ଦିନରାତି ବାଲି ଚାଲାଣ
ଜନଜୀବନ ବିପନ୍ନ
ବାଙ୍କୀ(ଆପ୍ର): ମହାନଦୀରୁ ବାଲି ଚାଲାଣ କରିବା ପାଇଁ କଣ୍ଟିଲୋଠାରୁ ମୁଣ୍ଡଳି ବ୍ରିଜ୍ ମଧ୍ୟରେ ଦୁଇଟି ଜିଲ୍ଲାର ୫ ବାଲିଘାଟକୁ ପ୍ରଶାସନ ପ୍ରତିବର୍ଷ ନିଲାମ କରୁଛି । ରାଜକୋଷକୁ ଯେଉଁ ପରିମାଣର ଅର୍ଥ ଯାଉଛି ତା’ ଠାରୁ ଶହଶହ ଗୁଣର ଅର୍ଥ ନିଲାମଧାରୀମାନେ ଆଦାୟ କରୁଛନ୍ତି । ହେଲେ ଜନସାଧାରଣଙ୍କ ଜୀବନ ପ୍ରତି ନା ପ୍ରଶାସନ ନା ନିଲାମଧାରୀ କାହାରି ଭୃକ୍ଷେପ ନାହିଁ ।
ନିଲାମ ନେଇଥିବା ପ୍ଲଟରୁ ବାଲି ନ ଉଠାଇ ଇଚ୍ଛା ଅନୁସାରେ ଧାର୍ଯ୍ୟ ବାଲିଠାରୁ ବହୁଗୁଣାରେ ବାଲି ବିକି୍ର କରାଯାଉଛି । ରାତାରାତି କୋଟିପତି ହେବା ନିଶା ନିଲାମ ନେଇଥିବା ବ୍ୟକ୍ତତିଙ୍କୁ ଘାରିଛି । ଅପରପକ୍ଷେ ବାଲି ଚାଲାଣ କରୁଥିବା ହାଇୱା ମାଲିକମାନେ ୨୪ ଘଣ୍ଟା ବାଲି ବୋହି ଜନସାଧାରଣଙ୍କ ପାଇଁ ରାସ୍ତାରେ ବିପଦ ସୁଷ୍ଟି କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ରାଜନିତିକ ଚାପ ଓ ବାଲିମାଫିଆଙ୍କ ଗୁଣ୍ଡାରାଜ ଯୋଗୁଁ ଜନସଧାରଣ, ସମାଜସେବୀ ଓ ବୁଦ୍ଧିଜୀବୀ ମୁହଁ ଖୋଲି ପାରୁନାହାନ୍ତି ।
ସବୁ ଘାଟ ଅପେକ୍ଷା ବୈ÷ଦେଶ୍ୱର ଘାଟରେ ମୋଟା ବାଲି ରହିଛି । ନିର୍ମାଣ କାମରେ ଏହାର ଅଧିକ ଚାହିଦା ଥିବାରୁ ଆବଶ୍ୟକତାଠାରୁ ଅଧିକ ବାଲି ଉଠାଇ ନିଲାମଧାରୀ ବାଲିଘାଟ ଖୋଳୁଛନ୍ତି । ରାତିଦିନ ବାଲି ବୋଝେଇ ହାଇୱା, ଟିପର, ଟ୍ରକ୍ ଚାଲୁଥିବାରୁ ରାସ୍ତାରେ ଖାଲ ଖମା ସହିତ ଯାତାୟାତ ବିପଦଜ୍ଜନକ ହୋଇଛି । ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି । ପ୍ରତିକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ, ବାଙ୍କୀ ବୁଦ୍ଧିଜୀବୀ ପରିଷଦ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ବିଶେଷକରି ବୈ÷ଦେଶ୍ୱରରୁ କଳାପଥର ରାସ୍ତାର ଦୁୂରାବସ୍ଥା ଓ ସଙ୍କୀର୍ଣ୍ଣତା କାରଣରୁ ବାଲି ବୋଝେଇ ହାଇୱା ଜନତାଙ୍କ ପାଇଁ ବିପଦ ସୃଷ୍ଟି କରୁଛି ।