ପିସିବି ଅଧ୍ୟକ୍ଷ ପଦ ଛାଡ଼ିବେ ରମିଜ୍
ଲାହୋର,୧୧ା୪(ଏଜେନ୍ସି): ଅନାସ୍ଥା ପ୍ରସ୍ତାବରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପରାସ୍ତ ହୋଇ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଲେ ଇମ୍ରାନ ଖାନ୍ । ତେବେ ତାଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ପିସିବି)ର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ରମିଜ ରାଜାଙ୍କ ଆସନ ଟଳମଳ ହେବାରେ ଲାଗିଛି । ତେଣୁ ବିରୋଧୀ ଦଳ ଦ୍ୱାରା ଲୋକହସା ହେବା ପୂର୍ବରୁ ପିସିବି ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ସେ ଚିନ୍ତା କରୁଛନ୍ତି । ତେବେ ଇମ୍ରାନ ପ୍ରଧାନମନ୍ତ୍ରୀ ପଦରେ ରହିବା ପର୍ଯ୍ୟନ୍ତ ପିସିବି ଅଧ୍ୟକ୍ଷ ପଦରେ ରହିବେ ବୋଲି ରମିଜ୍ ପୂର୍ବରୁ ଘୋଷଣା କରିସାରିଛନ୍ତି । ଗତ ୨୦୨୧ ସେପ୍ଟେମ୍ବରରେ ପିସିବି ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ତକ୍ରାଳୀନ ପାକିସ୍ତାନ କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ ମିସବା ଉଲ-ହକ୍ ଏବଂ ବୋଲିଂ ପ୍ରଶିକ୍ଷକ ୱାକର ୟୁନୁସଙ୍କୁ ପଦରୁ ହଟାଇଥିଲେ । ଏଥିସହିତ କ୍ରିକେଟ ସହିତ ଜଡିତ ବହୁ ପ୍ରଶିକ୍ଷକଙ୍କୁ ତୁରନ୍ତ ପଦ ଛାଡିବାକୁ ନିଦେ୍ର୍ଦଶ ଦେଇ ରମିଜ ରାଜା ବେଶ ବିବାଦୀୟ ହୋଇଥିଲେ । ଇତିମଧ୍ୟରେ ଶାହାବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ନଜମ ସେଠୀ ପୁଣି ଥରେ ପିସିବି ଅଧ୍ୟକ୍ଷ ପଦକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଏପରି କିଛି ହେବା ପୂର୍ବରୁ ପିସିବିର ଅଧ୍ୟକ୍ଷ ରମିଜ ରାଜା ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।