ସେମିରେ ହାରିଲା ଭାରତ
କନିଷ୍ଠ ମହିଳା ହକି ବିଶ୍ୱକପ୍
ପୋଚେଫ୍ଷ୍ଟ୍ରୁଫ୍, ୧୦ା୪ (ଏଜେନ୍ସି): ଏଫ୍ଆଇଏଚ୍ କନିଷ୍ଠ ମହିଳା ବିଶ୍ୱକପ୍ରେ ଭାରତୀୟ ଟିମ୍ର ସ୍ୱପ୍ନିଳ ଯାତ୍ରା ବାଧାପ୍ରାପ୍ତ ହୋଇଛି । ରବିବାର ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଭାରତ ୦-୩ରେ ନେଦରଲାଣ୍ଡ୍୍ସଠାରୁ ହୃଦୟ-ବିଦାରକ ପରାଜୟ ବରଣ କରିଛି ।
ଟୁର୍ଣ୍ଣାମେଣ୍ଟ ଇତିହାସରେ ୨୦୧୩ ସଂସ୍କରଣରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଥିଲା । ଏଥର କିନ୍ତୁ ମୁକୁଟ ପର୍ଯ୍ୟାୟରେ ପ୍ରବେଶ ଲକ୍ଷ୍ୟ ନେଇ ଭାରତୀୟ ଟିମ୍ ଆଗକୁ ବଢ଼ିଥିଲା । ସେମିଫାଇନାଲ୍ ପୂର୍ବ ଯାଏଁ ଭାରତ ଅପରାଜେୟ ରହିଥିଲା ଏବଂ ଗୁଣାତ୍ମକ ହକି ଖେଳିଥିଲା ।
ଅନ୍ତିମ-୪ରେ ନେଦରଲାଣ୍ଡ୍ସ ଟିମ୍ ଭାରତ ଆଗରେ ଅନ୍ତରାୟ ସୃଷ୍ଟି କରିଥିଲା । ତେସା ବୀତସ୍ମ (୧୨ତମ), ଲୁନା ଫୋକେ (୫୩ତମ) ଓ ଜିପ୍ ଡିକେ (୫୪ତମ) ଗୋଲ୍ ସ୍କୋର୍ କରି ଡଚ୍ ଟିମ୍କୁ କ୍ରମାଗତ ଚତୁର୍ଥ ଥର ଫାଇନାଲ୍ରେ ପହଞ୍ଚାଇଥିଲେ । ହେଲେ ଭାରତ ଗୋଟିଏ ବି ଗୋଲ୍ ପରିଶୋଧ କରି ପାରି ନ ଥିଲା ।
ଭାରତ ଦୃଢ଼ତାର ସହ ମ୍ୟାଚ୍ ଆରମ୍ଭ କରି ଆଦ୍ୟଭାଗରେ ଆଧିପତ୍ୟ ବିସ୍ତାର କରିଥିଲା । ଟୁର୍ଣ୍ଣାମେଣ୍ଟରେ ଏ ଯାବତ୍ ଭାରତ ପକ୍ଷରୁ ସର୍ବାଧିକ ୬ଟି ଗୋଲ୍ ଦେଇଥିବା ମମତାଜ ଖାଁ ଟିମ୍କୁ ସଅଳ ଅଗ୍ରଣୀ ଦେବାର ନିକଟତର ହୋଇଥିଲେ, ହେଲେ ଅଧିନାୟିକା ସଲିମା ଟେଟେଙ୍କ ପାସ୍ ପାଇଥିବା ମମତାଜଙ୍କ ସଟ୍ ପୋଷ୍ଟରେ ଯାଇ ବାଜିଥିଲା ।
ପ୍ରଥମ କ୍ୱାର୍ଟରରେ ଭାରତ ଡଚ୍ ଗୋଲ୍ ଉପରେ ଚାପ ପକାଇଥିଲା । ଫଳସ୍ୱରୂପ ତିନି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ କୌଣସିଟି କାମରେ ଆସି ନ ଥିଲା । ଇତ୍ୟବସରେ ନେଦରଲାଣ୍ଡ୍୍ସ ୧୨ତମ ମିନିଟ୍ରେ ବୀତସ୍ମଙ୍କ ଏକ ଚିତ୍ତାକର୍ଷକ ଫିଲ୍ଡ ଗୋଲ୍ ଜରିଆରେ ଅଗ୍ରଣୀ ହାସଲ କରିଥିଲା । ଏହାକୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲ୍ ଆଖ୍ୟା ଦିଆଯାଉଛି, କାରଣ ଗୋଲ୍ ପଥରେ ୨୦ ପାସ୍ ରହିଥିଲା ।
ଏହି ଗୋଲ୍ ମ୍ୟାଚ୍ର ରୂପ ବଦଳାଇ ଦେଇଥିଲା ଏବଂ ଏହିଠାରୁହିଁ ଡଚ୍ ଟିମ୍ ମ୍ୟାଚ୍ ଉପରେ ଅନେକାଂଶରେ ନିୟନ୍ତ୍ରଣ ହାସଲ କରିଥିଲା । ବିପକ୍ଷ ଦଳର ଘନ ଘନ ଆକ୍ରମଣ ଯୋଗ୍ୁଁ ଭାରତୀୟ ରକ୍ଷଣପନ୍ଥୀ ଚାପଗ୍ରସ୍ତ ହୋଇଥିଲା । ମଧ୍ୟାନ୍ତର ସୁଦ୍ଧା ନେଦରଲାଣ୍ଡ୍୍ସ ୧-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଡଚ୍ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିଥିଲା । ଅନ୍ୟପଟେ ଭାରତୀୟ ଟିମ୍ ପାଲଟା ଆକ୍ରମଣ ପାଇଁ ସୁଯୋଗ ଅପେକ୍ଷା ଥିଲା । ତୃତୀୟ କ୍ୱାର୍ଟରରେ କେହି କାହାରି ବିପକ୍ଷରେ ଗୋଲ୍ କରି ପାରି ନ ଥିଲେ ।
୫୩ତମ ମିନିଟ୍ରେ ଡଚ୍ ଟିମ୍ ୨-୦ରେ ଅଗ୍ରଣୀ ହୋଇଥିଲା । ନୂର୍ ଓମରାନୀଙ୍କଠାରୁ ଏକ ସୁନ୍ଦର କ୍ରସ୍-ଫିଲ୍ଡ ପାସ୍ ପାଇଥିବା ଫୋକେଙ୍କ ରିଭର୍ସ ହିଟ୍ ଭାରତୀୟ ଗୋଲ୍କିପର୍ ବିଚୁ ଦେବୀ ଖରିବାମ୍ଙ୍କୁ ଅତିକ୍ରମ କରି ଗୋଲ୍ରେ ପହଞ୍ଚିଥିଲା । ଏହାର ଏକ ମିନିଟ୍ ପରେ ନେଦରଲାଣ୍ଡ୍୍ସ ଆଉ ଏକ ଗୋଲ୍ ଦେଇ ଭାରତଠାରୁ ଆପାତତଃ ମ୍ୟାଚ୍ ଛଡ଼ାଇ ନେଇଥିଲା । ଡିକେ ଏହି ଫିଲ୍ଡ ଗୋଲ୍ ଦେଇଥିଲେ । ଶେଷ ଯାଏଁ ଭାରତୀୟ ଟିମ୍ ଗୋଟିଏ ବି ଗୋଲ୍ ଦେଇ ପାରି ନ ଥିଲା ।