ଜଜ୍ଙ୍କୁ ବଦନାମ କରାଯାଉଛି

ସରକାରଙ୍କ ଏପରି ପ୍ରବୃତ୍ତି ଦୁର୍ଭାଗ୍ୟଜନକ: ସିଜେଆଇ
ନୂଆଦିଲ୍ଲୀ, ୮ା୪: ରାୟ ପସନ୍ଦ ନ ଆସିଲେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବିଚାରପତିଙ୍କୁ ବଦନାମ କରାଇବାର ଏକ ନୂଆ ଧାରା ଆଜିକାଲି ଚାଲିଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେଶର ବିଚାରପତିମାନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରାଯାଉଥିବା ନେଇ ଉଦ୍ବେଗ ପ୍ରକାଶ ପୂର୍ବକ ଏପରି ଟିପ୍ପଣୀ ଦେଇଛନ୍ତି ଦେଶର ପ୍ରଧାନ ବିଚାରପତି ଏନ୍ ଭି ରମନା । ପ୍ରଧାନ ବିଚାରପତି ମଧ୍ୟ ପୁଲିସ୍ର କାର୍ଯ୍ୟଧାରା ଉପରେ ପୂର୍ବରୁ ପ୍ରଶ୍ନ ଠାଇଥିଲେ ।
ଦୁଇଟି ବିଶେଷ ଅବକାଶ ପିଟିସନ୍ର ଶୁଣାଣି କରିବା ମଧ୍ୟରେ ପ୍ରଧାନ ବିଚାରପତି ପୂର୍ବୋକ୍ତ ଟିପ୍ପଣୀ ଦେଇଛନ୍ତି । ସେହି ୨ଟି ମାମଲା ହେଲା ଉଚିତ ଶର୍ମା ବନାମ ଛତିଶଗଡ଼ ରାଜ୍ୟ ଓ ଛତିଶଗଡ଼ ରାଜ୍ୟ ବନାମ ଅମନ କୁମାର ସିଂହ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ଦୁଇ ପୃଥକ୍ ପୃଥକ୍ ଅପିଲ୍ ଉପରେ ଶୁଣାଣି କରୁଥିଲେ । ଛତିଶଗଡ଼ର ପୂର୍ବତନ ପ୍ରଧାନ ଶାସନ ସଚିବ ଅମନ ସିଂହ ଓ ତାଙ୍କ ପତ୍ନୀ ୟାସ୍ମିନ୍ ସିଂହଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଏଫ୍ଆଇଆର୍ ରୁଜୁ କରାଯାଇଥିଲା । ଅମନ ଓ ୟାସ୍ମିନ୍ଙ୍କ ବେନାମୀ ସମ୍ପତ୍ତି ସମ୍ବନ୍ଧୀୟ ସୂଚନା ଦେଇଥିଲେ ଜନୈକ ଉଚିତ ଶର୍ମା । ଅମନ ସିଂହଙ୍କ ବିରୋଧରେ ରାଜ୍ୟ ପୁଲିସ୍ ପକ୍ଷରୁ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିବା ଲାଗି ହାଇକୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଜ୍ କରି ସୁପି୍ରମ୍ କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଅପିଲ୍ ରୁଜୁ ହୋଇଛି, ତାହାର ଶୁଣାଣି ଚାଲିଥିବା ବେଳେ ଜିଫ୍ ଜଷ୍ଟିସ୍ ଏଭଳି କଠୋର ଟିପ୍ପଣୀ ଦେଇଛନ୍ତି । ପ୍ରଧାନ ବିଚାରପତି ରମନା କହିଛନ୍ତି, ଆପଣମାନଙ୍କ ଭିତରେ ଯେଉଁ ଲଢ଼େଇ ଚାଲିଛି ତାହା ଆପଣମାନଙ୍କ ଭିତରେ ସୀମିତ ରହୁ; କୋର୍ଟଙ୍କୁ ବଦନାମ ଉଦ୍ୟମ କରନ୍ତୁ ନାହିଁ । ଯାହା ଦେଖାଯାଉଛି ଜଜ୍ମାନଙ୍କୁ ବଦନାମ କରିବାର ଗୋଟିଏ ଧାରା ଆରମ୍ଭ ହୋଇଯାଇଛି । ଏହି ଅଦାଲତରେ ମଧ୍ୟ ମୁଁ ସେହି ଧାରା ଚାଲିଥିବାର ଲକ୍ଷ୍ୟ କରୁଛି । ଏହା ଗୋଟିଏ ନୂଆ ଧାରା । ଲାଇଭ୍ ଲ’ ୱେବ୍ସାଇଟ୍ରେ ଏ ସମ୍ବନ୍ଧୀୟ ବିବରଣୀ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ସରକାରଙ୍କ ବିରୋଧରେ ଟିପଣୀ ଦେବା ପରିପ୍ରେକ୍ଷୀରେ ଛତିଶଗଡ଼ ରାଜ୍ୟ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଖଣ୍ଡପୀଠଙ୍କ ସମକ୍ଷ୍ୟରେ କହିଥିଲେ ଯେ, ଏଭଳି ପ୍ରସଙ୍ଗରେ ସେ ଆଦୌ ଚାପ ପକାଉ ନାହାଁନ୍ତି । ଅଗତ୍ୟା ନ୍ୟାୟମୂର୍ତ୍ତି ରମନା ଜୋର୍ ଦେଇ କହିଲେ, ପୂର୍ବେ କେବଳ ବେସରକାରୀ ପକ୍ଷମାନେ ରାୟ ନାପସନ୍ଦ ହେଲେ ସମ୍ପୃକ୍ତ ବିଚାରପତିଙ୍କୁ ନିନ୍ଦା କରୁଥିଲେ । ଆଜିକାଲି ଆମେ ପ୍ରତିଦିନ ସେଭଳି କଥା ଦେଖୁଛୁ । ଆପଣ ଜଣେ ବରିଷ୍ଠ ଆଇନଜୀବୀ । ଆପଣ ଆମଠାରୁ ଏକଥା ଆହୁରି ଅଧିକ ଦେଖିଛନ୍ତି । ଏହା ଗୋଟିଏ ନୂଆ ଧାରା ହୋଇଛି । ସରକାର ନ୍ୟାଧୀଶମାନଙ୍କୁ ବଦନାମ କରିବାର ଧାରା ଆରମ୍ଭ କରିଦେଇଛନ୍ତି ଯାହା ଦୁର୍ଭାଗ୍ୟଜନକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *