ବିଦା ହେଲେ ଇମ୍ରାନ୍

ଇସ୍ଲାମବାଦ୍, ୯ା୪: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନକୁ ଟାଳିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ଦଳ ପିଟିଆଇର ସାଂସଦମାନଙ୍କ ସମସ୍ତ ଉଦ୍ୟମ ପଣ୍ଡ ହୋଇଯାଇଛି । ମଧ୍ୟରାତ୍ରି ପରେ ଭୋଟିଂରେ ସରକାରଙ୍କ ପରାଜୟ ଘଟିବାରୁ ଇମ୍ରାନ୍ ଅତ୍ୟନ୍ତ ଅପମାନଜନକ ଭାବେ ପଦଚୁ୍ୟତ ହୋଇଛନ୍ତି । ପାକିସ୍ତାନର ୭୫ ବର୍ଷର ଇତିହାସାରେ ଅନାସ୍ଥା ଭୋଟ୍ରେ ହାରି କ୍ଷମତାଚୁ୍ୟତ ହେବାରେ ଇମ୍ରାନ୍ ପ୍ରଥମ ପ୍ରଧାନମନ୍ତ୍ରୀ । ଏବେ ବିରୋଧୀ ଦଳ ନେତା ଶହୱାଜ୍ ଶରିଫ୍ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ଇମ୍ରାନ୍ଙ୍କ ସମେତ ପୂର୍ବତନ ବାଚସ୍ପତି ଓ ଉପବାଚସ୍ପତିଙ୍କୁ ଯେକୌଣସି ସମୟରେ ଗିରଫ କରାଯିବା ଆଶଙ୍କା ପ୍ରକାଶ ପାଇଛି ।
ବିରୋଧୀ ଦଳମାନଙ୍କ ପକ୍ଷରୁ ଇମ୍ରାନ୍ ସରକାର ବିରୋଧରେ ଗତ ରବିବାର ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର (ଏପ୍ରିଲ ୯) ଭୋଟିଂ ପାଇଁ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ । ବାଚସ୍ପତି ଅସଦ କୈସର ଗୃହକୁ ୪ ଥର ବିଭିନ୍ନ ବାହାନାରେ ମୁଲତବୀ ରଖି ଇମ୍ରାନ୍ଙ୍କ ସହ ୩୦ ବର୍ଷର ସମ୍ପର୍କ ଦୃଷ୍ଟିରୁ ଅନାସ୍ଥା ଭୋଟିଂ କରାଇ ଦେବେ ନାହିଁ ବୋଲି କହିଥିଲେ । ତେବେ ମଧ୍ୟରାତ୍ରି ପରେ ଗୃହ ବୈଠକ ପଞ୍ଚମ ଥର ଆରମ୍ଭ ହେବା ପୂର୍ବରୁ ସେ ଇସ୍ତଫା ଦେଲେ । ତାଙ୍କ ସହିତ ଉପବାଚସ୍ପତି ମଧ୍ୟ ପଦ ତ୍ୟାଗ କଲେ । ପରେ ପରେ ପିଟିଆଇର ସାଂସଦମାନେ ସଂସଦ ଗୃହ ବାହାରକୁ ଚାଲିଯାଇଥିଲେ । ଇତିମଧ୍ୟରେ ବିରୋଧୀ ଦଳର ଅୟାଜ ୟାଦିକ ବାଚସ୍ପତି ଆସନରେ ବସି ଭୋଟିଂ ଆରମ୍ଭ କରିଥିଲେ । ସଦନରେ କେବଳ ବିରୋଧୀ ସଦସ୍ୟମାନେ ଉପସ୍ଥିତ ଥିଲେ । ତେଣୁ କମ୍ ସମୟ ମଧ୍ୟରେ ଅନାସ୍ଥା ଭୋଟ୍ ପାସ୍ ହୋଇଥିଲା ।
ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଓ ମତଦାନକୁ ଏଡାଇବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ଦଳ ପକ୍ଷରୁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ରିଭୁ୍ୟ ପିଟିସନ୍ ଦାଖଲ ଉଦ୍ୟମ ମଧ୍ୟ ହୋଇଥିଲା । ଇମ୍ରାନ୍ ଖାନ୍ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ପ୍ରକାଶ୍ୟ ଘୋଷଣା କରିବା ସହ ନିଜ ଦଳର ସମର୍ଥକମାନଙ୍କୁ ରାଜରାସ୍ତାକୁ ଆସି ବିକ୍ଷୋଭ କରିବା ଲାଗି ଆହ୍ୱାନ ଦେବା ପରିପ୍ରେକ୍ଷୀରେ ଅଦାଲତ ଅବମାନନାରେ ଇମ୍ରାନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉଦେ୍ଦଶ୍ୟରେ ମଧ୍ୟରାତ୍ରିରେ ସୁପ୍ରିମ୍କୋର୍ଟ ଖୋଲିବା ବ୍ୟବସ୍ଥା ହୋଇଥିଲା । ବିଶେଷ ଖଣ୍ଡପୀଠର ବିଚାରପତିମାନେ ଯଥାସମୟରେ ସୁପ୍ରିମ୍କୋର୍ଟରେ ପହଞ୍ଚôଯାଇଥିଲେ । ତେବେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅନାସ୍ଥା ଭୋଟ୍ରେ ସରକାର ହାରିବା ସହ ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ।
ଇମ୍ରାନ୍ ଓ ତାଙ୍କ ସମର୍ଥକମାନଙ୍କ ମତିଗତି ଦେଖି ସଂସଦ ଭବନ ବାହାରେ କଡା ସୁରକ୍ଷା ବନେ୍ଦାବସ୍ତ କରାଯାଇଥିଲା । ଏପରିକି ସଂସଦ ଭବନ ବାହାରେ ପ୍ରିଜ୍ନର ଭ୍ୟାନ୍ ପହଞ୍ଚôଯାଇଥିଲା । ବହୁ ବିଳମ୍ବରେ ନ୍ୟାସ୍ନାଲ୍ ଆସେମ୍ବିଲ୍କୁ ଆସିଥିଲେ ଇମ୍ରାନ୍, କିନ୍ତୁ ସେ ତାଙ୍କ ଚାମ୍ବରରେହିଁ ବସିରହିଥିଲେ ।
ତା ପୂର୍ବରୁ ଇମ୍ରାନ ଶନିବାର ବିଳମ୍ବିତ ରାତିରେ ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ ଡାକି କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳମାନେ କୋର୍ଟ ଅବମାନନା ମାମଲା ରୁଜୁ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।
ପରେ ପରେ ଖବର ଆସିଲା ଯେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ ରଖିଛନ୍ତି- ଇସ୍ତଫା ଦେବା ପରେ ତାଙ୍କୁ ଗିରଫ କରାଯିବ ନାହିଁ, ତାଙ୍କ ନାମରେ ମୋକଦ୍ଦମା ରୁଜୁ କରାଯିବ ନାହିଁ ଏବଂ ବିରୋଧୀ ଦଳ ନେତା ସାହବାଜଙ୍କ ସ୍ଥାନରେ ଅନ୍ୟ କେହି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରାଯିବ । ଏହି ଖବର ଜିଓ ନୁ୍ୟଜ୍ ସୂତ୍ରରୁ ମିଳିଥିଲା ।
ଶନିବାର ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଖୋଲା ରଖିବା ସହ ଇମ୍ରାନ୍ ସରକାର ସହ ସମ୍ପୃକ୍ତ କୌଣସି ପଦାଧିକାରୀ ଦେଶ ଛାଡି ଯାଇପାରିବେ ନାହିଁ ବୋଲି ଆଦେଶ ଜାରି କରାଯାଇଥିଲା । ଏଭଳି ହାଇଡ୍ରାମା ଚାଲିବା ଭିତରେ ସେନାଧ୍ୟକ୍ଷ କମର ଜାଭେଦ୍ ବାଜୱା ଓ ଆଇଏସ୍ଆଇର ମୁଖ୍ୟ ଇମ୍ରାନ୍ଙ୍କୁ ଭେଟିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *