‘ଏ’ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ୧୯୬ଠ, ଏଫ୍ଏକୁ୍ୟ ୧୯୪ଠ ଟଙ୍କା

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ପୁରୀ (ବୁ୍ୟରୋ): ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଅଧ୍ୟକ୍ଷତା କରିଥିଲେ । ଚଳିତ ରବି ଋତୁ ପାଇଁ ଏପର୍ଯ୍ୟନ୍ତ ୧୪୭୧୭ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୨୦ ନୂତନ ଏବଂ ୮୨୯୭ ନବୀକରଣ ନିମନ୍ତେ ପଞ୍ଜିକୃତ କରିଛନ୍ତି । ପଞ୍ଜୀକରଣ ପ୍ରକ୍ରିୟା ଆହୁରି ଦୁଇଦିନ ବାକି ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ଆଶା କରାଯାଉଛି । ଗତବର୍ଷ ୧୨୮୬୦ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଚାଷୀଙ୍କ ଠାରୁ ଧାନ କିଣିବା ନିମନ୍ତେ ୧୦୧ଟି ପ୍ରାଥମିକ ସେବା ସମବାୟ ସମିତି ଓ ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ । ଗତବର୍ଷ ୩୫୫୫୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ଋତୁରେ ଅଧିକ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଆସନ୍ତା ମାସ ୯ ତାରିଖରୁ ବ୍ରହ୍ମଗିରି ଓ କଣାସ ବ୍ଲକ୍ ଏବଂ ୧୬ ତାରିଖରୁ ଅନ୍ୟ ବ୍ଲକ୍ ଗୁଡ଼ିକରୁ ଧାନ ସଂଗ୍ରହ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏଫ୍ଏକୁ୍ୟ ତଥା ବିକ୍ରୟ ଯୋଗ୍ୟ ଧାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଏବଂ ଗ୍ରେଡ୍ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୧୯୬୦ ଟଙ୍କା ଭାବେ ସଂଗ୍ରହ କରାଯିବ । ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ସୋସାଇଟ୍ ଏବଂ ନିୟନ୍ତ୍ରିତ ବଜାର କମିଟିକୁ ଦାୟିତ୍ୱ ଦିଆଯିବା ସହ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ପରାମର୍ଶ ଦେଇଛନ୍ତି । ସେହିଭଳି ଅଦିନିଆ ବର୍ଷାରୁ ରକ୍ଷା ପାଇବା ପାଇଁ ପଲିଥିନ ବ୍ୟବସ୍ଥା ନିମନ୍ତେ ଉପ ଜିଲ୍ଲାପାଳ ଭବତରଣ ସାହୁ କହିଛନ୍ତି । ଧାନ ସଂଗ୍ରହରେ କୌଣସି ସମସ୍ୟା ଥିଲେ ଚାଷୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ଟୋଲ୍ ଫ୍ରି ନଂ ୧୯୬୭ ସହ ଯୋଗାଯୋଗ କରିପାରିବେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବିଧାୟକ ପ୍ରତିନିଧି, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା, ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ, ମିଲର, ଚାଷୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *