ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪(ବୁ୍ୟରୋ): ଖୁବ୍ଶୀଘ୍ର ହୋଇପାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ । ପାୱାର କରିଡରକୁ ପୁଣିଥରେ ଫେରିଛି ଏଭଳି ଚର୍ଚ୍ଚା । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଏବେ ମନ୍ତ୍ରୀମାନଙ୍କ ମାସିକିଆ ରିପୋର୍ଟ କାର୍ଡ ମଗାଯିବା ପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ମିଳିଛି ।
ମିଳିଥିବା ସୂଚନାନୁସାରେ, ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବା ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନୂଆ ମନ୍ତ୍ରୀମଣ୍ଡଳ ଟିମ୍ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଦାୟିତ୍ୱ ନେବା ପରେ ବିଭାଗର ପ୍ରଦର୍ଶନ କିପରି ରହିଛି? କେଉଁ ସବୁ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି? ବିଭାଗରେ ୫-ଟି କାର୍ଯ୍ୟକାରୀ ହେବା ପରେ କ’ଣ କ’ଣ ପରିବର୍ତ୍ତନ ହୋଇଛି? ଜନତାଙ୍କ ନିକଟରେ ବିଭାଗ ଉତ୍ତରଦାୟୀ ରହି କାର୍ଯ୍ୟ କରିପାରିଛି କି? କେଉଁସବୁ ଦିଗ ପ୍ରତି ବିଭାଗ ସଜାଗ ନ ରହିବାରୁ ସମସ୍ୟା ଉପୁଜିଛି? ଏମିତି କିଛି ବିନ୍ଦୁକୁ ନେଇ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ ତିଆରି କରିବାକୁ କୁହାଯାଇଛି । ମନ୍ତ୍ରୀ ଯାହା ରିପୋର୍ଟ ଦେବେ ତାହା ଯେ ଚୂଡ଼ାନ୍ତ ସେଭଳି ନୁହେଁ, ସମାନ୍ତରାଳ ଭାବେ ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମଧ୍ୟ ରିପୋର୍ଟ ସଂଗ୍ରହ କରାଯାଇଛି ।
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏହା ପ୍ରାଥମିକ ଅଙ୍କକଷା ବୋଲି ପାୱାର କରିଡର ବିଚାର କରୁଛି । ସବୁ ବିଭାଗର ସମୀକ୍ଷା ପରେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ । ଏହାପରେ ନବୀନ ନୂଆ ମନ୍ତ୍ରୀଙ୍କୁ ନେଇ ତାଙ୍କ ଟିମ୍ ଗଠନ କରିବେ । ତେବେ ଫୋକସ୍ରେ ରହିବ ୨ଠ୨୪ ସାଧାରଣ ନିର୍ବାଚନ । ଯେଉଁ ମନ୍ତ୍ରୀମାନେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିବେ, ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ୨ଠ୧୭ରେ ପଞ୍ଚାୟତ ନିର୍ବାଚନ ପରେ ଯୁବ ମନ୍ତ୍ରୀମାନେ ଇସ୍ତଫା ଦେଇ ସଂଗଠନ କାର୍ଯ୍ୟରେ ମନୋନିବେଶ କରିଥିଲେ । ଏହାର ଫଳ ୨ଠ୧୯ ନିର୍ବାଚନରେ ଦଳକୁ ମିଳିଥିଲା । ତେଣୁ ୨ଠ୨୪ ମିଶନ୍ ପାଇଁ ମଧ୍ୟ ସମାନ ଫର୍ମୁଲା ନବୀନ ଆପଣାଇ ପାରନ୍ତି । ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହାଛଡ଼ା କିଛି ନିଗମ ଓ ବୋର୍ଡରେ ମଧ୍ୟ ଦାୟିତ୍ୱ ବଦଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ମାଗିବା ପରେ ସବୁ ବିଭାଗ ଏବେ ଚଳଚଞ୍ଚଳ ହୋଇଛି । ଗତ ମାସ ମଧ୍ୟରେ ମନ୍ତ୍ରୀମାନେ ନିଜ ନିଜ ବିଭାଗରେ କେତେ ଦକ୍ଷତାର ସହ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସଫଳ ହୋଇଛନ୍ତି ସେନେଇ ରିପୋର୍ଟ ଦେବେ । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଦକ୍ଷତା ମାପିବେ । ୨ଠ୧୯ ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପରଠାରୁ ମନ୍ତ୍ରୀମାନେ ରିପୋର୍ଟ କାର୍ଡ ଦେଇଆସୁଥିଲେ । ତେବେ କୋଭିଡ୍ ମହାମାରୀ ଯୋଗୁ କିଛି ମନ୍ତ୍ରୀ ରିପୋର୍ଟ ଦେଇନଥିଲେ । ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ୟସ୍ତତା ଯୋଗୁ ମଧ୍ୟ କେତେକ ମନ୍ତ୍ରୀ ସେମାନଙ୍କ ମାସିକିଆ ରିପୋର୍ଟ କାର୍ଡ ପ୍ରସ୍ତୁତ କରିପାରିନଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *