ପ୍ରଥମେ କାଶ୍ମୀର ବିବାଦର ସମାଧାନ

ଦେଶବାସୀଙ୍କୁ ସ୍ୱପ୍ନ ଦେଖାଇଲେ ଶେହବାଜ୍
ବିଲାୱାଲ୍ ଭୁଟ୍ଟୋ ହେବେ ବିଦେଶ ମନ୍ତ୍ରୀ!
ଇସଲାମାବାଦ୍ (ଏଜେନ୍ସି): ‘ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଆମ ପାଇଁ ପ୍ରାଥମିକତା ହେବ । ତେବେ ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଆଜି ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗକୁ ନେଇ ରହିଆସିଥିବା ବିବାଦର ସମାଧାନ ହେବା ଜରୁରି ।’ ପାକିସ୍ତାନର ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇଥିବା ବିରୋଧୀ ଦଳ ନେତା ତଥା ପାକିସ୍ତାନ୍ ମୁସଲିମ୍ ଲିଗ୍ (ଏନ୍)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସାଜିଥିବା ଶେହବାଜ୍ ଶରିଫ୍ (ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କ ଭାଇ) ପାକ୍ ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଶେହବାଜ୍ଙ୍କ କହିବାନୁସାରେ କାଶ୍ମୀର ବିବାଦର ସମାଧାନ ବିନା ଭାରତ ସହ ସମ୍ପର୍କ ସୁଧାରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ସମ୍ଭବ ନୁହେଁ ।
ଶେହବାଜ ଶରିଫ୍ କହିଛନ୍ତି, ତାଙ୍କ ଦଳ ସରକାର ଗଠନ କରିବା ନେଇ ସେ ଦୃଢ଼ ଆଶାବାଦୀ ରହିଛନ୍ତି । ତେବେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ଜାତୀୟ ସୌହାର୍ଦ୍ଦ୍ୟ ଏବଂ ଦଳୀୟ ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା ତାଙ୍କ ପାଇଁ ପ୍ରଥମ କାର୍ଯ୍ୟ ହେବ । ଏହା ପରେ ସେ ଦେଶର ବିପର୍ଯ୍ୟସ୍ତ ହୋଇପଡିଥିବା ଅର୍ଥନୀତିକୁ ପୁନର୍ବାର ଟ୍ରାକ୍କୁ ଆଣିବା ପାଇଁ କାର୍ଯ୍ୟ କରିବେ । ସେହିପରି ଅନ୍ତର୍ଜାତୀୟସ୍ତରରେ ଖରାପ ହୋଇଥିବା ପାକିସ୍ତାନର ଛବିକୁ ସୁୂଧାରିବା ତାଙ୍କ ପାଇଁ ସର୍ବବୃହତ୍ ଏବଂ ସର୍ବପ୍ରଥମ କାର୍ଯ୍ୟ ହେବ । ସବୁ ଦେଶ ସହ ସେ କୂଟନୀତି ଆଧାରରେ ଭାଇଚାରା ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଉଦ୍ୟମ କରିବେ । ଆଗାମୀ ଦିନରେ ପାକିସ୍ତାନରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ । ସେହିପରି ତାଙ୍କ ଦଳ ସରକାର ଗଠନ କଲେ କୌଣସି ଦଳ କିମ୍ବା ନେତାଙ୍କ କ୍ଷେତ୍ରରେ ପ୍ରତିଶୋଧ ପରାୟଣ ମନୋଭାବ ପୋଷଣ କରିବ ନାହିଁ ବୋଲି ଶରିଫ୍ ସ୍ପଷ୍ଟ କରିଛନ୍ତି ।
ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଆସନ୍ତାକାଲି ଶାସକ ଦଳର (ପିଟିଆଇ)ର ସମସ୍ତ ସାଂସଦ ଇସ୍ତଫା ଦେବା ସହ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଚୟନ କରାଯିବ । ଏଥିପାଇଁ ବିରୋଧୀ ଦଳ ପାକିସ୍ତାନ୍ ମୁସଲିମ୍ ଲିଗ୍ (ଏନ୍)ରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଇମ୍ରାନ ଖାନ୍ଙ୍କ ଦଳ (ପିଟିଆଇ)ରୁ ଶାହ ମହମ୍ମଦ କୁ୍ୟରେଶୀ (ଇମ୍ରାନ୍ ସରକାରରେ ବିଦେଶ ମନ୍ତ୍ରୀ ଥିଲେ) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ଶେହବାଜ୍ ତିନି ୩ ଥର ପାକ୍ ଅଧିକୃତ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ସେହିପରି, ‘ପାକିସ୍ତାନ୍ ପିପୁଲ୍ସ ପାର୍ଟି’ର ମୁଖ୍ୟ ବିଲାୱାଲ୍ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ବିଲ୍ୱାଲ୍ ଭୁଟ୍ଟୋ, ପାକିସ୍ତାନର ଦିଂବଗତା ମୁଖ୍ୟମନ୍ତ୍ରୀ ବେନର୍ଜି ଭୁଟ୍ଟୋ ଏବଂ ପ୍ରାକ୍ତନ ରାଷ୍ଟ୍ରପତି ଅସିଫ୍ ଅଲି ଜର୍ଦ୍ଦାରିଙ୍କ ପୁଅ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *