ହାଇଦ୍ରାବାଦର ପ୍ରଥମ ବିଜୟ
ଆଇପିଏଲ୍ ୨୦୨୨ । ୧୭ତମ ମ୍ୟାଚ୍
ପୁଣି ହାରିଲା ଚେନ୍ନାଇ, ଅଭିଷେକ ଶ୍ରେଷ୍ଠ ଖେଳାଳି
ମୁମ୍ବାଇ, ୯ା୪ (ଏଜେନ୍ସି): ପୁଣି ପରାଜିତ ହୋଇଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ଆଇପିଏଲ୍ ଇତିହାସରେ ଟିମ୍ ପାଇଁ ପ୍ରଥମ ଘଟଣା – ପ୍ରାରମ୍ଭିକ ଚାରି ମ୍ୟାଚ୍ରେ କ୍ରମାଗତ ପରାଜୟ । ରବୀନ୍ଦ୍ର ଜାଡ଼େଜା ନେତୃତ୍ୱ ନେବା ପରଠାରୁ ଟିମ୍ ପାଇଁ ଅନ୍ଲକି ସାବ୍ୟସ୍ତ ହୋଇଛନ୍ତି ଏବଂ ଟିମ୍ ଏ ଯାବତ୍ ଖାତା ଖୋଲି ପାରି ନାହିଁ ।
ଶନିବାର ଚଳିତ ଆଇପିଏଲ୍ ସିଜନ୍ର ୧୭ତମ ମ୍ୟାଚ୍ରେ ଚେନ୍ନାଇ ଟିମ୍ ସନ୍ରାଇଜର୍ସ ହାଇଦ୍ରାବାଦଠାରୁ ୮ ୱିକେଟ୍ରେ ପରାଜିତ ହୋଇଛି । କ୍ରମାଗତ ଦୁଇଟି ପରାଜୟ ପରେ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି । ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ହାଇଦ୍ରାବାଦର ଅଭିଷେକ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ହାଇଦ୍ରାବାଦର ଅଧିନାୟକ କେନ୍ ୱିଲିଅମ୍ସନ୍ ଟସ୍ ଜିତି ଫିଲ୍ଡି କରିବାକୁ ନିଷ୍ପତ୍ତି ନେଇଥିଲା । ଜାଡ଼େଜା ସିଏସ୍କେ ପାଇଁ ୧୫୦ତମ ମ୍ୟାଚ୍ ଖେଳିଥିଲେ । ଚେନ୍ନାଇ ପକ୍ଷରୁ ୧୫୦ ମ୍ୟାଚ୍ ଖେଳିବାରେ ସେ ମହେନ୍ଦ୍ର ସିଂ ଧୋନି (୨୧୭) ଓ ସୁରେଶ ରାଇନା (୨୦୦)ଙ୍କ ପରେ ତୃତୀୟ ଖେଳାଳି ହୋଇ ପାରିଛନ୍ତି ।
୧୫୫ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ହାଇଦ୍ରାବାଦର ଦୁଇ ଓପନର୍ – ଅଭିଷେକ ଓ ଅଧିନାୟକ କେନ୍ ୱିଲିଅମ୍ସନ୍ ୮୯ ରନ୍ର ଭାଗୀଦାରୀ କରି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ୱିଲିଅମ୍ସନ୍ ୩୨ ରନ୍ କରି ମୁକେଶ ଚୌଧରୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଅଭିଷେକ ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀଙ୍କ ସହ ମିଶି ଟିମ୍କୁ ବିଜୟର ନିକଟବର୍ତ୍ତୀ କରାଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ସେମାନେ ୫୬ ରନ୍ ଯୋଗ କରିଥିଲେ । ଅଭିଷେକ ୫୦ ବଲ୍ରୁ ୭୫ ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୩ ଛକା ରହିଥିଲା । ଏହାପରେ ରାହୁଲ ତ୍ରିପାଠୀ ଓ ନିକୋଲାସ୍ ପୂରନ୍ ମିଶି ଇନିଂସ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ହାଇଦ୍ରାବାଦ ଟିମ୍ ୧୭.୪ ଓଭର୍ରେ ୨ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା । ରାହୁଲ ୧୫ ବଲ୍ରୁ ୩୯ ଓ ପୂରନ ୫ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍କେର ଆରମ୍ଭ ଭଲ ନ ଥିଲା । ଦୁଇ ଓପନର୍ – ରବିନ୍ ଉଥାପ୍ପା (୧୫) ଓ ଋତୁରାଜ ଗାଏକୱାଡ଼ (୧୬) ବିଫଳ ହୋଇଥିଲେ । ନଟରାଜ ପୁଣି ଥରେ ନିରାଶ କରିଥିଲେ । ଏହାପରେ ମୋଇନ ଅଲୀ ଓ ଅମ୍ବାତି ରାଇଡ଼ୁ ମିଶି ଇନିଂସ୍ ସମ୍ଭାଳିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଗ କରିଥିଲେ ।
ରାଇଡ଼ୁ ୨୭ ରନ୍ କରିଥିବା ବେଳେ ମୋଇନ ୩୫ ବଲ୍ରୁ ୪୮ ରନ୍ର ଇନିଂସ୍ ଖେଳିଥିଲେ । ଶିବମ୍ ଦୁବେ (୩) ଓ ମହେନ୍ଦ୍ର ସିଂ ଧୋନି (୩) ଉଭୟ ନିରାଶ କରିଥିଲେ । ତେବେ ଅଧିନାୟକ ଜାଡ଼େଜା ୧୫ ବଲ୍ରୁ ୨୩ ରନ୍ର ଉପଯୋଗୀ ଇନିଂସ୍ ଖେଳିଥିଲେ । ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା । ବ୍ରାଭୋ ୮ ଓ କ୍ରିସ୍ ଜୋର୍ଡାନ୍ ୬ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ୱାଶିଂଟନ ସୁନ୍ଦର ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।