ଜେଜେମା’ କାନ୍ଧରେ ୪ ପିଲାଙ୍କ ବୋଝ
ବାରିପଦା (ଲକି ଜେନା): ରାଜ୍ୟ ସରକାର ଦୁଃଖୀ ଦରିଦ୍ର ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ କିଛି ବେପରୁଆ କର୍ମଚାରୀଙ୍କ ପାଇଁ ଏ ସବୁ ଯୋଜନା ବାଟବଣା ହେଉଛି । ସମାଜସେବୀ ଜୟ ମୁର୍ମୁ ଓ କଟକରୁ ଆସିଥିବା ସହୃଦୟ ବ୍ୟକ୍ତି ଦେବବ୍ରତ ଷଡ଼ଙ୍ଗୀ ଆଜି କପ୍ତିପଦାରୁ ବେସାହାରା ବାପା-ମା’ ଛେଉଣ୍ଡ ୪ ପିଲାଙ୍କ ସହ ଜେଜେମା’ଙ୍କୁ ବାରିପଦା ଆଣି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ଏହି କୁନି କୁନି ପିଲା, ବୃଦ୍ଧା ଓ ସମାଜସେବୀଙ୍କ ଦୁଃଖ ଶୁଣି ନ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ବିଶ୍ୱାଳ ଏ ବିଷୟରେ ତଦନ୍ତ କରାଯିବ । ତଦନ୍ତ ପରେ ୪ଜଣ ଶିଶୁଙ୍କ ସହ ଜେଜେମାଙ୍କୁ ପିଲାଙ୍କ ଦେଖାରଖା ଓ ପଢ଼ିବା ବିଷୟରେ ସମସ୍ତ ସୁବିଧା ଯୋଗାଇଦେବାକୁ କହିଥିଲେ ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଲାବଣ୍ୟଦେଇପୁର ପଞ୍ଚାୟତ ଅନ୍ତର୍ଗତ କଟୁରିଆ ହୁଡ଼ିସାହିରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ଦୁନିଆ ଦେଖିବା ଓ ଶିଖିବା ସମୟରେ ଜୀବନ ସହ ସଂଘର୍ଷ କରୁଛନ୍ତି ତିନି ନିଷ୍ପାପ ଶିଶୁ । ହସଖୁସିରେ ବଞ୍ଚିବା ସମୟରେ ଦୁଃଖରେ ଦିନ କାଟିଇବାକୁ ପଡୁଛି ଚାଳଛପର ଭଙ୍ଗା କୁଡ଼ିଆରେ । ତିନି ଶିଶୁଙ୍କ ଅଳିଅଝଟ ବୁଝିବାକୁ ମା’ ଓ ବାପା ନାହାନ୍ତି । ମା’-ବାପା ସାଜିଛନ୍ତି ବୃଦ୍ଧା ଜେଜେମା ସାକ୍ରା ସୋରେନ । ଯିଏ ପରିଣତ ବୟସରେ ପହଞ୍ଚିିଲେଣି । ତଥାପି ମୂଲଲାଗି ପିଲାଙ୍କ ମୁହଁରେ ଆହାର ଦିଅନ୍ତି । ଶିମିଳିପାଳ ପାଦଦେଶରେ ଥିବା ଏହି ଆଦିବାସୀ ପରିବାରକୁ ଖାଦ୍ୟ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼େ । କଁଅଳ ବୟସରେ ଜଙ୍ଗଲ ଜାତୀୟ ଦ୍ରବ୍ୟ ସହ କାଠ, ପତ୍ର, ମହୁଲ ଗୋଟାଇ ଜୀବନ ବିତାଉଛନ୍ତି । ଜେଜେମା’ ଲାକ୍ରା ଗାଁ ଲୋକଙ୍କ ଘରେ ମୂଲ ଲାଗି ଯାହା ଆଣନ୍ତି ସେଥିରେ ପରିବାର ଗୁଜୁରାଣ ମେଣ୍ଟିଥାଏ । ସରକାରୀ ସୁବିଧା କହିଲେ କେବଳ ଚାଉଳ ଓ ବିଧବା ଭତ୍ତା । ଲୁଣ ଲଗାଇ ପଖାଳ ଖାଇ ବଞ୍ଚିବାକୁ ପଡ଼େ । ୨ବର୍ଷ ପୂର୍ବେ ପିଲାଙ୍କ ବାପା ରେନଟା ସୋରେନ ଆରପାରିକି ଚାଲି ଯାଇଥିବା ବେଳେ ମା’ ତାମଡ଼ ସୋରେନ ମଧ୍ୟ ବର୍ଷେ ହେଲାଣି କୁଆଡ଼େ ପଳାଇ ଯାଇଛନ୍ତି । ସାନ ପୁଅ ରାମ ସୋରେନ ୨ୟ ଶ୍ରେଣୀ, ମଦନ ସୋରେନ ୪ର୍ଥ ଶ୍ରେଣୀରେ ଓ ଅନ୍ୟ ଜଣେ ଷଷ୍ଠ ଶ୍ରେଣୀ ଗାଁ ସ୍କୁଲ୍ରେ ପଢୁଛନ୍ତି । ବଡ଼ ଭଉଣୀ ସିନଗ ସୋରେନ ଗାଁ ପାଖ ଏକ ସରକାରୀ ବାଳିକା ବିଦ୍ୟାଳୟ ହଷ୍ଟେଲ୍ରେ ରହି ୮ମ ଶ୍ରେଣୀରେ ପଢୁଛନ୍ତି । ବାପା ମା’ ଛେଉଣ୍ଡ ଏହି ପିଲାଙ୍କୁ ସରକାରୀ ସହାୟତା ପାଇଁ ଗାଁ ପାଖ ଜୟ ମୁର୍ମୁ ସରପଞ୍ଚ ଠାରୁ ନେଇ ବ୍ଲକ୍ ଅଧିକାରୀଙ୍କୁ ବାରମ୍ବାର ସହାୟତା ପାଇଁ ଅନୁରୋଧ କରିବା ପରେ ବି କେହି ଦୁଃଖ ଶୁଣୁ ନାହାନ୍ତି ।
ତେବେ ଦୁଃଖର ବିଷୟ ୧୦ ବର୍ଷର ପିଲାଙ୍କ ଏଭଳି କାର୍ଯ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ । ସରକାରଙ୍କ ପକ୍ଷରୁ ୩୫ କେଜି ଚାଉଳ ମିଳୁଛି । ରାଜ୍ୟ ଅବା କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଥିବା ଆବାସ ଯୋଜନାରେ ମଧ୍ୟ ଘରଟିଏ ମିଳି ପାରିନାହିଁ । ଯଦି ସରକାର ଅବା କୌଣସି ସୁହୃଦୟ ସଂସ୍ଥା ଏହି ପିଲାଙ୍କ ପଠପଢ଼ା ବୁଝନ୍ତେ ଦିନେ ଭଲମଣିଷ ହୋଇ ଦେଶର ନାମ ରଖନ୍ତେ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶ୍ନଉଠେ ସରକାରଙ୍କର ଯୋଜନା କାହା ପାଇଁ? ଦୀର୍ଘଦିନ ହେବ ଅସହାୟ ଅବସ୍ଥାରେ ଦିନ କାଟୁଥିବା ଏହି ଗରିବ ଆଦିବାସୀ ଶିଶୁଙ୍କ ପ୍ରତି କାହାର ନଜର ନ ପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।