୩ ସିନିଅର୍ ଖେଳାଳି ଗିରଫ
ନାବାଳକ ଆଥଲେଟ୍ଙ୍କୁୁ ଯୌନ ନିର୍ଯାତନା
ଭୁବନେଶ୍ୱର/ରାଉରକେଲା (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ୍ ମିଟ୍ ଅବସରରେ ଜଣେ ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗ ହେବାପରେ ୩ ଜଣ ଖେଳାଳିଙ୍କୁ ଗିରଫ କରିଛି ଇମ୍ଫୋସିଟି ଥାନା ପୁଲିସ । ଗିରଫ ୩ ସିନିୟର ଖେଳାଳିଙ୍କ ମଧ୍ୟରୁ ଦୁଇ ଜଣ ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍ରୁ ଭାଗ ନେଇଥିଲୋବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍ ଟିମ୍ ପକ୍ଷରୁ ଭାଗ ନେଇଥିଲେ ।
ପୀଡ଼ିତ ନାବାଳକ ଖେଳାଳିଙ୍କ ଅଭିଯୋଗ ଅନୁଯାୟୀ, ସେ ଲଙ୍ଗ୍ଜମ୍ପରେ ଭଲ ପ୍ରଦର୍ଶନ ନ କରିବାରୁ ଏହି ସିନିୟର ଖେଳାଳିମାନେ ତାଙ୍କୁ ଡାକି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତା’ସହିତ ଆଣ୍ଠେଇ ଦେଇଥିଲେ । କିନ୍ତୁ ଏତିକିରେ ସରି ନଥିଲା ସେମାନଙ୍କ ନିର୍ଯାତନା । ଅଭିଯୁକ୍ତମାନେ ତାଙ୍କୁ ଉଲଗ୍ନ କରି ପାଖ ରୁମ୍ରେ ତାଙ୍କ (ପୀଡ଼ିତଙ୍କ) ସାଥୀମାନଙ୍କୁ ଡାକି ଦେଖାଇଥିଲେ । ଏମିତିକି ନାବାଳକ ଜଣଙ୍କ ଉଲଗ୍ନ ଅବସ୍ଥାରେ ଥିବାବେଳେ ଭିଡିଓ କଲ୍କରି ସେମାନଙ୍କ ବନ୍ଧୁମାନଙ୍କୁ ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ ।
ଏହି ଘଟଣା ପରେ ପୀଡ଼ିତଙ୍କ ପକ୍ଷରୁ ଗତକାଲି ଇମ୍ଫୋସିଟି ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ୍ ୪ ଜଣ ସିନିୟର ଖେଳାଳିଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା । ପୀଡ଼ିତଙ୍କ ମା’ଙ୍କ ଅଭିଯୋଗ କରିଥିଲେ ଉକ୍ତ ମାମଲାରେ ପୁଲିସ୍ ତାଙ୍କୁ ଏଫ୍ଆଇଆର୍ କପି ଦେଇ ନଥିଲା । ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦେଖି ଆଜି ସେମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଡିସିପିଙ୍କୁ ସାକ୍ଷାତ କରିବା ପରେ ଇମ୍ପୋସିଟି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଡିସିପି କହିଛନ୍ତି, ଇମ୍ଫୋସିଟି ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବାବେଳେ ଜଣେ ଏସିପି ଏହାର ତଦାରଖ କରୁଛନ୍ତି ।