ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
କର୍ଣ୍ଣାଟକରେ ହଇଚଇ
ନୂଆଦିଲ୍ଲୀ(ଏଜେନ୍ସି): କର୍ଣ୍ଣାଟକର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬୪ ଜଣଙ୍କୁ ହତ୍ୟା ଧମକ ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦେ୍ଧରମୟା, ଏଚ.ଡି. କୁମାରସ୍ୱାମୀ, ପ୍ରସିଦ୍ଧ ସାହିତ୍ୟିକ କେ.ବୀରଭଦ୍ରପ୍ପାଙ୍କ ସମେତ ରାଜ୍ୟର ୬୪ଜଣ ବ୍ୟକ୍ତିବିଶେଷଙ୍କୁ ସୋସାଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଜଣାପଡିଛି । ଏହାକୁ ନେଇ କର୍ଣ୍ଣାଟକରେ ଏକପ୍ରକାର ହଇଚଇ ସୃ୍ଷ୍ଟି ହୋଇଛି ।
ସୋସାଲ ମିଡିଆରେ ଭାଇରାଲ ହୋଇଥିବା ଏହି ମେସେଜରୁ ଜଣାପଡିଛି ଯେ, ମୃତୁ୍ୟ ତୁମ ମୁଣ୍ଡ ଉପରେ ଏବଂ ମରିବା ପାଇଁ ପ୍ରସ୍ତୁତ ରୁହ ବୋଲି କୁହାଯାଇଛି । ଏଥିରେ ନିଜକୁ ଜଣେ ସହିଷ୍ଣୁ ହିନ୍ଦୁ ବୋଲି ପରିଚୟ ଦେଇଥିବା ଏହି ବ୍ୟକ୍ତିଙ୍କ କହିବାନୁସାରେ, ନିଜ ନିଜ ପରିବାର ସଦସ୍ୟଙ୍କୁ ଜଣାଇବା ସହ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସମୟରେ ହୋଇଥିବା ଏପରି ଧମକକୁ ହାଲୁକା ଭାବେ ନନେବାକୁ ସେ ଚେତାବନୀ ଦେଇଛନ୍ତି । ସାଂପ୍ରଦାୟିକ ଧୃବୀକରଣ ଉପରେ ସରକାରଙ୍କ ନିରବତାକୁ ବିରୋଧ କରୁଥିବା ରାଜ୍ୟର ଲେଖକ କେ.ବୀରଭଦ୍ରପ୍ପାଙ୍କ ସମେତ ଅନ୍ୟ ଲେଖକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଧମକ ପ୍ରଦାନକାରୀ ଏହି ବ୍ୟକ୍ତିଜଣକ ଚେତାବନୀ ପ୍ରଦାନ କରିଛନ୍ତି ।