ସେମିରେ ଭାରତ
ପୋଚେଫ୍ଷ୍ଟ୍ରମ୍, ୮ା୪ (ଏଜେନ୍ସି): ଭାରତୀୟ ଟିମ୍ ଏଫ୍ଆଇଏଚ୍ କନିଷ୍ଠ ମହିଳା ବିଶ୍ୱକପ୍ରେ ଅପରାଜେୟ ଧାରା ଅବ୍ୟାହତ ରଖିଛି । ଶୁକ୍ରବାର କ୍ୱାର୍ଟର୍-ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୩-୦ରେ ହରାଇ ଟୁର୍ଣ୍ଣାମେଣ୍ଟ ଇତିହାସରେ ଦ୍ୱିତୀୟ ଥର ସେମିଫାଇନାଲ୍ରେ ପ୍ରବେଶ କରିଛି । ଭାରତ ରବିବାର ଅନ୍ତିମ-୪ ପର୍ଯ୍ୟାୟରେ ଅନ୍ୟ ତିନି ଥର ଚାମ୍ପିଅନ୍ ନେଦରଲାଣ୍ଡ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ କ୍ୱାର୍ଟରର ବିଜେତାକୁ ଭେଟିବ ।
ପୁଲ୍ ପର୍ଯ୍ୟାୟରେ ଭାରତ ସମସ୍ତ ମ୍ୟାଚ୍ ଜିତି ଟପ୍ପର ହୋଇଥିଲା । କ୍ୱାର୍ଟର-ଫାଇନାଲ୍ରେ ଭାରତ ପୂର୍ବଭଳି ଦମ୍ଦାର ପ୍ରଦର୍ଶନ କରିଥିଲା । କିନ୍ତୁ ନକ୍ଆଉଟ୍ ପର୍ଯ୍ୟାୟର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରୋମାଞ୍ଚଶୂନ୍ୟ ହେବ ବୋଲି ଆଶା କରାଯାଉ ନ ଥିଲା । ଭାରତ ପକ୍ଷରୁ ମମତାଜ ଖାଁ (୧୧ତମ ମିନିଟ୍), ଲାଲରିଣ୍ଡିକୀ (୧୫ତମ) ଓ ସଙ୍ଗୀତା କୁମାରୀ (୪୧ତମ) ଗୋଲ୍ ସ୍କୋର୍ କରିଥିଲେ ।
ବିଶ୍ୱକପ୍ ଇତିହାସରେ ୨୦୧୩ ସଂସ୍କରଣରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଥିଲା । ଜର୍ମାନୀଠାରେ ଖେଳାଯାଇଥିବା ସେହି ବିଶ୍ୱକପ୍ ମ୍ୟାଚ୍ରେ ଭାରତୀୟ ଟିମ୍ ୩-୨ ପେନାଲ୍ଟି ସୁଟ୍ଆଉଟ୍ରେ ଇଂଲଣ୍ଡକୁ ହରାଇଥିଲା ।
କୋରିଆ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଟିମ୍ ଦୃଢ଼ତାର ସହ ଆରମ୍ଭ କରିଥିଲା । ୧୧ତମ ମିନିଟ୍ରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ପ୍ରଥମ ପିସିକୁ ଗୋଲ୍ରେ ପରିଣତ କରି ମମତାଜ ଟିମ୍କୁ ଅଗ୍ରଣୀ କରିଥିଲେ । ଅଲିମ୍ପିଆନ୍ ଶର୍ମିଲା ଦେବୀଙ୍କ ଯୋଗୁଁ ଟିମ୍କୁ ଏହି ପିସି ମିଳିଥିଲା । ଡିଫ୍ଲେକ୍ସନ୍ରୁ ସ୍କୋର୍ କରିଥିବା ମମତାଜ ଟୁର୍ଣ୍ଣାମେଣ୍ଟର ଷଷ୍ଠ ବ୍ୟକ୍ତିଗତ ଗୋଲ୍ ଦେଇଥିଲେ । ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍ରେ ଲାଲରିଣ୍ଡିକୀ ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଦୀପିକାଙ୍କ ରିଭର୍ସ ସଟ୍କୁ କୋରୀୟ ଗୋଲ୍କିପର୍ ଏଉଞ୍ଜି କିମ୍ ଅଟକାଇ ଦେଇଥିଲେ । ଲାଲରିଣ୍ଡିକୀ ରିବାଉଣ୍ଡରୁ ଗୋଲ୍ କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆଧିପତ୍ୟ ରହିଥିଲା । ଭାରତ ଏହି କ୍ୱାର୍ଟରରେ ଗୋଲ୍ କରି ପାରି ନ ଥିଲେ, ତେବେ ପ୍ରଥମ ଦୁଇ କ୍ୱାର୍ଟରରେ ଭାରତୀୟ ରକ୍ଷଣପନ୍ଥୀ ପ୍ରଭାବିତ କରି ପାରିଥିଲେ । ବିଚୁ ଦେବୀ କରିବାମ୍ଙ୍କୁ ପରାଜିତ କରିବା କୋରୀୟଙ୍କ ପାଇଁ ସହଜ ହୋଇ ନ ଥିଲା । କୋରିଆ ଅଧିନାୟିକା ସିଓନା କିମ୍ଙ୍କ ପ୍ରୟାସକୁ ବି ବିଚୁ ଦେବୀ ସହଜରେ ବିଫଳ କରି ଦେଇଥିଲେ । ମଧ୍ୟାନ୍ତର ସୁଦ୍ଧା ଭାରତ ୨-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଦକ୍ଷିଣ କୋରିଆ ପ୍ରଥମ ପିସି ପାଇଥିଲା, ହେଲେ ସିଓନା କିମ୍ଙ୍କ ଡିଫ୍ଲେକ୍ସନ୍ ବାର୍ ଉପର ଦେଇ ଚାଲି ଯାଇଥିଲା । ଏହାର ଏକ ମିନିଟ୍ ପରେ ସଙ୍ଗୀତା ଭାରତ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ତାଙ୍କ ପାଇଁ ଏହା ଏକ ସହଜ ଫିଲ୍ଡ ଗୋଲ୍ ଥିଲା ।
ତିନି ଗୋଲ୍ରେ ଆଗରେ ଥିଲେହେଁ ଭାରତୀୟ ଖେଳାଳି ନିଜ ପ୍ରଦର୍ଶନରେ ସାମାନ୍ୟତମ କୋହଳ ମନୋଭାବ ପୋଷଣ କରି ନ ଥିଲେ ଏବଂ ଶେଷ ଯାଏଁ ଦୃଢ଼ତାର ସହ ଖେଳି ଦକ୍ଷିଣ କୋରିଆକୁ ଗୋଲ୍ରୁ ବଞ୍ଚିତ କରିଥିଲେ ।