ଉଦ୍ଘାଟନ ପୂର୍ବରୁ ଶ୍ରେୟ ଲଢ଼େଇ
ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ
ଭୁବନେଶ୍ୱର/ପୁରୀ,୧ଠା୪(ବୁ୍ୟରୋ): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ହସ୍ପିଟାଲ୍ ଉଦ୍ଘାଟନ ପୂର୍ବରୁ ଶ୍ରେୟ ପାଇଁ ବିଜେପି-ବିଜେଡି ମଧ୍ୟରେ ଟଣାଭିଡ଼ା ଆରମ୍ଭ ହୋଇଯାଇଛି । ମେଡିକାଲ୍ କଲେଜ ଉଦ୍ଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ଆମନ୍ତ୍ରଣ କରିବା କଥା ବୋଲି ଟ୍ୱିଟ୍ କରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର । ଏହାର ଜବାବ୍ ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ମେଡିକାଲ୍ କଲେଜ ପାଇଁ କେନ୍ଦ୍ର ସରକାର ମୋଟ୍ ଖର୍ଚ୍ଚର ୧୭.୮ ପ୍ରତିଶତ ପାଣ୍ଠି ଦେଇଥିବାବେଳେ ରାଜ୍ୟ ସରକାର ବାର୍ଷିକ ୪ଠ କୋଟି ଟଙ୍କା ହିସାବରେ ବାକି ଖର୍ଚ୍ଚ ବହନ କରିବେ । ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେନି ।
ସମ୍ବିତ୍ କହିଛନ୍ତି, କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ମେଡିକାଲ୍ କଲେଜ ହସ୍ପିଟାଲ୍ ପ୍ରକଳ୍ପ ଉଦ୍ଘାଟନ କିମ୍ବା ଶିଳାନ୍ୟାସ ବେଳେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଇବା ଉଚିତ୍ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଥିଲେ । ଏହି ଚିଠିକୁ ସମ୍ବିତ୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଦେଶର ୧୫୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତିି ନେଇଥିଲେ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ତିନୋଟି ପର୍ଯ୍ୟାୟରେ ଏହି ମେଡିକାଲ୍ କଲେଜ ନିର୍ମାଣ କରାଯାଉଛି । ଯେଉଁଥିରେ ରାଜ୍ୟ ୪ଠ ପ୍ରତିଶତ ଅର୍ଥ ବହନ କରିବ ଏବଂ ବାକି ୬ଠ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ମିଳିବ । ପିଏମ୍ଏସ୍ଏସ୍ୱାଇ ଯୋଜନାରେ ରାଜ୍ୟରେ ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯାଉଛି । ୧୮୯ କୋଟି ବଜେଟ୍ରେ ନିର୍ମିତ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ପାଇଁ ୧୧୩.୪ଠ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ମିଳିସାରିଛି ।
ତେବେ ପୁରୀ ସାଂସଦ ପିନାକୀ ମିଶ୍ର ଟ୍ୱିଟରରେ ଜବାବ୍ ଦେଇ ଲେଖିଛନ୍ତି ଯେ ପୁରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ପାଇଁ ମୋଟ୍ ୬୩୪ କୋଟି ଟଙ୍କାରୁ ୧୧୩ କୋଟି (୧୭.୮%) ହେଉଛି କେନ୍ଦ୍ରୀୟ ଅନୁଦାନ । ବଳକା ଅର୍ଥ ବାର୍ଷିକ ୪ଠ କୋଟି ହିସାବରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବାକୁ ଯାଉଛନ୍ତି । ରାଜ୍ୟର ଲାଭ ପାଇଁ ଯାହା ବି ସହାୟତା ମିଳିଛି, ସେଥିପାଇଁ ଆମେ କୃତଜ୍ଞ । ସଠିକ୍ ପ୍ରୋଟୋକଲ୍ ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଅନ୍ୟପକ୍ଷରେ ବିଜେଡି ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟ ରଖି କହିଛନ୍ତି, ନବୀନ ବାବୁ କେବେ ହେଲେ ନିଜ ଢ଼ୋଲ ପିଟନ୍ତି ନାହିଁ । ଲୋକଙ୍କ ସମର୍ଥନ ହିଁ ଆମର ଶ୍ରେୟ ।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ର ବାଲିଗୁଆଳିଠାରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ରେ ସୋମବାରଠାରୁ ପ୍ରଥମ ବ୍ୟାଚ୍ର ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ୍ କଲେଜ୍ର ଉଦ୍ଘାଟନ କରିବେ । ତତ୍ସହିତ ନୂତନ ଭାବେ ଏମ୍ବିବିଏସ୍ ଛାତ୍ରୀଛାତ୍ରୀଙ୍କ ସହିତ ଏକଘଣ୍ଟା ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ । ସେଥିଲାଗି ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଞ୍ଚôଛି । ତେବେ ମୁଖ୍ୟମନ୍ତ୍ରୀ ସୋମବାର ଅପରାହ୍ଣ ୫ଟାରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାଲିଗୁଆଳି ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସେଠାରୁ ସିଧାସଳଖ ମେଡିକାଲ୍ କଲେଜ୍ ଉଦ୍ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ତତ୍ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା, ପୁଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ୍, କ୍ୟାଣ୍ଟିନ୍, ଲ୍ୟାବ୍, ଖେଳପଡ଼ିଆ, କ୍ଲାସ୍ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ପ୍ରସ୍ତୁତ ହୋଇଛି ।
ସୂଚନାଥାଉକି ଏହି ମେଡିକାଲ୍ କଲେଜ୍ ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ପରିସରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ।