ଶୁଝିପାରିବନି ବିଦେଶୀ ଋଣ
ବକେୟା ପୈଠକୁ ସାମୟିକ ରଦ୍ଦ କଲା ଶ୍ରୀଲଙ୍କା
କଲମ୍ବୋ (ଏଜେନ୍ସି): ଦିନକୁ ଦିନ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟଜନିତ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଦେଶରେ ଖାଦ୍ୟ ଓ ଅତ୍ୟାବାଶ୍ୟକ ସାମଗ୍ରୀର ବର୍ଦ୍ଧିତ ଦରଦାମ୍ରେ ଅତିଷ୍ଠ ହୋଇ ବହୁୂ ଦେଶବାସୀ ଦେଶଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । ଅନ୍ୟପକ୍ଷେ ଶ୍ରୀଲଙ୍କା ସରକାରଙ୍କ ଉପରେ ଏବେ ବିଦେଶୀ ଋଣ ପରିଶୋଧ କରିବା ନେଇ ଚାପ ବଢ଼ିବାରେ ଲାଗିଛି । ଚୀନ୍ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରଙ୍କ ଠାରୁ ଶ୍ରୀଲଙ୍କା ପ୍ରାୟ ୫୧ ନିୟୁତ କୋଟି ଡଲାର ଋଣ କରିଛି । ଏହି ଋଣ ଶୁଝିବା ଏବେ ଶ୍ରୀଲଙ୍କା ପକ୍ଷେ ସମ୍ଭବ ହୋଇପାରୁନାହିଁ । ତେବେ ଏସବୁ ମଧ୍ୟରେ ଶ୍ରୀଲଙ୍କା ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ କିସ୍ତି ଆକାରରେ କିଛି କିଛି ବିଦେଶୀ ଋଣ ଶୁଝିବାକୁ ଚିନ୍ତା କରିଥିଲେ । ତେବେ ମଙ୍ଗଳବାର ସରକାର ଏହି ନିଷ୍ପତ୍ତିରୁ ଓହରିଯାଇଛନ୍ତି । ବର୍ତ୍ତମାନ ସମୟରେ ବିଦେଶୀ ଋଣ ପୈଠ ପ୍ରକ୍ରିୟାକୁ ସାମୟିକ ଭାବେ ରଦ୍ଦ କରିଛନ୍ତି ଶ୍ରୀଲଙ୍କା ସରକାର ।
ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଦେଶୀ ମୁଦ୍ରାକୋଷରେ ପାଣ୍ଠିର ଅଭାବ ଯୋଗୁ ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ସରକାର ଏବେ ଏହାର ସମାଧାନ କରିବା ଦିଗରେ ଚିନ୍ତା କରୁଛନ୍ତି । ସୁତରାଂ ବର୍ତ୍ତମାନ ସମୟରେ ବିଦେଶୀ ଋଣ ପରିଶୋଧ ଅପେକ୍ଷା ବିଦେଶୀ ମୁଦ୍ରାକୋଷରେ ପାଣ୍ଠି ଠୁଳ କରିବା ଶ୍ରୀଲଙ୍କା ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛି । ବିଦେଶୀ ମୁଦ୍ରାକୋଷରେ ପାଣ୍ଠି ଅଭାବ ଯୋଗୁ ଏବଂ ଋଣ ପରିମାଣ ଅତିରିକ୍ତ ହୋଇଯିବା ଯୋଗୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ଶ୍ରୀଲଙ୍କାକୁ ଋଣ ମଞ୍ଜୁର କରିବାକୁ ପଛଘୁଞ୍ଚା ଦେଉଛି । ଶ୍ରୀଲଙ୍କା ଏବେ ଦେବାଳିଆ ଘୋଷିତ ହେବା ପରିସ୍ଥିତିର ଦ୍ୱାରଦେଶରେ ଉପନୀତ ହୋଇଛି । ବକେୟା ଋଣ ଶୁଝିବା ପାଇଁ ଋଣ ଦେଇଥିବା ରାଷ୍ଟ୍ରମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ ନଚେତ୍ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବାକୁ ହେବ ବୋଲି ସେ କହିଛନ୍ତି । ସେହିପରି ଦେଶରେ ଯାହା ଅର୍ଥ ଅଛି ସେସବୁକୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ପେଟ୍ରୋଲ, ଡିଜେଲ୍ ଭଳି ସାମଗ୍ରୀର ଆମଦାନୀ ପାଇଁ ବ୍ୟବହାର କରାଯିବ ବୋଲି ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନନ୍ଦଲାଲ ବୀରସିଙ୍ଘେ କହିଛନ୍ତି । ଅନ୍ୟପଟେ ଶ୍ରୀଲଙ୍କା ସରକାର ଆଇଏମ୍ଏଫ୍ ସହ ବେଲ୍ଆଉଟ୍ ପ୍ୟାକେଜ ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ପ୍ରକାଶ ଗତ ବର୍ଷ ସୁଦ୍ଧା ଶ୍ରୀଲଙ୍କାର ମୋଟ୍ ବିଦେଶୀ ଋଣ ୩,୫ଠଠ କୋଟି ଡଲାର ଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ଏହା ଅତିରିକ୍ତ ୧,୬ଠଠ କୋଟି ଡଲାରକୁ ବୃଦ୍ଧି ପାଇଛି ।
ଚୀନ୍ ଠାରୁ କରିଥିବା ଋଣ ଯୋଗୁ ଶ୍ରୀଲଙ୍କାରେ ଆଜି ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିବା ଅର୍ଥନୀତିଜ୍ଞମାନେ ଦର୍ଶାଇଆସୁଛନ୍ତି । ସୁତରାଂ ଶ୍ରୀଲଙ୍କାରେ ଏବେ ଆଇ କୌଣସି ଚୀନ୍ ପ୍ରକଳ୍ପକୁ ସ୍ୱୀକୃତି ନଦେବାକୁ ଏବଂ ଚୀନ୍ ଠାରୁ ଆଉ କୌଣସି ପ୍ରକାର ଆର୍ଥିକ ସହାୟତା ଗ୍ରହଣ ନକରିବାକୁ ସାଧାରଣରେ ଦାବି ଜୋର ଧରିଛି । ଅନ୍ୟପକ୍ଷେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ଶ୍ରୀଲଙ୍କାବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ଜାରି ରଖିଛନ୍ତି ।