ସ୍ୱାସ୍ଥ୍ୟସେବାରେ ନୂଆ ଯୁଗ

ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ
ପୁରୀ,୧୧ା୪(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜିଲ୍ଲା ପାଇଁ ଏକ ଐତିହାସିକ ଦିବସ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା । ଏହି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ଟି ଏମ୍ବିବିଏସ୍ ଆସନ ରହିଛି । ଏହାଦ୍ୱାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ ଏମ୍ବିବିଏସ୍ ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁରୀର ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ ।
ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।
ଆଲୋଚନାରେ ଭାଗ ନେଇଥିବା ମେଡିକାଲ ଛାତ୍ର ବାଲେଶ୍ୱର ଜିଲ୍ଲାର ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରି ସେ କହିଥିଲେ ଯେ ଆଜି ଏଥିପାଇଁ ସେ ଏମ୍ବିବିଏସ୍ ପାଠ ପଢିବାର ସୁଯୋଗ ପାଇଛନ୍ତି । ସେହିପରି ମୟୁରଭଂଜ ଜିଲ୍ଲାର ଭଟ୍ଟ ହେମ୍ବ୍ରମ ମଧ୍ୟ ଜଣେ ଅତି ଗରିବ ପରିବାର ପିଲା । ତାଙ୍କ ବାପା ମା ଉଭୟ ଦିନ ମଜୁରିଆ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରିଥିଲେ । ମେଡିକାଲ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲା ବିଶିଷ୍ଟ ଶିକ୍ଷା ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି । ଏହି ଶିକ୍ଷା ହସ୍ପିଟାଲ ଜୁଲାଇ ୨୦୨୩ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି । ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ ସଞ୍ଜୟ କୁମାର ଦାସବର୍ମା, ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜୟନ୍ତ ଷଡ଼ଙ୍ଗୀ, ରୁଦ୍ରପ୍ରତାପ ମହାରଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଚରଣ ଭୋଳ, ଏସ୍ପି କନୱର ବିଶାଲ ସିଂହ, ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପ୍ରିନ୍ସିପାଲ ଡ. ମାୟା ପାଢ଼ୀଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *