ଇମ୍ରାନ୍ କ୍ଲିନ୍ ବୋଲ୍ଡ
ଇସ୍ଲାମବାଦ୍, ୭ା୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ଭିତରେ ସଂସଦ (ନ୍ୟାସ୍ନାଲ୍ ଆସେମ୍ବ୍ଲି) ଭଙ୍ଗ ପାଇଁ ଉପବାଚସ୍ପତି ଦେଇଥିବା ନିଦେ୍ର୍ଦଶକୁ ସୁପ୍ରିମ୍କୋର୍ଟ ଗୁରୁବାର ରଦ୍ଦ କରିଦେଇଛନ୍ତି । ୪ ଦିନ ଶୁଣାଣି ପରେ ସୁପ୍ରିମ୍କୋର୍ଟ ରାୟରେ କହିଛନ୍ତି, ସଂସଦ ଭାଙ୍ଗିବ ନାହିଁ । ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବ କାଏମ୍ ରହିବ ଏବଂ ଏପ୍ରିଲ ୯ ତାରିଖ ଶନିବାର ଦିନ ସଂସଦରେ ଅନାସ୍ଥା ଉପରେ ହେବ ଭୋଟିଂ । ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ତଥା ସଂସଦ ଭଙ୍ଗ କରିବା ଉଭୟ କାର୍ଯ୍ୟ ସମ୍ବିଧାନର ଧାରା ୯୫ର ଉଲ୍ଲଂଘନ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲ୍ ରାୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ଏହି ରାୟ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ଭୋଟିଂର ଫଳାଫଳ ଘୋଷିତ ନ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ସମଗ୍ର ମନ୍ତ୍ରିମଣ୍ଡଳ ପୂର୍ବଭଳି କାର୍ଯ୍ୟ କରିବେ ।
ସଂସଦ ଭଙ୍ଗ ସମ୍ବନ୍ଧୀୟ ଉପବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଅଦାଲତ କହିଛନ୍ତି, କୌଣସି ସରକାର ସମ୍ବିଧାନର ଊଦ୍ଧ୍ୱର୍ରେ ନୁହନ୍ତି । ଇମ୍ରାନ୍ ସରକାର ଏହି କଥାକୁ ଭୁଲିଯାଇଥିଲେ । ଏବେ ଆମେ କୌଣସି ତର୍କ ଶୁଣିବୁ ନାହିଁ । ଏପ୍ରିଲ ୯ ତାରିଖ ଦିନ ସଂସଦ ଅଧିବେଶନ ଡକାଯିବ ଏବଂ ସେହିଦିନ ରାତି ୧୦ଟା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯିବ । ଯଦି ସରକାର ହାରିଲେ ଯଥାଶୀଘ୍ର ସମ୍ଭବ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରାଯିବ ।
ଫୈସଲା ଶୁଣାଇବା ପୂର୍ବରୁ ପ୍ରଧାନ ବିଚାରପତି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ସମନ କରି ତାଙ୍କ ସହ ଆଲୋଚନା କରିଥିଲେ । ଆୟୁକ୍ତ ତାଙ୍କୁ ଜଣାଇଥିଲେ ଯେ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ ସେ ପ୍ରସ୍ତୁତ । ଗୁରୁବାର ସୁପ୍ରିମ୍କୋର୍ଟ ରାୟ ଘୋଷଣା ପୂର୍ବରୁ କୋର୍ଟ ରୁମ୍କୁ ସମ୍ପୂର୍ଣ୍ଣ ଲକ୍ କରିଦିଆଯାଇଥିଲା । କୋର୍ଟ ବାହାରେ କଡା ସୁରକ୍ଷା ବନେ୍ଦାବସ୍ତ ହୋଇଥିଲା । ୫ ଜଣିଆ ଖଣ୍ଡପୀଠର ଅନ୍ୟ ୪ ସଦସ୍ୟ ଥିଲେ ନ୍ୟାୟମୂର୍ତ୍ତି ଇଜାଦୁଲ ଅହସନ୍, ନ୍ୟାୟମୂର୍ତ୍ତି ମହମ୍ମଦ ଅଲୀ ମଜହର, ନ୍ୟାୟମୂର୍ତ୍ତି ମୁନୀବ ଅଖତର ଓ ନ୍ୟାୟମୂର୍ତ୍ତି ଜମାଲ ଖାନ୍ ମଣ୍ଡୋଖାଇଲ । ଶୁଣାଣି ମଧ୍ୟରେ ରାଷ୍ଟ୍ରପତି ଆରିଫ୍ ଅଲ୍ବୀଙ୍କ ଓକିଲ ଅଲି ଜଫର ପକ୍ଷ ରଖି କହିଥିଲେ ଯେ ଯଦି ଦେଶରେ ସାଧାରଣ ନିର୍ବାଚନ କରାଯାଏ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଅଦାଲତ ଏହି ତର୍କକୁ ଅଗ୍ରାହ୍ୟ କରିଦେଇଥିଲେ । ପ୍ରଧାନ ବିଚାରପତି ତାଙ୍କୁ ପଚାରିଥିଲେ ଯଦି ସବୁ ସମ୍ବିଧାନ ହିସାବରେ ଚାଲୁଛି, ତେବେ ଅସୁବିଧା କେଉଁଠି? ଅନାସ୍ଥା ପ୍ରସ୍ତାବ ଉପରେ ବାଚସ୍ପତି ଆପତ୍ତି ଉଠାଇ ନ ଥିବାବେଳେ ଉପବାଚସ୍ପତି ତାହାକୁ ଖାରଜ କରିଦେବା ଅନୁଚ୍ଛେଦ ୯୫ର ସ୍ପଷ୍ଟ ଉଲ୍ଲଂଘନ ।
ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ୍ଙ୍କ ମେଣ୍ଟ ସରକାର ଗତ ସପ୍ତାହରୁ ସଂଖ୍ୟାଲଘୁ ହୋଇପଡିଛି । ଅଧିକାଂଶ ଅଂଶୀଦାର ଦଳ ବିରୋଧୀଙ୍କ ସହ ହାତ ମିଳାଇଛନ୍ତି ।