ରାମ ନବମୀରେ ଦଙ୍ଗା
ନୂଆଦିଲ୍ଲୀ (ଏଜେନ୍ସି): ଦିନକ ପୂର୍ବେ ଦେଶବ୍ୟାପୀ ରାମ ନବମୀକୁ ଅତ୍ୟନ୍ତ ହର୍ଷୋଲ୍ଲାସ ସହ ପାଳନ କରାଯାଇଛି । ତେବେ ଦେଶର ୪ ରାଜ୍ୟର ୬ ସହରରେ ରାମ ନବମୀ ପାଇଁ ଆୟୋଜିତ ଶୋଭାଯାତ୍ରା ଅବସରରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ରବିବାର ରାମ ନବମୀ ଶୋଭାଯାତ୍ରା ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ଆଦି ୪ ରାଜ୍ୟର କେତେକ ସହରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଏବଂ ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଗଜୁରାଟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି । ଗଣମାଧ୍ୟମ ସୂତ୍ର ଅନୁସାରେ ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡାଜଳା ଓ ପଥର ମାଡ ହୋଇଛି ।
ମଧ୍ୟପ୍ରଦେଶରୁ ମିଳିଥିବା ସୂଚନାନୁସାରେ ରାମ ନବମୀ ପାଇଁ ଆୟୋଜିତ ଶୋଭାଯାତ୍ରାରେ ହିଂସାକାଣ୍ଡ ଏବଂ ପୋଡ଼ାଜଳା କାରଣରୁ ମଧ୍ୟପ୍ରଦେଶର ଖାର୍ଗୋନ୍ର କେତେକ ଅଞ୍ଚଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ କର୍ଫୁ୍ୟ ଜାରି କରିଦିଆଯାଇଛି । ପ୍ରାୟ ୭ଠ ପରିବାରଙ୍କୁ ନିଜ ଘର ଛାଡି ଅନ୍ୟତ୍ର ଯିବାକୁ ପଡ଼ିଛି । ଦଙ୍ଗାକାରୀମାନେ ପ୍ରାୟ ୩ଠରୁ ଅଧିକ ଘର ଜାଳିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏହାକୁ ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ଭାବେ ଗ୍ରହଣ କରିବା ସହ ଦଙ୍ଗାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସ୍କୁ ନିଦେ୍ର୍ଦଶ ଦେଇଥିବା ଜାଣିବାକୁ ମିଳିଛି । ଏପରିକି ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଢ଼ାଇବାକୁ ମଧ୍ୟ ସେ ନିଦେ୍ର୍ଦଶ ଦେଇଛନ୍ତି । ତେବେ ମଧ୍ୟପ୍ରଦେଶରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ପାଇଁ ଦାୟୀ ପ୍ରା ୭ଠଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏତଦ୍ବ୍ୟତୀତ କିଛି ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିନଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସେହିପରି ଗୁଜରାଟର ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଖମ୍ଭଟ ଏବଂ ସବରକଣ୍ଠ ଜିଲ୍ଲାର ହିମ୍ମତନଗରରେ ରାମ ନବମୀ ଶୋଭାଯାତ୍ରା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ସହ ହିନ୍ଦୁ ଧର୍ମାବଲମ୍ବୀଙ୍କ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି ଯେଉଁଥିରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଥିବା ବେଳେ ଖମ୍ଭଟ ଅଞ୍ଚଳର ଜଣେ ୬ଠ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଉଭୟ ରାଜ୍ୟରେ ଆୟୋଜିତ ରାମ ନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗାଫିଙ୍ଗି ଓ ପୋଡ଼ାଜଳା ହୋଇଥିବା ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାରା ୧୪୪ (କର୍ଫୁ୍ୟ) ଲଗାଯାଇଛି ।
ଏତଦ୍ବ୍ୟତୀତ ପଶ୍ଚିମବଙ୍ଗର ଶିବପୁର ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଆୟୋଜିତ ରାମ ନବମୀ ଶୋଭାଯାତ୍ରା କରାଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏଥିରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା । ପରେ ଏହା ହିଂସାକାଣ୍ଡ ରୂପ ଧାରଣ କରିଥିଲା । ମାଡ଼ପିଟ୍ ଏବଂ ପଥରମାଡ ଯୋଗୁଁ ଅନେକ ଲୋକ ଏଠାରେ ଆହତ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହାୱଡ଼ାରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ କର୍ଫୁ୍ୟ ଲାଗୁ କରିଦିଆଯାଇଛି । ଅନ୍ୟପକ୍ଷେ ଏହି ଘଟଣାକୁ କେନ୍ଦ୍ର କରି ପ୍ରଦେଶ ବିଜେପି ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ଉପରେ ଅଭିଯୋଗ ଲଗାଇଛି ଯେ, ସରକାରଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ପୁଲିସ ହିଁ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଛି ଏବଂ ଏହାକୁ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦେବାକୁ ଚେଷ୍ଟା କରିଛି । ଶୋଭାଯାତ୍ରାରେ ସାମିଲ ହୋଇଥିବା ଜନତାଙ୍କୁ ପୁଲିସ ମାରପିଟ୍ କରିଥିବା ବିଧାନସଭାରେ ବିରୋଧୀଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି । ସେହିପରି ଝାଡ଼ଖଣ୍ଡର ଲୋହରଦଗା ଅଞ୍ଚଳରେ ମଧ୍ୟ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା ଏବଂ ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏତଦ୍ବ୍ୟତୀତ ବୋକାରୋ ଅଞ୍ଚଳରେ ମଧ୍ୟ ଟେକା ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଉପଦ୍ରବକାରୀମାନେ ଉତ୍ତ୍ୟକ୍ତ ହୋଇ ଅନେକ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି । ଏପରିକି ରାଞ୍ଚôରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଉପରେ ମଧ୍ୟ ଟେକାପଥର ମାଡ଼ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଲୋହରଦଗା ଅଞ୍ଚଳରେ ଇଣ୍ଟନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।