ଛେଉଣ୍ଡ ପିଲାଙ୍କୁ ସାହା ହେବ କିଏ?
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗୋପପୁର ଗ୍ରାମରେ ମାଆ ଛେଉଣ୍ଡ ଦୁଇ ଶିଶୁ କନ୍ୟାଙ୍କ ଦୁଃଖ କହିଲେ ନସରେ । ମାଆ ଚାଲିଯିବା ପରେ ବାପା ଶଯ୍ୟାଶାୟୀ ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ଲୁଣ ଭାତ ଖାଇ ରହୁଥିବା ବେଳେ ସେମାନଙ୍କୁ କିଏ ସାହା ଭରସା ହେବ ବୋଲି ପ୍ରଶ୍ନଉଠୁଛି ।
ଗୋପପୁର ଗ୍ରାମର ରସିକ ମୁଣ୍ଡା (୩୭) ଜଣେ ଗରିବ ଅସହାୟ ବ୍ୟକ୍ତି । ଗତ ୨୦୧୪ ମସିହାରେ ପତ୍ନୀ ପାର୍ବତୀ ମୁଣ୍ଡାଙ୍କୁ ସାପ କାମୁଡିବାରୁ ତାଙ୍କର ମୃତୁ୍ୟ ହୋଇଥିଲା । ସେହିଦିନଠାରୁ ତାଙ୍କର ଦୁଇ କନ୍ୟା ଗୀତା ମୁଣ୍ଡା (୧୨) ଏବଂ ମଞ୍ଜୁ ମୁଣ୍ଡା (୯) ବାପାଙ୍କ ନିକଟରେ ରହିଆସୁଛନ୍ତି । କିଛି ଦିନ ହେବ ରସିକଙ୍କର ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ହେଉଥିବା ବେଳେ ହଠାତ୍ ତାଙ୍କର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇପଡିଲେ । ଫଳରେ ରସିକ ସବୁଦିନ ପାଇଁ ଶଯ୍ୟାଶାୟୀ ହେବା ସହିତ ଗୋଟିଏ ସ୍ଥାନରେ ପଡିରହିଛନ୍ତି । ଏପରିକି ପିଲାମାନେ ତାଙ୍କୁ ସେବା ଶୁଶ୍ରୁଷା କରୁଥିବାବେଳେ ସାହି ପଡିଶା ତାଙ୍କୁ ସହଯୋଗର ହାତ ବଢାଇଥିଲେ । ପରେ ଭାରତୀୟ ମାନବାଧିକାର ପରିଷଦ ତଥା କାର୍ଯ୍ୟରତ ସଭାପତି ଦୁଃଖବନ୍ଧୁ ବିଶ୍ୱାଳଙ୍କ ଦ୍ୱାରା ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇ ସାହାଯ୍ୟ କରିଥିଲେ । କିନ୍ତୁ ରସିକଙ୍କର ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାବେଳେ ଆର୍ଥିକ ସହାୟତା ନାହିଁ । ଗରିବ ପରିବାର ଏବେ କେମିତି ବଞ୍ଚିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଣି ମିଶା ଭାତ ସାଙ୍ଗକୁ ଲଙ୍କା ଲୁଣ ଭାତ ଖାଇ ପିଲାମାନେ ଜୀବନ ବଞ୍ଚାଇଛନ୍ତି । ପାଠପଢା ଦୂରେଥାଉ ଘରୁ ବାହାରିବା ବି କଷ୍ଟକର ହୋଇପଡୁଛି । ସରକାର ଏବଂ ପ୍ରଶାସନ ପକ୍ଷରୁ ଅନାଥ ପିଲା ଦୁଇଟିଙ୍କୁ ସୁରକ୍ଷା ଦେବା ସହିତ ପାଠ ପଢିବା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।