାଢ଼େ ୫ଟାରୁ ଯୋଡ଼ାରେ ୧୪୪ ଧାରା ଜାରି କରାଯାଇଥିଲା । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।