ସବୁଜ ଶକ୍ତି ପାଇଁ ଆଉ ପାଦେ

ଭୁବନେଶ୍ୱର (ବୁ୍ୟରୋ): ଗ୍ରୀନ୍ ଗ୍ରୋଥ୍ ବା ସବୁଜ ଅଭିବୃଦ୍ଧି ଏବଂ ଶିଳ୍ପାୟନ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛନ୍ତି । ରାଜ୍ୟରେ ସବୁଜ ଶକ୍ତି ଏବଂ ହାଇଡ୍ରୋଜେନ୍ ପ୍ଲାଣ୍ଟ୍ ସ୍ଥାପନର ସମ୍ଭାବ୍ୟତା ଅନୁସନ୍ଧାନ ପାଇଁ ଏହି ଏମ୍ଓୟୁ ସହାୟକ ହେବ ।
ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ର ଉପସ୍ଥିତିରେ ଇପିକଲ ଏବଂ ବିପିସିଏଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ଅବସରରେ ବିପିସିଏଲ୍ ସିଏମ୍ଡି ଅରୁଣ କୁମାର ସିଂଙ୍କ ନେତୃତ୍ୱରେ ବିପିସିଏଲ୍ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଏମ୍ଓୟୁର ଉଦେ୍ଦଶ୍ୟ ସମ୍ପର୍କରେ ବ୍ୟାଖା କରିଥିଲେ । ଇପିକଲ ଏମ୍ଡି ଭୁପିନ୍ଦର ସିଂ ପୁନିଆ ଏବଂ ବିପିସିଏଲ୍ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ଅକ୍ଷୟ ଶକ୍ତି) ଅମିତ୍ ଗର୍ଗ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।
ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଇଥାନଲ, ସୋଲାର ଏବଂ ହାଇଡ୍ରୋଜେନ୍ରୁ ସବୁଜ ଶକ୍ତି ଉତ୍ପାଦନ ପାଇଁ ଓଡ଼ିଶାରେ ବହୁ ସମ୍ଭାବନା ରହିଛି । ସବୁଜ ଶକ୍ତି ପ୍ରକଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଲାଗି ବିପିସିଏଲ୍ ସବୁ ପ୍ରକାର ସହାୟତା ପ୍ରଦାନ କରିବ । ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ, ଅକ୍ଷୟ ସବୁଜ ଶକ୍ତି ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ସହ ବିପିସିଏଲ୍ ଭଳି କମ୍ପାନୀ ହାତ ମିଳାଇବା ବେଶ୍ ଗୁରୁତ୍ୱପୂର୍ଣ୍ଣ ଅବକାଶ ।
ସବୁଜ ଶକ୍ତିର ଚାହିଦା ବୃଦ୍ଧି ଉପରେ ଆଲୋକପାତ କରି ବିପିସିଏଲ୍ ସିଏମ୍ଡି ଶ୍ରୀ ସିଂ କହିଥିଲେ, ଅଭିନବ ଉଦ୍ୟୋଗ ପାଇଁ ଓଡ଼ିଶା ଆକଳନ କରିଛି । ସୌର ଏବଂ ସବୁଜ ଭିତ୍ତିକ ଇଥାନଲ ଶକ୍ତିରୁ ଉତ୍ପାଦନ ପାଇଁ ଓଡ଼ିଶାର ଅନେକ ସ୍ଥାନରେ ପ୍ରଚୁର ସମ୍ଭାବନା ରହିଛି । ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମାପ୍ତ ପାଇଁ ରାଜ୍ୟ ସରକାରଙ୍କ ସୁବିଧାଜନକ ନୀତି ଏବଂ କ୍ଷେତ୍ରସ୍ତରରେ ସହାୟତା ନିମନ୍ତେ ସେ ଧନ୍ୟବାଦ ପ୍ରଦାନ କରିଥିଲେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବର୍ତ୍ତମାନର ପ୍ରକଳ୍ପ ଲକ୍ଷ୍ୟସ୍ଥଳ ଛୁଇଁପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏମ୍ଓୟୁ ଅନୁସାରେ, ଉଭୟ ସରକାର ଏବଂ ବିପିସିଏଲ୍ ମିଳିତ ଭାବେ ଘରୋଇ ବ୍ୟବହାର ଏବଂ ରପ୍ତାନୀ ପାଇଁ ସବୁଜ ଶକ୍ତି ହାଇଡ୍ରୋଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ସମ୍ଭାବ୍ୟତା ଅନୁସନ୍ଧାନ କରିବେ । ୨ଠ୪ଠ ସୁଦ୍ଧା ସୌର, ପବନ, କ୍ଷୁଦ୍ର ହାଇଡ୍ରୋ ଏବଂ ବାୟୋମାସ୍ ସମ୍ମିଶ୍ରଣରେ ୧ଠ ଜିଗାୱାଟ୍ କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ବିପିସିଏଲ୍ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ବିପିସିଏଲ୍ ରିଟେଲ୍ ମୁଖ୍ୟ ଦେବାଶିଷ ନାଏକ, ବିପିସିଏଲ୍ ରାଜ୍ୟ ମୁଖ୍ୟ ପ୍ରିୟଦର୍ଶୀ ନନ୍ଦଙ୍କ ସମେତ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *