ବିରୋଧ ସତ୍ତ୍ୱେ ବୁଲିଲା ବୁଲ୍ଡୋଜର
ଭୁବନେଶ୍ୱର (ବୁ୍ୟରୋ): ପ୍ରବଳ ବିରୋଧ ସତ୍ତ୍ୱେ ଭୁବନେଶ୍ୱରରେ ଚାଲିଲା ବୁଲ୍ଡୋଜର । ହଟିଲା ଜବରଦଖଲ । ମାଟିରେ ମଶିଲା ୧୯୧ ଦୋକାନ । ବିଡିଏ ମାର୍କେଟ କମ୍ପ୍ଲେକ୍ସ ପାଇଁ ମାଟିରେ ଝାରପଡ଼ା ହାଟ ଉଚ୍ଛେଦ ହୋଇଛି । ଦୋକାନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଦୋକାନ ଗୁଡ଼ିକୁ ଭିଙ୍ଗିଛି ବିଡ଼ିଏ । ଦୋକାନ ଭଙ୍ଗା ହେବା ଫଳରେ ବେଉସା ହରାଇଛନ୍ତି ଶତାଧିକ ଦୋକାନୀ । ହାଟ ଭଙ୍ଗାକୁ ନେଇ ବିଜେପି ନେତା ଓ ଦୋକାନୀମାନେ ଲକ୍ଷ୍ମୀସାଗର ଛକରେ ରାସ୍ତାରୋକ୍ କରିଥିଲେ । ସେଠାରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ପୁଲିସ ବିକ୍ଷୋଭକରୀଙ୍କୁ ଉଠାଇ ନେଇଥିଲା । ଶୁକ୍ରବାର ଝାରପଡ଼ା ଗଣେଶ ମଣ୍ଡପ ଛକରେ ସକାଳୁ ସକାଳୁ ପୁଲିସ ସମେତ ବିଡିଏ ଏନଫୋର୍ସମେଣ୍ଟ୍ ଟିମ୍ ପହଞ୍ଚିିଥିଲା । କେହି କିଛି ବୁଝିବା ପୂର୍ବରୁ ବୁଲଡୋଜର ବୁଲିବା ଆରମ୍ଭ ହୋଇଯାଇଥିଲା । ଝାରପଡ଼ା ମୌଜାର ସରକାରୀ ପ୍ଲଟ୍ ନମ୍ବର ୬୮୩ରେ ଗଢିଉଠିଥିଲା ଶତାଧିକ ଦୋକାନ । ଝାରପଡା ସ୍ଥିତ ଗଣେଶ ମଣ୍ଡପ ନିକଟରେ ୩ ଏକର ୨୦୭ ଡିସିମିଲ ପରିମିତ ଜମିରେ ଅସ୍ଥାୟୀ ହାଟ ନିର୍ମାଣ ହୋଇଥିଲା । ସକାଳ ସୁଦ୍ଧା ଏନଫୋର୍ସମେଣ୍ଟର ୪ଟି ସ୍କ୍ୱାଡ, ବିଡ଼ିଏ ଓ ବିଏମ୍ସିର ଦକ୍ଷିଣ ପୂର୍ବ ଜୋନ୍ ଏବଂ ଜିଏର ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚିଥିଲା । ଏଠାରେ ଏକ ଦୈନିକ ହାଟ ବସୁଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ତେଣୁ ସକାଳୁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ୩ଟି ଟିଣ ନିର୍ମିତ ଘର, ୧୪ଟି ବଡ଼ ଗୋଦାମ, ୯୭ଟି ଟିଣ ନିର୍ମିତ ଦୋକାନ, ୨୫ଟି ଅସ୍ଥାୟୀ ପରିବା ଦୋକାନ, ୫୨ଟି କ୍ୟାବିନ ଭଙ୍ଗାଯାଇଥିଲା । ମୋଟ୍ ୧୯୧ଟି ଦୋକାନ ଭାଙ୍ଗିଥିଲା ବିଡିଏ । ତେବେ ଦୋକାନ ଭାଙ୍ଗିବା ସମୟରେ ଦୋକାନୀମାନେ ପ୍ରବଳ ବିରୋଧ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ୬ ଜଣ ଆଇଆଇସିଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ଓ ୪ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା । ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ଡିସିପିଙ୍କ ସହ ଆଲୋଚନା ହୋଇଥିଲା । ଏହା ଘଟଣା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ବିଜେପି ଫେରାଦ ହୋଇଛି । କୌଣସି ସୂଚନା ନ ଦେଇ ପୁଲିସ୍ ଉପସ୍ଥିତିରେ ପ୍ରଶାସନ ଶହଶହ ଦୋକାନ ଯେଭଳି ଧ୍ୱଂସ କରିଦେଲେ ତାହା ଅବର୍ଣ୍ଣନୀୟ ବୋଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ମାନବାଧିକାର କମିଶନ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି ।