ପୁଲିସ୍ ମାଲିକାନାରେ ମଦ କାରଖାନା
ବ୍ରହ୍ମପୁର, ୯ା୪ (ବୁ୍ୟରୋ): ପୁଲିସ ଚାକିରି କରି ବି ବେଆଇନ ଭାବେ ଅଧିକ ଅର୍ଥ ରୋଜଗାର କରିବାର ନିଶା ଚଢ଼ିଥିଲା । ପୁଲିସ ଚାକିରି କରିଥିବାରୁ କାହାରି ସନେ୍ଦହ ଦଇଥିଲା କି ଧରାପଡ଼ିବାର ଭୟ ମଧ୍ୟ ନ ଥିଲା । ସେଥିପାଇଁ ନକଲି ମଦ କାରଖାନା ମାଧ୍ୟମରେ ବିପୁଳ ଅର୍ଥ ରୋଜଗାର କରୁଥିଲେ । ଏଭଳି ଜଣେ ଧୃତ ପୁଲିସ କନେଷ୍ଟବଳଙ୍କୁ ଦିଗପହଣ୍ଡି ଅଞ୍ଚଳରୁୂ ଗିରଫ କରାଯାଇଛି ।
ଦିଗପହଣ୍ଡି ଥାନା ଲଙ୍ଗଳଦେଈର ଏକ ଘରେ ଚାଲିଥିବା ନକଲି ମଦ କାରଖାନା ଠାବ କରିଛି ବଡ଼ବଜାର ପୁଲିସ୍ । କାରଖାନା ଚଳାଉଥିବା ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ଚିନମିନି ବାରିକଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇ ନକଲି ମଦ, ମଦ ପ୍ରସ୍ତୁତ ଲାଗି ଉଦ୍ଦିଷ୍ଟ ସରଞ୍ଜାମ ଜବତ କରାଯାଇଛି । ସମସ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଲଙ୍ଗଳଦେଈ ହନୁମାନ ନଗରର ଚିନମିନି, ବଡ଼ବଜାର ଥାନା ଗେହ୍ଲାତୁଲା ସାହିର ବାବୁ ସାହୁ ଓ ବାଉରୀସୁକୁଣ୍ଡା ଗ୍ରାମର ରାନୋଜ ଦାସ । ଚିନମିନି ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ବମ୍ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିବା ଜଣାପଡିଛି । ଶୁକ୍ରବାର ବଡ଼ବଜାର ଥାନା ଅଞ୍ଚଳରୁ ରାନୋଜକୁ ପୁଲିସ୍ ସନେ୍ଦହରେ କାବୁକରି ପଚରାଉଚୁରା କରିବା ପରେ ସେ ଏହି ନକଲି ମଦ କାରଖାନାରେ କାର୍ଯ୍ୟ କରୁଥିବା କହିବା ସହିତ ସବିଶେଷ ତଥ୍ୟ ଦେଇଥିଲା ।
ବଡ଼ବଜାର ପୁଲିସ ଶନିବାର ସକାଳେ ନକଲି ମଦ କାରଖାନାରେ ଚଢ଼ାଉ କରି ୪୦୪ ନକଲି ମଦ ବୋତଲ, ୭୨ଲିଟର ବିଦେଶୀ ମଦ, ମଦ ତିଆରି ସରଞ୍ଜାମ, ଏକ ଅଟୋରିକ୍ସା (ଓଡି୦୭ଏଏ-୦୫୨୮) ଇତ୍ୟାଦି ଜବତ କରିଥିବା ଜଣାପଡ଼ିଛି ।