କାଂସ୍ୟ ମୁକାବିଲାରେ ହାରିଲା ଭାରତ

କନିଷ୍ଠ ମହିଳା ହକି ବିଶ୍ୱକପ୍
ପୋଚେଫ୍ଷ୍ଟ୍ରୁମ୍, ୧୨ା୪ (ଏଜେନ୍ସି): ମମତାଜ୍ ଖାଁଙ୍କ ଯୁଗଳ ଗୋଲ୍ ସତ୍ତ୍ୱେ ଏଫ୍ଆଇଏଚ୍ କନିଷ୍ଠ ହକି ବିଶ୍ୱକପ୍ରେ ଭାରତୀୟ ମହିଳା ଟିମ୍ର କାଂସ୍ୟ ପଦକ ଜିତିବା ଆଶା ଧୂଳିସାତ୍ ହୋଇଛି । ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ବରାବର ସ୍ଥିତିରେ ରହିବା ପରେ ଭାରତ ୦-୩ ସୁଟ୍ଆଉଟ୍ରେ ପରାଜୟ ବରଣ କରିଛି ।
ମମତାଜ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ସର୍ବାଧିକ ଆଠଟି ଗୋଲ୍ ସ୍କୋର୍ କରିଥିଲେ । ତୃତୀୟ-ଚତୁର୍ଥ ପ୍ଲେ-ଅଫ୍ ମ୍ୟାଚ୍ରେ ମମତାଜ୍ ୨୧ତମ ଓ ୪୭ତମ ମିନିଟ୍ରେ ଦୁଇଟି ଫିଲ୍ଡ ଗୋଲ୍ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ମିଲୀ ଗିଗଲିଓ (୧୮ତମ ମିନିଟ୍) ଓ କ୍ୱାଉଡିଆ ସ୍ୱାଇନ୍ (୫୮ତମ) ସ୍କୋର୍ କରିଥିଲେ ।
ମ୍ୟାଚ୍ରେ ଉତ୍ତମ ପ୍ରଦର୍ଶନ କରିଥିବା ଭାରତୀୟ ଟିମ୍ ସୁଟ୍ଆଉଟ୍ରେ ନିରାଶ ହୋଇଥିଲା । ଅଲିମ୍ପିଆନ୍ ଶର୍ମିଲା ଦେବୀ, ଅଧିନାୟିକା ସଲିମା ଟେଟେ ଓ ସଙ୍ଗୀତ କୁମାରୀଙ୍କ ସଟ୍ ଲକ୍ଷ୍ୟଚୁ୍ୟତ ହୋଇଥିଲା । ଅନ୍ୟପଟେ, ଇଂଲଣ୍ଡର କାଟି କୁର୍ତିସ୍, କ୍ଲାଉଡିଆ ଓ ମାଡୀ ଅକ୍ସଫୋର୍ଡ ଗୋଲ୍ କରି ନଅ ବର୍ଷ ତଳେ କାଂସ୍ୟ ପଦକ ମୁକାବିଲାରେ ପରାଜୟର ପ୍ରତିଶୋଧ ନେଇଛି । ଜର୍ମାନୀଠାରେ ଖେଳାଯାଇଥିବା ୨୦୧୩ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ଭାରତ ସୁଟ୍ଆଉଟ୍ରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର କାଂସ୍ୟ ପଦକ ହାସଲ କରିଥିଲା ।
କାଂସ୍ୟ ପଦକ ମୁକାବିଲାରେ ଭାରତ ଧାର୍ଯ୍ୟ ସମୟ ମଧ୍ୟରେ ସବୁ ଦିଗ – ବଲ୍ ପଜେସନ୍, ସର୍କଲ ଏଣ୍ଟ୍ରି ଓ ଗୋଲ୍କୁ ସଟ୍ ଲଗାଇବାରେ ଇଂଲଣ୍ଡଠାରୁ ଆଗରେ ଥିଲା । କିନ୍ତୁ ଶେଷବେଳକୁ ଇଂଲଣ୍ଡ ଟିମ୍ ଗୋଲ୍ କରି ପ୍ରତ୍ୟାବର୍ତ୍ତନ କରିଥିଲା ।
ଭାରତ ସକାରାତ୍ମକ ମନୋଭାବ ନେଇ ମ୍ୟାଚ୍ ଆରମ୍ଭ କରି ସଅଳ ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, ହେଲେ ଇଂଲଣ୍ଡର ରକ୍ଷଣପନ୍ଥୀ ଏହାକୁ ବିଫଳ କରି ଦେଇଥିଲେ । ଏହାପରେ ଲାଲରିଣ୍ଡିକିଙ୍କ ପାଖରେ ଭାରତକୁ ଅଗ୍ରଣୀ ଦେବା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ତାଙ୍କ ସଟ୍ ୱାଇଡ୍ ହୋଇଥିଲା ଯେତେବେଳେକି ତାଙ୍କ ଆଗରେ କେବଳ ଇଂଲିଶ୍ ଗୋଲ୍କିପର୍ ଥିଲେ । ପ୍ରଥମ କ୍ୱାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା ।
ଦ୍ୱିତୀୟ କ୍ୱାର୍ଟରର ତିନି ମିନିଟ୍ ପରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଥିଲା । ଗିଗଲିଓଙ୍କ ଏକ ଦୁର୍ବଳ ସଟ୍କୁ ଭାରତୀୟ ଗୋଲ୍କିପର୍ ବିଚୁ ଦେବୀ ଖରିବାମ୍ ଅଟକାଇ ପାରି ନ ଥିଲେ । ତେବେ ଇଂଲଣ୍ଡର ଖୁସି ମାତ୍ର ତିନି ମିନିଟ୍ ରହି ପାରିଥିଲେ । ମମତାଜ ଭାରତ ପକ୍ଷରୁ ବରାବର ସ୍କୋର୍ କରିଥିଲେ, ଯାହାକି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସପ୍ତମ ଗୋଲ୍ ଥିଲା । ମଧ୍ୟାନ୍ତର ସୁଦ୍ଧା ଆଉ କେହି ଗୋଲ୍ କରି ପାରି ନ ଥିଲେ, ଫଳରେ ସ୍କୋର୍ ୧-୧ରେ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ତୃତୀୟ କ୍ୱାର୍ଟରରେ କୌଣସି ଟିମ୍ ଅଗ୍ରଣୀ ହାସଲ କରି ପାରି ନ ଥିଲା । ୪୭ତମ ମିନିଟ୍ରେ ଭାରତ ସ୍କୋର୍ଲାଇନ୍କୁ ୨-୧ରେ ପହଞ୍ଚାଇଥିଲା । ପୁନର୍ବାର ମମତାଜ୍ ଗୋଲ୍ ଦେଇଥିଲେ । ଫାଇନାଲ୍ ହୁଟର୍କୁ ଛଅ ମିନିଟ୍ ବାକି ଥିବା ବେଳେ ଇଂଲଣ୍ଡ ଜଣେ ଅତିରିକ୍ତ ଖେଳାଳି ପାଇଁ ତା’ର ଗୋଲ୍କିପର୍କୁ ହଟାଇ ଦେଇଥିଲା ଏବଂ ଭାରତୀୟ ଗୋଲ୍ ଉପରେ ଘନ ଘନ ଆକ୍ରମଣ କରିଥିଲା । ଏହାର ପରିଣାମସ୍ୱରୂପ ଟିମ୍କୁ ଦୁଇଟି ପିସି ମିଳିଥିଲା, ହେଲେ ତାହା ନିଷ୍ଫଳ ହୋଇଥିଲା । କିନ୍ତୁ ଆଉ ଦୁଇ ମିନିଟ୍ ଖେଳ ବାକି ଥିବା ବେଳେ ସ୍ୱାଇନ୍ ଏକ ଚିତ୍ତାକର୍ଷକ ଗୋଲ୍ ଦେଇ ମ୍ୟାଚ୍କୁ ସମାନସ୍ଥିତିକୁ ଆଣିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *