ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁ

ଶ୍ରଦ୍ଧାଳୁଙ୍କ ଲାଗି ଖୁସି ଖବର
ପୁରୀ (ବୁ୍ୟରୋ): ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ୩ରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ । ଗତ ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇପାରି ନ ଥିଲେ । ଫଳରେ ବିନାଭକ୍ତରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ହେଲେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁ । ଏବେ ସଂକ୍ରମଣ କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରାଯିବ ବୋଲି ମଙ୍ଗଳବାର ନୀଳାଦ୍ରି ଭକ୍ତନିବାସରେ ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇବର୍ଷ ହେଲା କଟକଣା ଲାଗି ଭକ୍ତମାନେ ମହାପ୍ରଭୁଙ୍କ ନୀତିକାନ୍ତି ଦର୍ଶନରୁ ବଞ୍ଚିତ ରହିଥିଲେ । ଚଳିତବର୍ଷ ସମସ୍ତ ଭକ୍ତଙ୍କୁ ନେଇ ଆଗାମୀ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରାରେ ସାମିଲ କରାଯିବ । ତତ୍ସହିତ ଉଭୟ ପର୍ବ ଲାଗି ମଧ୍ୟ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ସେହିପରି ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମନ୍ଦିର ଭିତରେ ଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସେବାୟତଙ୍କ ଠାରୁ ଆରମ୍ଭ କରି କୌଣସି ଅଧିକାରୀ ଏବଂ ଭକ୍ତ ମନ୍ଦିର ପରିସରକୁ ନ ନେବା ଲାଗି ବୈଠକରେ ପ୍ରସ୍ତାବ ଦିଆଯାଇଥିବା ସେବାୟତମାନେ ପ୍ରକାଶ କରିଛନ୍ତି । ବୈଠକରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ଛତିଶା ନିଯୋଗର ସଦସ୍ୟ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *