ଷ୍ଟେସନ୍ ଉପରେ ମିସାଇଲ ମାଡ଼
କିବ୍/ ମସ୍କୋ (ଏଜେନ୍ସି): ରୁଷ-ୟୁକ୍ରେନ୍ ଯୁଦ୍ଧ ୪୪ ଦିନ ଅତିକ୍ରମ କରିଛି । ଏହି ସମୟ ସୁଦ୍ଧା ରୁଷ୍ ସେନା, ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ ଛାରଖାର କରିସାରିଛନ୍ତି । ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରତ୍ୟାହାର ନିଦେ୍ର୍ଦଶ ମିଳିନଥିବାରୁ ସେମାନେ ଆକ୍ରମଣ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁସାରେ ଶୁକ୍ରବାର ରୁଷ୍ ସେନା ପକ୍ଷରୁ ପୂର୍ବ ୟୁକ୍ରେନ୍ର କ୍ରାମାତୋରସ୍କ ସହର ରେଳ ଷ୍ଟେସନ୍ ଉପରେ ୨ଟି କ୍ରୁଜ୍ ମିସାଇଲ୍ ଆଟାକ୍ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୫ଠ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୧ଠଠରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି ରୁଷ୍ ସେନାର ଏପ୍ରକାର ଆକ୍ରମଣକୁ ନିନ୍ଦା କରିବା ସହ ରୁଷ ପ୍ରତିପକ୍ଷ (ରାଷ୍ଟ୍ରପତି) ଭ୍ଲାଦିମିର ପୁତିନ୍ଙ୍କୁ ଜଣେ ଅତ୍ୟନ୍ତ ନିଷ୍ଠୁର ବ୍ୟକ୍ତି (ଯାହାର କୌଣସି ସୀମା ନାହିଁ) ଭାବେ ଅଭିହିତ କରିଛନ୍ତି । ଯୁଦ୍ଧ ନିୟମ ଅନୁସାରେ କୌଣସି ରେଳ ଷ୍ଟେସନ୍, ଆଶ୍ରୟ ସ୍ଥଳ, ସ୍କୁଲ, ହସ୍ପିଟାଲ ଆଦି ଉପରେ ଆକ୍ରମଣ କରାନଯିବା ପାଇଁ ନିୟମ ରହିଥିବା ସତ୍ତ୍ୱେ ରୁଷ୍ ସେନା ବାରମ୍ବାର ୟୁକ୍ରେନ୍ରେ ଏହିସବୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପୂର୍ବକ ଯୁଦ୍ଧ ଅପରାଧ କରିଚାଲିଥିବା ୟୁକ୍ରେନ୍ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଆସୁଛି । ଏସବୁ ମଧ୍ୟରେ ଶୁକ୍ରବାର ରେଳ ଷ୍ଟେସନ୍ ଉପରେ ହୋଇଥିବା କ୍ରୁଜ୍ ମିସାଇଲ୍ ଆକ୍ରମଣ ରୁଷ୍କୁ ବିଶ୍ୱସ୍ତରରେ ଆହୁରି ଅଧିକ ନିନ୍ଦିତ କରାଇଛି । ଏହାପୂର୍ବରୁ ବୁଚା ସହରରେ ରୁଷ୍ ସେନା ଦ୍ୱାରା କରାଯାଇଥିବା ନରସଂହାର, ମହିଳା, ନାବାଳିକାଙ୍କ ପ୍ରତି ଯୌନ ଶୋଷଣ, ନୀରିହ ଲୋକଙ୍କ ହାତଗୋଡ ବାନ୍ଧି ଗୁଳି କରି ହତ୍ୟା କରିବା ଭଳି ଅତ୍ୟନ୍ତ ପାଶବିକ ପ୍ରବୃତ୍ତି ସମ୍ପର୍କରେ ପ୍ରମାଣ ମିଳିବା ପରଠାରୁ ରୁଷ୍ ଉପରେ ଅର୍ନ୍ତଜାତୀୟସ୍ତରରେ ଚାପ ସୃଷ୍ଟି ହେବାରେ ଲାଗିଛି । ବୁଚା ନରସଂହାର ଘଟଣା ଉପରେ ଦିନକ ପୂର୍ବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ରୁଷ୍କୁ ତୀବ୍ର ନିନ୍ଦା କରାଯିବା ସହ ପରିଷଦରୁ ବାସନ୍ଦ କରିଦିଆଯାଇଛି । ଆମେରିକା, ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷ୍ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରିବାରେ ଲାଗିଛନ୍ତି । ଯାହାକି ଆଗାମୀ ଦିନରେ ରୁଷ୍କୁ ଆର୍ଥିକ ସ୍ତରରେ ଅତ୍ୟନ୍ତ ଦେବାଳିଆ କରିଦେବ ବୋଲି ଅନୁମାନ କରାଯାଉଛି । ମୋଟାମୋଟି ବିଶ୍ୱ ଦରବାରରେ ରୁଷ୍କୁ ଏକଘରିଆ କରିଦେବା ଉଦେ୍ଦଶ୍ୟରେ ଏପ୍ରକାର କଟକଣା ଜାରି ରହିଥିବା ବେଳେ ଏବେ ରେଳ ଷ୍ଟେସନ୍ ଉପରେ ଆକ୍ରମଣ ରୁଷ୍ ପାଇଁ ପରିସ୍ଥିତିକୁ ଅଧିକ ଖରାପ କରିଦେବ ବୋଲି କୁହାଯାଉଛି । ପ୍ରକାଶ ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମୟରେ ନାଗରିକମାନଙ୍କୁ ଉଦ୍ଧାର ଓ ସ୍ଥାନାନ୍ତରିତ କରିବା ପାଇଁ ଏହି ରେଳ ଷ୍ଟେସନ୍କୁ ବ୍ୟବହାର କରାଯାଉଥିଲା । ଡ଼ୋନେଟସ୍କ ରାଜ୍ୟପାଳନ ପାଓଲ କ୍ୟାରିଲୋଙ୍କୋଙ୍କ କହିବାନୁସାରେ ମିସାଇଲ୍ ଆକ୍ରମଣ ସମୟରେ ୟୁକ୍ରେନ୍ର ପ୍ରାୟ ୧ଠଠଠରୁ ଊଦ୍ଧ୍ୱର୍ ନାଗରିକ ଏହି ରେଳ ଷ୍ଟେସନ୍ରେ ଥିଲେ ଏବଂ ସୁରକ୍ଷିତ ଅଞ୍ଚଳକୁ ଯିବାକୁ ଚେଷ୍ଟା କରୁଥିଲେ । ତେବେ ରୁଷ୍ ପକ୍ଷରୁ ଆକ୍ରମଣ ହେବା ପରେ ଟ୍ରେନ୍ ଚଳାଚଳକୁ ବାତିଲ କରିଦିଆଯାଇଛି ଯାହାଦ୍ୱାରା ସ୍ଥାନାନ୍ତର ପ୍ରକ୍ରିୟା ପ୍ରଭାବିତ ହୋଇଛି । ଅପରପକ୍ଷେ ଶୁକ୍ରବାର ରେଲୱେ ଷ୍ଟେସନ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ରୁଷ୍ ଏବେ ୟୁକ୍ରେନ୍ ଉପରେ ଦୋଷାରୋପ କରିବା ଆରମ୍ଭ କରିଛି । ମିଳିଥିବା ସୂଚନାନୁସାରେ ପୂର୍ବ ୟୁକ୍ରେନ୍ରେ ଥିବା ଏହି ରେଳ ଷ୍ଟେସନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ରୁଷ୍ ଅସ୍ୱୀକାର କରିଛି । ୟୁକ୍ରେନ୍, ବିଶ୍ୱସ୍ତରରେ ସହାନୁଭୂତି ହାସଲ କରିବା ପାଇଁ ନିଜେ ଏପ୍ରକାର ଆକ୍ରମଣ କରିଥିବା ରୁଷ୍ ପାଲଟା ଅଭିଯୋଗ କରିଛି । ଏସବୁ ମଧ୍ୟରେ ମାଡ଼ କରାଯାଇଥିବା ମିସାଇଲ୍ ଆମର ନୁହେଁ, ବରଂ ୟୁୂକ୍ରେନ୍ ସେନାର ବୋଲି ରୁଷ୍ ଦାବି କରିଛି । ଏପ୍ରକାର ସ୍ଥିତିରେ ଏହି ଆକ୍ରମଣ କିଏ କରିଛି ସେସମ୍ପର୍କରେ ଏକ ଅଜବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ୟୁକ୍ରେନୀୟ ସହରଗୁଡ଼ିକରେ ଆକ୍ରମଣ କରିବା ବେଳେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ରୁଷ୍ ନିଜର ବିପୁଳ ସୈନ୍ୟ ହରାଇଥିବା କଥାକୁ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ।