ଭାରତ ରୁଷରୁ ତେଲ କିଣିପାରିବ
ଏନ୍ଏସ୍ଏର ଧମକ ପରେ ଆମେରିକାର ୟୁ-ଟର୍ଣ୍ଣ
ୱାଶିଂଟନ(ଏଜେନ୍ସି): ଭାରତ-ଋଷ ମଧ୍ୟରେ ହେବାକୁ ଥିବା ବ୍ୟବସାୟକୁ ନେଇ ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ)ର ଜଣେ ଅଧିକାରୀ ଭାରତକୁ ଧମକ ଦେଇଥିଲେ । ପରେ ଏହାକୁ ନେଇ ନିଜର ମତ ପରିବର୍ତ୍ତନ କରିଛି ଆମେରିକା । ଗତ ମାର୍ଚ୍ଚ ୩୦ତାରିଖରେ ଏନ୍ଏସ୍ଏର ଡେପୁଟି ଦଲିପ ସିଂହ ଭାରତ ଗସ୍ତ ସମୟରେ ଭାରତ ବିପକ୍ଷରେ ଏପରି ମନ୍ତବ୍ୟ ଦେଇ ବେଶ ଚର୍ଚ୍ଚାରେ ଥିଲେ । ଯଦି ଚୀନ ଏଲ୍ଏସି ଉଲ୍ଲଂଘନ କରେ, ତେବେ ଭାରତର ସହାୟତା ପାଇଁ ଋଷ ଦୌଡି ଆସିବ ବୋଲି ଶ୍ରୀ ସିଂହ କଟାକ୍ଷ କରିଥିଲେ । ଏହା ଏକ ଧମକ ବୋଲି ଭାରତ ପକ୍ଷରୁ ଅଭିଯୋଗ ହୋଇଥିଲା ।
କିନ୍ତୁ ଏନ୍ଏସ୍ଏର ଡେପୁଟି ଦଲିପ ସିଂହଙ୍କ ବୟାନ କୌଣସି ଚେତାବନୀ ନୁହେଁ ବୋଲି ଆମେରିକା ପକ୍ଷରୁ ଶନିବାର ସ୍ପଷ୍ଟୀକରଣ ପ୍ରଦାନ କରିଛି । ଭାରତ ପାଇଁ ଆବଶ୍ୟକ ତେଲ ମଧ୍ୟରୁ ପ୍ରାୟ ୨ପ୍ରତିଶତ ଋଷରୁ ଆମଦାନୀ ହୋଇଥାଏ । ମାତ୍ର ପ୍ରାୟ ୧୦ପ୍ରତିଶତ ତେଲ ଆମେରିକାରୁ ଆମଦାନୀ ହୋଇଥାଏ । ତେବେ ଋଷରୁ ତେଲ କିଣିବା ଭାରତର ନିଷ୍ପତ୍ତି ନିଜସ୍ୱ । ଫଳରେ ଋଷରୁ ତେଲ କିଣିବା ଭାରତ ପାଇଁ ଆମେରିକାର କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଋଷ ଉପରେ ଥିବା ବିଶ୍ୱାସ ହ୍ରାସ କରୁ ବୋଲି ଶ୍ରୀ ସିଂହ ନିଜ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, ଭାରତ ବିଭିନ୍ନ ଦେଶରୁ ତେଲ ଆମଦାନୀ କରିଥାଏ । ଆବଶ୍ୟକ ହେଉଥିବା ୮୫ପ୍ରତିଶତ ଅଶୋଧିତ ତୈଳ ଭାରତ ଆମଦାନୀ କରେ । ସେଥିରୁ ମାତ୍ର ୨ ପ୍ରତିଶତ ତେଲ ଭାରତ ଋଷରୁ କିଣିଥାଏ । ଆମେରିକାରୁ ୧୦ ପ୍ରତିଶତ ସମେତ ଅନ୍ୟ ଦେଶରୁ ଭାରତ ତେଲ ଆମଦାନୀ କରିବା ସହ କେବଳ ମଧ୍ୟପ୍ରାଚ୍ୟ ଦେଶ ଗୁଡିକରୁ ୬୦ ପ୍ରତିଶତ ତେଲ ଆମଦାନୀ କରିଥାଏ ବୋଲି ଜଣାପଡିଛି ।
ଇତିମଧ୍ୟରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବିରାମ ହେଉନାହିଁ । ୟୁକ୍ରେନରେ ହୋଇଥିବା ନରସଂହାର ଘଟଣାକୁ ନେଇ ମିଳିତ ଜାତିସଂଘରୁ ଋଷକୁ ବହିଷ୍କାର କରାଯାଇଛି । ଏନେଇ ଜାତିସଂଘରେ ହୋଇଥିବା ଭୋଟିଂରେ ଭାରତ ବିରତ ରହିବା ଦ୍ୱାରା ଆମେରିକା କ୍ଷୋଭ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଭାରତ ସମେତ ୫୮ଟି ଦେଶ ଭୋଟ ଦେବାରୁ ବିରତ ରହିଥିଲେ ।