ପୂରା ପରିବାର ନିପାତ
ସମ୍ପତ୍ତି ବିବାଦରୁ ଜଘନ୍ୟ କାଣ୍ଡ
ମାହାଙ୍ଗା, ୧୨ା୪(ଆପ୍ର): ସମ୍ପତ୍ତି ନିକଟରେ ତୁଛ ହେଲା ରକ୍ତ ସମ୍ପର୍କ, ଭୁଲିଗଲା ଭାଉ ଭାଉଜଙ୍କ ସ୍ନେହ, ଝିଆରୀ ପୁତୁରାଙ୍କ ଅଳି ଅର୍ଦ୍ଦଳି । ଯେଉଁଁ ଭାଇ କୋଳେଇ କାଖେଇ ମଣିଷ କରିଥିଲା ସେହି ଭାଇର ପରିବାରକୁ ଶେଷ କରିଦେଲା । ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ମାହାଙ୍ଗା ଥାନା କୁସୁପୁର ଗ୍ରାମରେ । ଗତ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଭାଇ- ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କ ହତ୍ୟା କରିଛି । ସାହି ପଡ଼ିଶା କେହି ଟେର ପାଇ ନାହାନ୍ତି । ମଙ୍ଗଳବାର ସକାଳେ ଏହି ବୀଭତ୍ସ ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ କୁୂସୁପୁରରେ ଜନସାଧାରଣ, ସାମ୍ବାଦିକ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଭିଯୁକ୍ତ ଶିବ ପ୍ରସାଦ ସାହୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପ କରିଛି ।
ସମ୍ପତ୍ତିବାଡ଼ିକୁ କେନ୍ଦ୍ରକରି ବଡ଼ ଭାଇ ଅଲେଖ ସାହୁ (୪୪)ଙ୍କ ସହିତ ଶିବର ବାରମ୍ବାର ପାଟିିତୁଣ୍ଡ ହେଉଥିଲା । ଅଲେଖ ଘରେ ପୂରାଇ ନ ଦେବାରୁ ଶିବ ବାହାରେ ଘରଭଡା ନେଇ ରହୁଥିଲା । ଗତ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି କୁହାଯାଉଛି । ଫଳରେ ଶିବ ରକ୍ତମୁଖା ହୋଇ ବଡ଼ଭାଇ ଅଲେଖ, ଭାଉଜ ରଶ୍ମିରେଖା ପୃଷ୍ଟି (୩୮), ଝିଆରି ସ୍ମୃତିସନ୍ଧ୍ୟା ସାହୁ (୧୮) ପୁତୁରା ସ୍ମୃତି ସାଇଲ (୧୭) ଓ ସ୍ମୃତି ସୌରଭ ସାହୁଙ୍କୁ ମାରଣାସ୍ତ୍ର ଦ୍ୱାରା ହତ୍ୟା କରିଥିଲା । ହତ୍ୟା କରିବା ପରେ ଘର ବନ୍ଦ କରି ଫେରାର ହୋଇଯାଇଥିଲା । ସ୍ମୃତିସନ୍ଧ୍ୟା +୩ ପ୍ରଥମ ବର୍ଷ, ସ୍ମୃତି ସାଇଲ +୨ ଓ ସ୍ମୃତି ସୌରଭ ଦଶମ ଶ୍ରେଣୀରେ ପଢ଼ୁଥିଲେ ।
ମାହାଙ୍ଗା ପୁଲିସ ସକାଳେ ବନ୍ଦ କୋଠରୀରୁ ଶବ ଜବତ କରି ବ୍ୟବଚ୍ଛେଦ କଟକ ପଠଇଛି ।
ହତ୍ୟାକାଣ୍ଡ ଘଟାଇବା ପରେ ଶିବ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି । ସାଲେପୁର ଏସ୍ଡ଼ିପିଓ, ମାହାଙ୍ଗା ଆଇଆଇସି, ତହସିଲଦାର ପ୍ରମୁଖ କୁସୁପୁର ଯାଇ ତଦନ୍ତ କରିଛନ୍ତି । କଟକ ଗ୍ରାମାଞ୍ଚଳ ଏସ୍ପି ମଧ୍ୟ ଘଟଣାସ୍ଥଳକ୍ୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖଣ୍ଡା ଚୋଟରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ଘଟଣା ସମ୍ପର୍କରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିି, ଶିବ ଆତ୍ମସମର୍ପଣ କରିବା ପରେ ତାକୁ ପୁଲିସ୍ ହେପାଜତରେ ରଖାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି । ଶିବର ମାନସିକ ସ୍ଥିତି ଠିକ୍ ନ ଥିବା ଏବଂ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅତି ବିଭତ୍ସ ଭାବେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରାଯାଇଛି । ହତ୍ୟାକାଣ୍ଡରେ ଆଉ କିଏ ଜଡ଼ିତ ଅଛନ୍ତି ଓ ଏ ସଂପର୍କିତ ଅଧିକ ତଥ୍ୟ ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଆଇଜି କହିଛନ୍ତି । ହତ୍ୟାକାଣ୍ଡ ପରଠାରୁ ଶିବ ପ୍ରସାଦର ପରିବାର ଫେରାର୍ ଥିବା ସମ୍ପର୍କରେ ସେ କହିଛନ୍ତି ଯେ, ପୁଲିସ୍ ହେପାଜତରେ ଥିବା ଶିବକୁ ଜେରା ଚାଲିଛି । ତା’ ପରିବାରକୁ ମଧ୍ୟ ଖୁବ୍ଶୀଘ୍ର ଠାବ କରାଯିବ ।
ଅନ୍ୟପକ୍ଷରେ ଶିବ ମାନସିକ ବିକାରଗ୍ରସ୍ତ ଥାଇ କିପରି ଗାଡ଼ି ଚଳାଉଥିଲା? ସେ ମାହାଙ୍ଗା ଥାନାରେ ଆତ୍ମ ସମର୍ପଣ ନ କରି କାହିଁକି ବାଲିଚନ୍ଦ୍ରପୁର ଥାନାକୁ କିଭଳି ଗଲା, ପୂରା ପରିବାରକୁ ହତ୍ୟା କରିଥିଲେ ସୁଦ୍ଧା ସାହି ପଡ଼ିଶା କିପରି କାହାର ଚିକ୍ରାର ଶୁଣି ପାରିଲେନି ତାହା ବିସ୍ମୟ ସୃଷ୍ଟି କରିଛି ।
ଏଥିସହିତ ଶିବ ମଧ୍ୟ ହତ୍ୟାକାଣ୍ଡ ଘଟାଇଛି ବୋଲି ଏକ ଭିଡିଓ ଜାରି କରି କହିଛି । ଗତ ରାତିରେ ପାରିବାରିକ ବିବାଦ ଏବଂ ଜମି ବିବାଦକୁ ନେଇ ବଡ଼ ଭାଇଙ୍କ ସହିତ ହୋଇଥିବା ବଚସା ଉଗ୍ର ରୂପ ନେଇଥିଲା । ଅଲେଖଙ୍କ ସମେତ ଭାଉଜ ଏବଂ ତାଙ୍କ ପିଲାମାନେ ଶିବଙ୍କୁ ମାଡ଼ ମାରିଥିଲେ । ଫଳରେ ମାନସିକ ସ୍ଥିତି ହରାଇ ସେ ସମସ୍ତଙ୍କୁ ହତ୍ୟା କରିଥିଲା । ମାହାଙ୍ଗା ଥାନାକୁ ଯିବାକୁ କୌଣସି ସାଧନ ନାହିଁ । ତେଣୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବି ବୋଲି ସେ ଭିଡିଓରେ କହିଛି ।