ତିନିମୁଣ୍ଡିଆ ଛକରେ ଅଟକିଲା

୨ ବର୍ଷ ପରେ ଭକ୍ତ ଟାଣିଲେ ରୁକୁଣା ରଥ
ଭୁବନେଶ୍ୱର,୯ା୪(ବୁ୍ୟରୋ): ପବିତ୍ର ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଛି । ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣି ନେଇଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କୁ ରଥ ଟାଣିବାର ସୁଯୋଗ ମିଳିଛି । ଭକ୍ତଙ୍କ ଗହଣରେ ମାଉସୀମା’ଙ୍କ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ରଥଯାତ୍ରାକୁ ନେଇ ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ନୀତିକାନ୍ତିରେ ବିଳମ୍ବ ଯୋଗୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା । ସୂର୍ଯ୍ୟାସ୍ତ ହୋଇଯିବାରୁ ତିନିମୁଣ୍ଡିଆ ଛକଠାରେ ରଥ ଅଟକିଛି । ରବିବାର ସକାଳେ ନୀତିକାନ୍ତି ପରେ ପୁଣି ରଥ ଟଣା ହେବ ।
ଯାତ୍ରା ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ରଥରେ ସଖୀ ଖଞ୍ଜା ହୋଇଥିଲେ ଓ ଘୋଡ଼ା ଯୋଚା ହୋଇଥିଲେ । ପୂଜା ପରେ ପହଣ୍ଡି ଆରମ୍ଭ ହୋଇଥିଲା । ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି । ରଥରେ ବିଜେ କରିବା ପରେ ପ୍ରଭୁଙ୍କ ନୀତିକାନ୍ତି କରାଯାଇଥିଲା । ଏହାପରେ ରଥ ଟଣା ହୋଇଥିଲା । ଭକ୍ତମାନେ ମହାଆନନ୍ଦରେ ମାଉସୀମା’ ମନ୍ଦିର ଅଭିମୁଖେ ରଥ ଟାଣି ନେଇଥିଲେ । ଏକାମ୍ର କ୍ଷେତ୍ର ଘଣ୍ଟଘଣ୍ଟା, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । କୋଭିଡ୍ ସ୍ଥିତି ଯୋଗୁ ରଥଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଭକ୍ତମାନେ ରଥ ଟାଣିବାରୁ ବଞ୍ଚିତ ହୋଇଥିଲେ । କରୋନା କଟକଣା ପାଇଁ ୨ଠ୨ଠରେ ଶେଷ ମୁହୂର୍ତ୍ତରେ ରଥଯାତ୍ରାକୁ ବନ୍ଦ କରାଯାଇଥିଲା । ସେହିପରି ୨ଠ୨୧ରେ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେବେ ଦୁଇବର୍ଷ ପରେ ଭକ୍ତ ରୁକୁଣା ରଥ ଟାଣିଛନ୍ତି । ରଥଟଣା ସମୟରେ ଶାନ୍ତିଶୃଙ୍ଖଳା ପାଇଁ ୨ଠ ପ୍ଲାଟୁନ୍ ଫୋର୍ସ ଓ ୯ଠ ଜଣ ପୁଲିସ୍ ଅଧିକାରୀ ନିୟୋଜିତ ହୋଇଥିଲେ । ୫ ଦିନର ଏହି ଯାତ୍ରା ପରେ ଆସନ୍ତା ୧୩ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।
ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି । ଏହା ପରେ ରଥକୁ ରାମେଶ୍ୱର ମନ୍ଦିରକୁ ଭକ୍ତ ଟାଣି ନିଅନ୍ତି । ରୁକୁଣା ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ । ପଞ୍ଚମ ଦିନ ଲିଙ୍ଗରାଜ ମନ୍ଦିରକୁ ବାହୁଡ଼ି ଆସନ୍ତି ତିନି ବିଗ୍ରହ । ଏହି ରଥ ପଛକୁ ଫେରେ ନାହିଁ । ଯେଉଁଭଳି ଯାଇଥାଏ, ରଥକୁ ପୁଣି ସେହିଭଳି ଅଣାଯାଏ । ସେଥିପାଇଁ ‘ରୁକୁଣା ରଥ ଅଣଲେଉଟା’ ବୋଲି କୁହାଯାଏ । ବାହୁଡ଼ା ଦିନ ରଥକୁ ବୁଲାଇବା ବଦଳରେ ଦଉଡ଼ି, ଘୋଡ଼ା ଓ ବିଗ୍ରହଙ୍କ ସିଂହାସନକୁ ରଥର ବିପରୀତ ଦିଗରେ ଉପବେସନ କରାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *