ଶାଳୀର ଝୁମ୍ପୁଡ଼ିରେ ଭିଣୋଇର ଟଙ୍କା ବିଡ଼ା
ମିଳିଲା ୧.୪୧ କୋଟି ଓ ୩୫୪ ଗ୍ରାମ୍ ସୁନା, କୋଟିପତି ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ ଗିରଫ
ଭୁବନେଶ୍ୱର (ବୁ୍ୟରୋ): ବେଆଇନ ସମ୍ପତ୍ତି ମାମଲାରେ ଧରାପଡ଼ି ଜେଲ ଯାଇଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧନଙ୍କୁ ଭିଜିଲାନ୍ସ ଟିମ୍ ଜେରା କରିବା ପରେ ଗିରଫ କରିଛି । ସେହିପରି କଳ୍ପନାଙ୍କ ସାନ ଭଉଣୀଙ୍କ ସାଲିଆସାହିସ୍ଥିତ ଝୁମ୍ପୁଡ଼ି ଘରୁ ଶନିବାର ସକାଳେ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଓ ୩୫୪ ଗ୍ରାମର ସୁନା ଜବତ କରାଯାଇଛି । ଏହାକୁ ମିଶାଇ ଏଯାଏ କାର୍ତ୍ତିକ ଓ କଳ୍ପନାଙ୍କ ନିକଟରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଏବଂ ବିପୁଳ ପରିମାଣର ସୁନା ଓ ଏକ କିଗ୍ରା ରୁପା ଜବତ କରାଯାଇଛି ।
ଭିଜିଲାନ୍ସ ଟିମ୍ ଗତକାଲି କଳ୍ପନାଙ୍କୁ ଜେରା କରିବା ସମୟରେ ସାଲିଆସାହିରେ ରହୁଥିବା ସାନ ଭଉଣୀଙ୍କ ଘରେ କାର୍ତ୍ତିକ ଟଙ୍କା ଓ ସୁନା ଲୁ·ଇ ରଖିଥିବା ସୂଚନା ଦେଇଥିଲେ । ନୁଆଁଣିଆ ଝୁମ୍ପୁଡ଼ରେ ବିପୁଳ ପରିମାଣର ଦେଖି ଭିଜିଲାନ୍ସ ଟିମ୍ ତାଜୁବ ହୋଇଯାଇଥିଲେ । ସାଲିଆସାହିରେ ଶାଳୀ ଘର ଭଡ଼ା ନେଇ ରହିବା ସହିତ ମଜୁରି କରି ଚଳନ୍ତି । କାର୍ତ୍ତିକେଶ୍ୱରଙ୍କ କଳା ଟଙ୍କାକୁ ତାଙ୍କ ପୁତୁରା (ଶାଳୀର ପୁଅ) ଅଟୋରେ ବିଭିନ୍ନ ସ୍ଥାନକୁ ନେଇ ଲୁ·ଇ ରଖୁଥିଲା । କଳ୍ପନା, ତାଙ୍କ ଭଉଣୀ ଓ ପୁତୁରାଙ୍କୁ ଏକାଠି ଜେରା କରାଯିବା ପରେ ବହୁ ଗୁମର ଫିଟିଛି । ଦୁର୍ନୀତିକୁ ପ୍ରୋତ୍ସାହନ ଓ ଅର୍ଥ ଲୁ·ଇବାରେ ସହଯୋଗ କରିବାରୁ କଳ୍ପନାଙ୍କୁ ଗିରଫ କରାଯାଇଛି । ଏଥିସହିତ ପୋଖରୀପୁଟରେ କଳ୍ପନାଙ୍କ ଭଉଣୀ ୭୮ ଲକ୍ଷ ୫୦ ହଜାର ଟଙ୍କା ଦେଇ ଏକ ଟ୍ରିପଲେକ୍ସ କିଣିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, କାର୍ତ୍ତିକେଶ୍ୱରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଶୁକ୍ରବାର ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।