ଗ୍ରାମବାସୀଙ୍କ ଦାୟିତ୍ୱରେ ଖୋଲିଲା ସ୍କୁଲ
କୋଭିଡ୍ କଟକଣା କୋହଳ ପରେ ଖୋଲିଲାନି
ନିଆଳି(ଆପ୍ର): ବିଦ୍ୟାଳୟ ଅଛି,ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଅଛନ୍ତି ହେଲେ ଶିକ୍ଷକ ନ ଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଖୋଲାଯାଇଛି ବିଦ୍ୟାଳୟ । ଏଭଳି ଏକ ଘଟଣା ଘଟିଛି ନିଆଳି ବ୍ଲକ ଦିନାସିଂହପାଟଣା ଉପ୍ରା ବିଦ୍ୟାଳୟରେ । ନିଆଳି ବ୍ଲକ ଅଧିନ ସ୍ଥାନୀୟ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟ ସୋମବାର ଦିନ ଗ୍ରାମବାସୀଙ୍କ ଦାୟିତ୍ୱରେ ଖୋଲାଯାଇଥିବା ଦେଖିବାକୁ ମିଳିଛି ।
କୋଭିଡ୍ କଟକଣା ଯୋଗୁଁ ବିଦ୍ୟାଳୟ ଗୁଡିକରେ ପାଠପଢା ବ୍ୟାହତ ହୋଇ ଗତ ମାର୍ଚ୍ଚ ୨୮ ତାରିଖରୁ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲା ଯାଇଥିବା ବେଳେ ଏହି ବ୍ଲକ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇଥିଲେ । ଫଳରେ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୨୦ରେ ସରକାରଙ୍କ ଶିକ୍ଷା ବିଭାଗ ପତ୍ରସଂଖ୍ୟା ୨୭୬୨ ଆଦେଶନାମା ଅନୁଯାୟୀ ଏହି ବ୍ଲକରେ ୨୦ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୨୫ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା,୨୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧ କି.ମି ଦୂରତା ମଧ୍ୟରେ ୧୪ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବା ଓ ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ଏମ୍.ଇ.ସ୍କୁଲରୁ ୟୁ.ପି ସ୍କୁଲକୁ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା । ମାତ୍ର ୧ କିମି ଦୂରତା ମଧ୍ୟରେ ଥିବା ୧୪ଟି ବିଦ୍ୟାଳୟ ମଧ୍ୟରୁ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟକୁ ନିଆଳି ସରକାରୀ ବିଦ୍ୟାଳୟରେ ମିଶ୍ରଣ ପାଇଁ ଆଦେଶାନାମା ଥିଲା । ଉକ୍ତ ବିଦ୍ୟାଳୟକୁ ଅଧିକ ଦୂରତା ଦେଖାଇବା ସହ ନ ମିଶାଇବା ପାଇଁ ଗ୍ରାମବାସୀମାନେ ଏହାର ପ୍ରତିବାଦ କରି ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇ ଗତ ନଭେମ୍ବର ମାସରେ ବ୍ଲକ ବିଡିଓଙ୍କୁ ଏକ ରିପୋର୍ଟ ମଗାଯାଇଥିଲା । ଗ୍ରାମବାସୀଙ୍କ ଦାବି ଯଥାର୍ଥ ଓ ଉକ୍ତ ବିଦ୍ୟାଳୟ ମିଶ୍ରଣ କିମ୍ବା ବନ୍ଦ ନ ହେବା ପାଇଁ ବିଡିଓ ରିପୋର୍ଟ ଦେଇଥିଲେ । କିନ୍ତୁ କୋଭିଡ୍ କଟକଣା ପରେ ଫେବୃୟାରୀ ୨୪ ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲିଥିବା ବେଳେ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟ ସେବେଠାରୁ ବନ୍ଦ ରହିଥିଲା । ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନ୍ୟ କୌଣସି ବିଦ୍ୟାଳୟକୁ ଯାଇ ନ ଥିବାରୁ ସେମାନେ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଶନିବାର ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଗ୍ରାମବାସୀମାନେ ଶିକ୍ଷାଦାନ ନିଜ ହାତକୁ ନେଇ ସୋମବାର ବିଦ୍ୟାଳୟ ଖୋଲାଯାଇଥିଲା । ଏଥିରେ ୫ଟି ଶ୍ରେଣୀ ପାଇଁ ୩୬ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନାମଣି ସିଂହ, ଜ୍ୟୋସôାରାଣୀ ସିଂହ ଓ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସିଂହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଫୁଲଚନ୍ଦନ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଯୁବକ ଯୁବତୀମାନେ ପାଳି କରି ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିପାରିବେ । ଏଥିସହ ଏହି ବିଦ୍ୟାଳୟକୁ ଯଥାଶୀଘ୍ର ପାଠ୍ୟ ଉପକରଣ ଓ ଶିକ୍ଷକ ଯୋଗାଇ ନ ଦେଲେ ଗ୍ରାମବାସୀଙ୍କ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷାବିଭାଗ ଅଧିକାରିଣୀ ପ୍ରତିମା ମହାନ୍ତିଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଦୁଇବର୍ଷ ହେବ ବିଦ୍ୟାଳୟ ବନ୍ଦ ଥିଲା, ଉକ୍ତ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ପକ୍ଷରୁ କୌଣସି ଚିଠି ଆସିନାହିଁ । ଘଟଣା ସମ୍ପର୍କରେ ସେ ବିଭାଗୀୟ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିବା କହିଛନ୍ତି ।