ଭାରତ ଉପରେ ଚୀନ୍ର ସାଇବର ଆଟାକ୍

ନୂଆଦିଲ୍ଲୀ (ଏଜେନ୍ସି): ୮ମାସ ପୂର୍ବେ ଚୀନ୍ ପ୍ରାୟୋଜିତ ହ୍ୟାକର୍ସମାନେ ଲଦାଖ୍ ନିକଟବର୍ତ୍ତୀ ଭାରତୀୟ ପାୱାର ଗ୍ରୀଡ୍ (ବିଜୁଳି ଶକ୍ତି ଆବଣ୍ଟନ କେନ୍ଦ୍ର)କୁ ହ୍ୟାକ୍ କରିଥିଲେ । ଏସମ୍ପର୍କରେ ଆମେରିକାର ମାସାଚୁଏଟ୍ସ୍ର ନିଜସ୍ୱ ଗୁଇନ୍ଦା ବିଭାଗ ‘ରେକର୍ଡେଡ୍ ଫୁ୍ୟଚର’ ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏପ୍ରକାର ଦାବି କରିଛି । ଏହି ରିପୋର୍ଟକୁ ରେକର୍ଡେଡ୍ ଫୁ୍ୟଚର ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପରେ ହିଁ ଏହାକୁ ସାର୍ବଜନୀନ କରିଥିବା ଦର୍ଶାଇଛି । ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହା ଉପରେ ନିଜ ପକ୍ଷ ରଖିଛନ୍ତି । ଏହି ହ୍ୟାକିଂ ପ୍ରକ୍ରିୟାରେ ଚୀନ୍ର ହ୍ୟାକର୍ସମାନେ ଭାରତୀୟ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକ୍ଚର (ଭିତ୍ତିଭୂମୀ) ବ୍ୟବସ୍ଥା ସମ୍ପର୍କୀତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେମାନେ ସଫଳ ହୋଇପାରିନଥିଲେ ବୋଲି ଭାରତ ସରକାର ସଫେଇ ଦେଇଛନ୍ତି ।
କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ କହିଛନ୍ତି, ହ୍ୟାକିଂ ଭଳି ପ୍ର୍ରକିୟାକୁ ରୋକିବା ପାଇଁ ବହୁପୂର୍ବରୁ ହିଁ ସେଠାକାର ସବୁ ବିଭାଗୀୟ ସର୍ଭର ଡାଟାକୁ ସୁରକ୍ଷିତ କରାଯାଇସାରିଛି । ସର୍ଭର ଡିଫେନ୍ସ ସିଷ୍ଟମ୍କୁ ଯଥେଷ୍ଟ ମଜବୁୂତ୍ ତଥା ଶକ୍ତିଶାଳୀ କରାଯାଇପାରିଥିବାରୁ କୌଣସି ପ୍ରକାର ସାଇବର ଆଟାକ୍ ସମ୍ଭବ ନୁହେଁ । ସୁତରାଂ ଚୀନ୍ର ହ୍ୟାକର୍ସମାନେ ଲଦାଖ ଆଖପାଖ ଅଞ୍ଚଳରେ ଥିବା ଇଲେକ୍ଟି୍ରସିଟି ଡିଷ୍ଟି୍ରବୁ୍ୟସନ୍ ସେଣ୍ଟରଗୁଡ଼ିକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେମାନେ ସଫଳ ହୋଇପାରିନଥିଲେ । ସୂଚନାଯୋଗ୍ୟ, ଭାରତରେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତକାରୀ ଦୁଇ କମ୍ପାନୀ ସିରମ୍ ଇନ୍ଷ୍ଟିଚୁ୍ୟଟ୍ ଏବଂ ଭାରତ ବାୟୋଟେକ୍ର ସର୍ଭର ଉପରେ ମଧ୍ୟ ଚୀନ୍ର ହ୍ୟାକର୍ସମାନେ ଆଟାକ୍ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି ଏପ୍ରକାର ଅଭିଯୋଗ ନିରାଧାର ଏବଂ ଏଥିରେ ଚୀନ୍ ସରକାରଙ୍କ କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଥିଲା ।
ପ୍ରକାଶ, “ରେକର୍ଡେଡ୍ ଫୁ୍ୟଚର୍’ ନିଜ ରିପୋର୍ଟରେ ଦାବି କରିଛି ଯେ, ନିକଟ ଅତୀତରେ ଚୀନ୍ ହ୍ୟାକର୍ସମାନେ ଅତିକମରେ ପ୍ରାୟ ୭ଟି “ଭାରତୀୟ ଷ୍ଟେଟ୍ ଲୋଡ୍ ଡିସ୍ପାଚ୍ ସେଣ୍ଟର୍’ (ଏସ୍ଏଲ୍ଡିସିି) ଉପରେ ସାଇବର ଆଟାକ୍ କରିଛନ୍ତି । ଏହି ସେଣ୍ଟରଗୁଡ଼ିକ ଲଦାଖରେ ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରୀଡ୍କୁ ନିୟନ୍ତ୍ରଣ କରିବା ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦୀୟ ଅଞ୍ଚଳଗୁଡ଼ିକୁ ବିଜୁଳି ଶକ୍ତି ଯୋଗାଣ ଜାରି ରଖିଛି । ଏତଦ୍ବ୍ୟତୀତ ଚୀନ୍ର ଏହି ହ୍ୟାକର୍ସ ଗ୍ରୁପ୍ ନ୍ୟାସନାଲ ଏମର୍ଜେନ୍ସି ରେସପନ୍ସ ସିଷ୍ଟମ୍କୁ ମଧ୍ୟ ହ୍ୟାକ୍ କରିବାକୁ ଚେଷ୍ଟା କରିଥିବା ରେକର୍ଡେଡ୍ ଫୁ୍ୟଚର ଦର୍ଶାଇଛି । ରିପୋର୍ଟ ଅନୁସାରେ ଗତ ୧୮ମାସ ମଧ୍ୟରେ ଚୀନ୍ ହ୍ୟାକର୍ସମାନେ ଷ୍ଟେଟ୍ ଏବଂ ପ୍ରାଦେଶିକ ଲୋଡ୍ ଡିସ୍ପାଚ୍ ସେଣ୍ଟର ଉପରେ ଲଗାତାର ସାଇବର ଆଟାକ୍ କରିଥିଲେ । ପ୍ରଥମେ ରେଡ୍ଇକୋ ନାମକ ଏକ ହ୍ୟାକର୍ସ ଗ୍ରୁପ୍ ହ୍ୟାକିଂ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ବିଫଳ ହୋଇଥିଲା । ପରେ ଟିଏଜି-୩୮ ନାମକ ଅନ୍ୟ ଏକ ଗ୍ରୁପ୍କୁ ଚୀନ୍ ଏହି ଦାୟିତ୍ୱ ଦେଇଥିଲା । ଟିଏଜି-୩୮ ମଧ୍ୟ ଭାରତୀୟ ସର୍ଭରକୁ ହ୍ୟାକ୍ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲା, କିନ୍ତୁ ସଫଳ ହୋଇପାରିନଥିଲା । ତେବେ ଏସବୁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଏପ୍ରକାର ହ୍ୟାକର୍ସଗ୍ରୁପ୍କୁ ନିୟୋଜିତ କରି ଚୀନ୍ ଭାରତର ଗୁପ୍ତ ତଥ୍ୟକୁ ହାସଲ କରିବାକୁ ଚେଷ୍ଟା କରିଆସୁଛି । ଏହାର ସିଧାସଳଖ ଅର୍ଥ ଚୀନ୍ ଯେକୌଣସି ଉପାୟରେ ଭାରତର ଆନ୍ତର୍ଜାତିକ ବ୍ୟବସ୍ଥାକୁ ବିଗାଡ଼ିବାକୁ ଚେଷ୍ଟା କରୁଛି ।
ଉଲ୍ଲେଖଯୋଗ୍ୟ, “ରେକର୍ଡେଡ୍ ଫୁ୍ୟଚର୍’ ହେଉଛି ସେହି ଗୁଇନ୍ଦା ସଂସ୍ଥା ଯାହାକି ୧୨ ଅକ୍ଟୋବର ୨ଠ୨ଠରେ ମୁମ୍ବାଇ ବ୍ଲାକ୍ଆଉଟ୍ ଘଟଣାର ପର୍ଦ୍ଦାଫାସ କରିଥିଲା । ଦୀର୍ଘ ୧୨ ଘଣ୍ଟା ଧରି ମୁମ୍ବାଇ ଅନ୍ଧାରରେ ରହିଥିଲା । ଏସବୁ ପଛରେ ଚୀନ୍ ହ୍ୟାକର୍ସ ଗ୍ରୁପ୍ ଥିବା ରେକର୍ଡେଡ୍ ଫୁ୍ୟଚର ପ୍ରମାଣ ସହ ଭାରତକୁ ଅବଗତ କରାଇଥିଲା । ତେଲେଙ୍ଗାନାକୁ ମଧ୍ୟ ବ୍ଲାକ୍ଆଉଟ୍ କରିବା ଯୋଜନା କରାଯାଇଥିଲା କିନ୍ତୁ ଆଗୁଆ ପଦକ୍ଷେପ ଯୋଗୁ ଚୀନ୍ ହ୍ୟାକର୍ସମାନେ ସଫଳ ହୋଇପାରିନଥିଲେ । ତେବେ କେବଳ ଭାରତ ନୁହେଁ, ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ଉପରେ ମଧ୍ୟ ଚୀନ୍ ହ୍ୟାକର୍ସମାନେ ସାଇବର ଆଟାକ୍ କରିଆସୁଛନ୍ତି । ୨ଠ୨୧ରେ ଆମେରିକା ୩ ପ୍ରମୁଖ ତଦନ୍ତକାରୀ ସଂସ୍ଥା ନ୍ୟାସନାଲ ସିକୁ୍ୟରିଟି ଏଜେନ୍ସି (ଏନ୍ଏସ୍ଏ), ସାଇବର ସିକୁ୍ୟରିଟି ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ସିକୁ୍ୟରିଟି ଏଜେନ୍ସି (ସିଆଇଏସ୍ଏ) ଏବଂ ଫେଡ଼େରାଲ୍ ବୁ୍ୟରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍ବିଆଇ) ପକ୍ଷରୁ ମିଳିତ ବିବୃ୍ତି ଜାରି କରି ଚୀନ୍ର ରାନ୍ସମୱୟାର ନାମକ ଏକ ଭାଇରସ୍ ଦ୍ୱାରା ଏପ୍ରକାର ସାଇବର ଆଟାକ୍ କରାଯାଇଥିବା ଅଭିଯୋଗ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *