‘ମୋ ସ୍କୁଲ୍ ଅଭିଯାନ’ରେ ସବୁ ସ୍କୁଲ୍ ଅନ୍ତର୍ଭୁକ୍ତ ହେଉ
ସୁସ୍ମିତା ବାଗ୍ଚୀଙ୍କ ଭଦ୍ରକ ଗସ୍ତ
ଭଦ୍ରକ (ଆପ୍ର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ଆଜି ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି । ବିଭିନ୍ନ ସ୍କୁଲ୍ ପରିଦର୍ଶନ ସହ ଅପରାହ୍ଣରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଲଗାତର ଦୁଇଟି ବୈଠକରେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୋ ସ୍କୁଲ୍ ଅଭିଯାନରେ ଭଦ୍ରକ ଜିଲ୍ଲାର ବ୍ଲକ୍ ଅନୁଯାୟୀ ସ୍ଥିତି, ପ୍ରଗତି, ସମସ୍ୟା, ଧାର୍ଯ୍ୟ ଲକ୍ଷ୍ୟ ଆଦି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଶ୍ରୀମତୀ ବାଗ୍ଚିଙ୍କ ସହ ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ସହଯୋଗୀ ଅଧିକାରୀ ଅମର ଜିତ୍ ଜେନା ମଧ୍ୟ ଏହି ବୈଠକରେ ଯୋଗଦେଇ ପ୍ରତି ବ୍ଲକର କାର୍ଯ୍ୟଧାରା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ବୈଠକରେ ପ୍ରଦତ୍ତ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ସମୁଦାୟ ୧,୩୩୮ ପ୍ରାଥମିକ ଓ ୩୧୨ ହାଇସ୍କୁଲ୍ ମଧ୍ୟରୁ ୧,୦୨୨ ପ୍ରାଥମିକ ଓ ୨୯୪ ହାଇସ୍କୁଲ୍ ଅର୍ଥାତ୍ ୭୬% ମୋ ସ୍କୁଲ୍ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇସାରିଛି । ୩୧୬ ପ୍ରାଥମିକ ଓ ୧୮ ହାଇସ୍କୁଲ୍ ଅର୍ଥାତ୍ ୨୪ % ବାକିଅଛି । ଯାହାକୁ ଆଗାମୀ ମଇ ଶେଷ ସୁଦ୍ଧା ଅନ୍ତଭୁକ୍ତ କରାଯିବାକୁ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବାଗ୍ଚି ସମୟ ଧାର୍ଯ୍ୟ କରିଥିଲେ । ଏଥିରେ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ୍ ୧୦୦% ହାସଲ କରିସାରିଥିଲା ବେଳେ ତିହିଡ଼ି ସର୍ବନିମ୍ନ ୨୪% ମାତ୍ର ପୂରଣ କରିପାରିଛି । ସମସ୍ତ ବିଇଓ, ମୋ ସ୍କୁଲ୍ ଦଳର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅନ୍ୟ ସଂପୃକ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ । ଏଡିଇଓ ଦୀପକ ପାଢ଼ୀ ଧନ୍ୟବାଦ ଦେଇଥିଲେ । ପରେ ମୋ ସ୍କୁଲ୍ ଅଭିଯାନରେ ସ୍କୁଲ୍ ପାଇଁ ଅବଦାନ ରଖିଥିବା କେତେ ଜଣ ଆଲୁମିନିଙ୍କୁ ନେଇ ବୈଠକ ଆରମ୍ଭ କରାଯାଇଥିଲା । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନରେ ଅନ୍ତର୍ଭୁକ୍ତ ସ୍କୁଲର କାର୍ଯ୍ୟ, ସଫଳ କାହାଣୀ, ଫଟୋ ଆଦି ରାଜ୍ୟସ୍ତରକୁ ଆନୁମିନି ୯୪୩୯୪୮୯୬୩୨ ନମ୍ବରରେ ହ୍ୱାଟ୍ସଅପ୍ରେ ପ୍ରେରଣ କରିପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା ।