କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧ଠା୪(ତଥ୍ୟ/ବୁ୍ୟରୋ): ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ନେଇ ବାରମ୍ବାର ଅଭିଯୋଗ ହେଉଛି । କ୍ରମାଗତ ଭାବେ ପ୍ରତ୍ୟେକ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଏହି ଅଭିଯୋଗର ବାସ୍ତବତାକୁ ସୂଚାଉଛି । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ସରକାର କେନ୍ଦ୍ରୀୟ ଅନୁଦାନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତି କରିଥାନ୍ତି । ମାତ୍ର ଓଡ଼ିଶାକୁ ଆଶାନୁସାରେ ଅନୁଦାନ ନ ମିଳିବା ବା ବିଗତ ବର୍ଷ ତୁଳନାରେ ଅନୁଦାନ ହ୍ରାସ ପାଇବା ଯୋଗୁ ରାଜ୍ୟ ପାଇଁ ଏହା ନିଶ୍ଚିତପକ୍ଷେ ଆହ୍ୱାନ ସୃଷ୍ଟି କରୁଛି ।
ଉଭୟ ଅଂଶଧନ ଟିକସ ଓ ଅନୁଦାନ ପରିମାଣ ପ୍ରାୟ ୯୫୦୦ କୋଟି ଟଙ୍କା କମ୍‌ ପାଇଛି ଓଡ଼ିଶା । ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରରୁ ୨୪,୧୫୨.୧୦ କୋଟି ଟଙ୍କାର ଅନୁଦାନ ପାଇଥିବାବେଳେ ୨୦୨୦-୨୧ ବର୍ଷରେ ଏହାର ପରିମାଣ ୨୩,୦୬୮.୩୪ କୋଟି ଟଙ୍କାକୁ କମିଗଲା । ୨୦୨୧-୨୨ରେ ଏହି ପରିମାଣ ଆହୁରି ମଧ୍ୟ କମିଯାଇଛି । ଆର୍ଥିକ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ପାଇଛନ୍ତି ୨୦,୪୬୫.୬୭ କୋଟି ଟଙ୍କା । ତେବେ ଅଂଶଧନ ଟିକସ ବାବଦରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇଛି । ୨୦୨୧-୨୨ ବଜେଟ୍‌ରେ କେନ୍ଦ୍ରରୁ ଏ ବାବଦରେ ୩୦,୧୩୬.୬୮ କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଆର୍ଥିକବର୍ଷ ଶେଷସୁଦ୍ଧା ଓଡିଶାକୁ ମିଳିଛି ୩୮,୧୪୪.୭୯ କୋଟି ଟଙ୍କା, ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି । ତେବେ ଉଭୟ ଅଂଶଧନ ଟିକସ ଓ ଅନୁଦାନ ଆକାରରେ କେନ୍ଦ୍ରକୁ ମିଳିଥିବା ଅର୍ଥ ରାଜ୍ୟର ଆଶା ଠାରୁ କମ୍‌ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଉଭୟ ଟିକସ ଓ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ ୫୮,୧୬୦ କୋଟି ଟଙ୍କା ପାଇଛନ୍ତି, ଯାହାକି ସରକାର ଆକଳନ କରିଥିବା ଅର୍ଥ ଠାରୁ ୯୪୯୦ କୋଟି ଟଙ୍କା କମ୍‌ ରହିଛି । ଉଲ୍ଲେଖନୀୟ ଯେ କେନ୍ଦ୍ରରୁ ମିଳିଥିବାକୁ ଥିବା ଅର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କର ବଜେଟ୍‌ ପ୍ରସ୍ତୁତ କରିଥାନ୍ତି ଓ କେନ୍ଦ୍ରୀୟ ଅଂଶଧନ ଟିକସ ଓ ଅନୁଦାନ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କର ଏଭଳି ଅନୁଦାନ ହ୍ରାସର କୌଣସି ଉତ୍ତର ରାଜ୍ୟ ସରକାରଙ୍କ ନିକଟରେ ନାହିଁ । କେନ୍ଦ୍ର ସରକାର ଅନୁଦାନ ହ୍ରାସ କରୁଥିବାବେଳେ ରାଜ୍ୟରୁ ଆଦାୟ କରୁଥିବା ସେସ୍‌ରୁ ମଧ୍ୟ କୌଣସି ଅର୍ଥ ପ୍ରଦାନ କରୁନାହାନ୍ତି । ଓଡିଶାରୁ ଆଦାୟ ହେଉଥିବା କୋଇଲା ସେସ୍‌ର ଅଂଶ ଓଡିଶାକୁ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ କହି ଆସୁଛନ୍ତି । ଓଡିଶା ଗୋଟିଏ କୋଇଲା ବହୁଳ ରାଜ୍ୟ ହୋଇଥିବାବେଳେ ସେସ୍‌ର ୬୦ ପ୍ରତିଶତ ପାଇଁ ଦାବିକରି ଆସୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଇଲା ସେସରୁ ୬୦ ପ୍ରତିଶତ ଦେବାପାଇଁ ଦାବି କରିଥିଲେ । ତେବେ ଏ ସଂକ୍ରାନ୍ତରେ କେନ୍ଦ୍ରରୁ କୌଣସି ପ୍ରତିଶ୍ରୁତି ମିଳିନାହିଁ ।
ଅନ୍ୟପକ୍ଷରେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ ରାଶି ଯଥେଷ୍ଟ ହ୍ରାସ ପାଉଛି । ମିଳିଥିବା ସୂଚନାନୁସାରେ, କେନ୍ଦ୍ରୀୟ ଅନୁଦାନରେ ଚାଲିଥିବା ୧୫ଟି ଯୋଜନାରୁ ୭ଟି ଯୋଜନାରେ ଟଙ୍କା ଟିଏ ବି ପ୍ରଦାନ କରାଯାଇନି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାକୁ ଚଳିତ ବଜେଟ୍ରେ ୧୪୧ କୋଟି ଟଙ୍କା ମିଳିବାର ଲକ୍ଷ୍ୟ ରହିଥିବାବେଳେ ଏ ବାବଦକୁ କୌଣସି ଅର୍ଥ ମିଳିନଥିବା ଜଣାପଡ଼ିଛି । ନ୍ୟାସ୍ନାଲ ଫୁଡ୍ ସିକୁ୍ୟରିଟି ମିଶନ୍ରେ ୧୪୪ କୋଟି ଜାଗାରେ ୫ଠ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୮୨ କୋଟି, ଆତ୍ମା ଯୋଜନାରେ ୬ଠ କୋଟି ମିଳିଛି, ଯାହା ଆଶାଠୁ ବେଶ୍ କମ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *