ରାମନବମୀ ପରେ ଯୋଡ଼ା ଅଶାନ୍ତ

ଗୋଷ୍ଠୀ ସଂଘର୍ଷ, ଫାଙ୍କା ଗୁଳିଚାଳନା, ୧୪୪ ଜାରି
ଯୋଡ଼ା, ୧୧ା୪(ଆପ୍ର): ରାମନବମୀ ପରେ କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉଭୟ ଗୋଷ୍ଠୀ ପକ୍ଷରୁ ଭଙ୍ଗାରୁଜା, ଟେକାପଥର ଓ କାଚ ବୋତଲ ମାଡ଼ ହୋଇଛି । ବଜାର ଭିତରେ ବସବାସ କରୁଥିବା ଲୋକଙ୍କ ଘରକୁ ଟେକାମାଡ଼ ହେବାଦ୍ୱାରା କେତେକଙ୍କ ଝରକା, କବାଟ ଭାଙ୍ଗି ଯାଇଛି । କିଛି ଦୁଇ ଚକିଆ ଯାନ ନଷ୍ଟ ହୋଇଛି । ଛୋଟ ଛୁଆ ଓ ମହିଳାମାନେ ଭୟରେ କବାଟ ଝରକା ବନ୍ଦ କରି ଦେଇଥିଲେ । ଉତ୍ତେଜନା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା । ପଥର ମାଡ଼ରେ କିଛି ପୁଲିସ କର୍ମଚାରୀ, ସାମ୍ବାଦିକ, ସ୍ଥାନୀୟ ଲୋକ ଓ ଦୁଇପକ୍ଷର ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଉତ୍ତେଜନା ପ୍ରଶମିତ ହୋଇଥିଲେ ହେଁ ଅଶାନ୍ତ ବାତାବରଣ ମଧ୍ୟରେ ସମ୍ପୂର୍ଣ୍ଣ ଯୋଡ଼ା ସହର ରହିଛି ।
ରବିବାର ରାମନବମୀରେ ଯୋଡ଼ାରେ ଆଖଡ଼ା ଶୋଭାଯାତ୍ରା ବାହାରିଥିଲା । ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ । କିନ୍ତୁ ପୁଲିସ୍ ସେମାନଙ୍କୁ ଅନୁମତି ଦେଇ ନ ଥିଲା । ସୋମବାର ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୁଲିସ୍ କହିଥିଲେହେଁ ସେମାନଙ୍କୁ ମଧ୍ୟ ଅନୁମତି ମିଳି ନ ଥିଲା । ପ୍ରତିବାଦରେ କେତେକ ବ୍ୟକ୍ତି ଷ୍ଟେଟ୍ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ । କିଛି ସମୟ ପରେ ଶ୍ରଦ୍ଧାଳୁମାନେ ଝଣ୍ଡା ନେଇ ମନ୍ଦିର ଉଦେ୍ଦଶ୍ୟରେ ଯାଉଥିବା ବେଳେ ବଜାର ଗଳିରେ ଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପୁଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ବି ଉତ୍ତେଜନା ଥମି ନ ଥିଲା ।
ସାମ୍ବାଦିକ ସମୀର ଦାସଙ୍କ ମୁଣ୍ଡରେ ଟେକା ପଥର ବାଜିବାରୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଟାଟା ଷ୍ଟିଲ୍ ହସ୍ପିଟାଲ୍କୁ ନିଆ ଯାଇଥିଲା । ଅନ୍ୟ ଜଣେ ସାମ୍ବାଦିକ ପୃଥିବୀରାଜ ପାତ୍ର ଢେଲାମାଡ଼ରେ ଆହତ ହୋଇଛନ୍ତି । ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ସୀତ ବାରିକ, ମନୀନ୍ଦ୍ର ସୁନ୍ଦର ବାରିକ, ପବିତ୍ର ଦାସ, ପ୍ରକାଶ ମହାନ୍ତି ଖବର ସଂଗ୍ରହ କରୁଥିବା ବେଳେ ଢେଲା ପଥରମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଘଟଣାସ୍ଥଳରେ ଉପସ୍ଥିତ ସ୍ୱଳ୍ପ ସଂଖ୍ୟକ ପୁଲିସ କର୍ମଚାରୀ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇପଡ଼ିଥିଲେ । ଅନ୍ୟ ଉପାୟ ନ ପାଇ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା । ଏହା ପରେ ପରିସ୍ଥିତି କିଛି ପରିମାଣରେ ନିୟନ୍ତ୍ରଣକୁ ଆସିଥିଲା । ପରେ ପରେ କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର ଅଧିକ ପୁଲିସ ଫୋର୍ସ ସହ ପହଞ୍ଚି ଥିଲେ । ଚମ୍ପୁଆ ସବ୍ କଲେକ୍ଟର ପ୍ରତାପ ପ୍ରୀତିମୟ, ବଡ଼ବିଲ ଏସ୍ଡିପିଓ ହିମାଂଶୁ ଭୁଷଣ ବେହେରା, ତହସିଲଦାର ଆଲୋକ ପଟେଲ, ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ମଧ୍ୟ ସଦଳବଳେ ଆସିଥିଲେ । ଏସ୍ପି ଶ୍ରୀ ମହାପାତ ଦୁଇ ସମ୍ପ୍ରଦାୟର ମୁଖିଆମାନଙ୍କୁ ଆଲୋଚନା କରିବା ଲାଗି ଡାକିଥିଲେ ମଧ୍ୟ ସମାଧାନ ହୋଇ ପାରି ନ ଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଲୋକ ନମାଜ ପରେ ଆଲୋଚନା କରିବେ ବୋଲି ପ୍ରଶାସନକୁ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *