ଗିରଫଦାରୀ ଓ ମାମଲା ସଂଖ୍ୟା ବଢ଼ିଛି
ଅବକାରୀ ଧରପଗଡ଼ରେ ରେକର୍ଡ
ଭୁବନେଶ୍ୱର/ ବ୍ରହ୍ମପୁର (ବୁ୍ୟରୋ): ରାଜ୍ୟ ଅବକାରୀ ବିଭାଗର ବ୍ୟାପକ ଧରପଗଡ ଓ ଚଢ଼ଉ ଯୋଗୁଁ ୨୦୨୧-୨୨ ବର୍ଷରେ ଜବତ ସାମଗ୍ରୀ ସହିତ ମାମଲା ସଂଖ୍ୟା ଓ ଗିରଫ ସଂଖ୍ୟା ପୂର୍ବବର୍ଷ ତୁଳନାରେ ବଢିଛି । ବର୍ଷକ ମଧ୍ୟରେ ଜବତ ସାମଗ୍ରୀ ସଂଖ୍ୟା ୮୭ ପ୍ରତିଶତରୁ ଅଧିକ ବଢିଛି । ସେହିପରି ରୁଜୁ ହୋଇଥିବା ମାମଲା ସଂଖ୍ୟା ୫୮ ପ୍ରତିଶତ ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।
ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ରେ ମଙ୍ଗଳବାର ୨୦୨୧-୨୨ ବର୍ଷରେ ହୋଇଥିବା ଅବକାରୀ ଧରପଗଡ଼ର ସମୀକ୍ଷାରୁ ଏହା ଜଣାପଡିଛି । ୨୦୨୧-୨୨ ବର୍ଷର ଜବତ ସାମଗ୍ରୀର ପରିମାଣ ୧୩୩ କୋଟି ଟଙ୍କା ରହିଛି । ବର୍ଷକରେ ଜବତ ସାମଗ୍ରୀର ସଂଖ୍ୟା ୮୭.୩୨% ବଢିଛି ।
୨୦୨୧-୨୨ ବର୍ଷରେ ରେକର୍ଡ ସଂଖ୍ୟକ ୩୯,୭୪୧ ମାମଲା ରୁଜୁ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୫୮ ପ୍ରତିଶତରୁ ଅଧିକ । ୨୦୨୦-୨୧ ବର୍ଷରେ ରୁଜୁ ମାମଲା ସଂଖ୍ୟା ୨୫,୦୭୦ ରହିଥିଲା । ୨୦୨୧-୨୨ ରେ ୩୨,୭୭୦ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଯାହା ପୂର୍ବବର୍ଷ ତୁଳନାରେ ୭୦ ପ୍ରତିଶତରୁ ଅଧିକ ରହିଛି । ପୂର୍ବବର୍ଷ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୯,୨୪୩ ଥିଲା । ନକଲି ବିଦେଶୀ ମଦ ଓ ଟିକସ ଫାଙ୍କି ବିଦେଶୀ ମଦ ଜବତରେ ଗୋଟିଏ ବର୍ଷରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି । ଜବତ ହୋଇଥିବା ଟିକସ ଫାଙ୍କି ବିଦେଶୀ ମଦରେ ୭୩୯୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ନକଲି ବିଦେଶୀ ମଦ ଜବତ କ୍ଷେତ୍ରରେ ୨୪୪୯% ବୃଦ୍ଧି ଘଟିଛି ।
ଗଞ୍ଜେଇ, ଅଫିମ, ବ୍ରାଉନ ସୁଗର ଓ କଫ ସିରପ ଆଦିର ଜବତ ପରିମାଣ ବଢିବା ସହିତ ଏଥିରେ ଜଡିତ ଲୋକଙ୍କ ଗିରଫଦାରୀ ସଂଖ୍ୟା ବଢି ବଢିଛି । ଜବତ କରାଯାଇଥିବା ଗଞ୍ଜେଇ ପରିମାଣ ୭୭ ପ୍ରତିଶତ ବଢ଼ିଛି । ବ୍ରାଉନସୁଗାର ପରିମାଣ ୨୧୯ ପ୍ରତିଶତ, ଅଫିମ ପରିମାଣ ୯୨୭ ପ୍ରତିଶତ ବୃଦ୍ଧିପାଇଛି । ଏସବୁ ମାରାତ୍ମକ ନିଶାଦ୍ରବ୍ୟ କାରବାର ମାମଲାରେ ୭୬୯ଜଣଙ୍କୁ ଗିରଫ କରାଯାଇଛି ।
ଡ୍ରୋନ ଦ୍ୱାରା ଠାବ କରାଯିବାରୁ ଗଞ୍ଜେଇ ଚାଷରେ ଏକ ପ୍ରକାର ବ୍ରେକ୍ ଲାଗିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୩,୨୯,୧୪,୦୩୨ ଗଞ୍ଜେଇ ଗଛ ନଷ୍ଟ ହୋଇଥିବାବେଳେ ପୂର୍ବବର୍ଷ ଏହା ୩,୨୫,୦୩,୬୬୪ ରହିଥିଲା । କନ୍ଧମାଳ, ବୌଦ, ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବେଆଇନ୍ ନିଶା କାରବାର ବିରୁଦ୍ଧରେ କଠୋର ପଦକ୍ଷେପ ନେବା ନିମିତ୍ତ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅବକାରୀ ବିଭାଗର ଉପ କମିଶନର, ସୁପରିଣ୍ଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।