ସୁଟ୍ଆଉଟ୍ରେ ହାରିଲା ଭାରତ

ଭୁବନେଶ୍ୱର, ୯ା୪ (ବୁ୍ୟରୋ): କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସ ବିପକ୍ଷ ମହିଳା ଡବଲ୍-ହେଡର୍ର ଦ୍ୱିତୀୟ ମ୍ୟାଚ୍ରେ ଶନିବାର ଭାରତୀୟ ମହିଳା ଟିମ୍ ନିଜ କ୍ଷମତା ଅନୁରୂପ ପ୍ରଦର୍ଶନ କରି ନ ପାରି ୧-୩ ପେନାଲ୍ଟି ସୁଟ୍ଆଉଟ୍ରେ ପରାଜିତ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୧-୧ ସମାନ ସ୍ଥିତିରେ ରହିଥିଲା । ଏହା ପୂର୍ବରୁ ଶୁକ୍ରବାର ଭାରତ ନିଜ ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଥିଲା ।
ଭାରତୀୟ ଟିମ୍ ଏହାପରେ ଜୁନ୍ ୧୧ ଓ ୧୨ରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ ପାଇଁ ବେଲ୍ଜିୟମ୍ ଯାତ୍ରା କରିବ । ଭାରତ ମ୍ୟାଚ୍ରୁ ଏକ ପଏଣ୍ଟ ପାଇ ଟେବୁଲ୍ରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ଯେତେବେଳେକି ନେଦରଲାଣ୍ଡ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛି । ଡଚ୍ ଟିମ୍ ଆଠଟି ମ୍ୟାଚ୍ରୁ ୧୯ ପଏଣ୍ଟ ପାଇଥିବା ବେଳେ ଭାରତ ସମାନସଂଖ୍ୟକ ମ୍ୟାଚ୍ରୁ ୧୬ ପଏଣ୍ଟ ପାଇଛି ।
ରାଜିନ୍ଦର କୌର ମ୍ୟାଚ୍ର ପ୍ରଥମ ମିନିଟ୍ରେ ସ୍କୋର୍ କରିଥିଲେ । ବିଶ୍ୱର ନଂ.୧ ନେଦରଲାଣ୍ଡ୍ସ ନିଜର ଦ୍ୱିତୀୟ ସ୍ତରର ଟିମ୍ ସହ ମଇଦାନକୁ ଓହ୍ଲାଇଥିଲା, ଯେଉଁଥିରେ ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଟିମ୍ର କୌଣସି ଖେଳାଳି ନ ଥିଲେ । ଟିମ୍ ପକ୍ଷରୁ ୫୩ତମ ମିନିଟ୍ରେ ଅଧିନାୟିକା ଜାନ୍ସେନ୍ ୟିବି ଗୋଲ୍ ପରିଶୋଧ କରିଥିଲେ ।
ଜାନ୍ସେନ୍ ଡଚ୍ ଟିମ୍ର ସବୁଠାରୁ ଅଭିଜ୍ଞ ଖେଳାଳି ଥିଲେ, ଯିଏକି ଶନିବାର ମ୍ୟାଚ୍ ପୂର୍ବରୁ ମୋଟ୍ ୨୪ ମ୍ୟାଚ୍ ଖେଳିଥିଲେ । ଏହାଛଡ଼ା ଆଉ ଚାରି ଜଣ ଡଚ୍ ଖେଳାଳି ୧୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ଅନ୍ୟପଟେ, ଭାରତୀୟ ଅଧିନାୟିକା ଓ ଗୋଲ୍କିପର୍ ସବିତା ସବୁଠାରୁ ଅଭିଜ୍ଞ ଖେଳାଳି ଭାବେ ୨୨୩ ମ୍ୟାଚ୍ ଖେଳିଥିଲେ ।
ଭାରତୀୟ ଟିମ୍ରେ ଟୋକିଓ ଅଲିମ୍ପିକ୍ରେ ଚତୁର୍ଥ ସ୍ଥାନ ପାଇଥିବା ଟିମ୍ର ତିନିଜଣ ପ୍ରମୁଖ ଖେଳାଳି – ଲାଲରେମସିଆମି, ସଲିମା ଟେଟେ ଓ ଶର୍ମିଲା ଦେବୀ ନ ଥିଲେ । ତେବେ ଶୁକ୍ରବାର ବିଜୟ ନେଦରଲାଣ୍ଡ୍ସ ବିପକ୍ଷରେ ଭାରତର ଦଶନ୍ଧି ପରେ ପ୍ରଥମ ସଫଳତା ଥିଲା ।
ସୁଟ୍ଆଉଟ୍ରେ ଭାରତ ପକ୍ଷରୁ କେବଳ ନବନୀତ କୌର ଗୋଲ୍ ଦେଇଥିଲେ । ରାଜବିନ୍ଦର, ନେହା ଓ ଜ୍ୟୋତି ଲକ୍ଷ୍ୟଚୁ୍ୟତ ହୋଇଥିଲେ । ଅନ୍ୟପଟେ, ନେଦରଲାଣ୍ଡ୍ସ ପକ୍ଷରୁ ବାରେଣ୍ଟସେନ୍ ମାରେଣ୍ଟେ, ଫର୍ଚୁଏନ୍ କାଇରା ଓ ଜାନ୍ସେନ୍ ସ୍କୋର୍ କରିଥିବା ବେଳେ ମୋର୍ଗେନଷ୍ଟେର୍ନ ବିଫଳ ହୋଇଥିଲେ । ଏହି ମ୍ୟାଚ୍ରେ ଡଚ୍ ଟିମ୍ ଛଅଟି ପେନାଲ୍ଟି କର୍ଣ୍ଣର ପାଇଥିଲା । ସେଥି ମଧ୍ୟରୁ ଷଷ୍ଠ ପିସିରୁ ଗୋଲ୍ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *